ଚିନ୍ତା ବଢ଼େଇଲେଣି ସୁରତ ଫେରନ୍ତା : ଗରମ ପାଣି ମାଗୁଛନ୍ତି, ସଙ୍ଗରୋଧ ଗୃହରେ ପହଞ୍ଚୁଛି ବାହାରର ଖାଦ୍ୟ

କ୍ଷମା ମାଗିଲେ ସଙ୍ଗରୋଧ କେନ୍ଦ୍ରର ସୁରତ ଫେରନ୍ତା

ଶେରଗଡ଼ : ଶେରଗଡ଼ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତକୁ ଟ୍ରେନ୍ ଓ ବସ୍ ଯୋଗେ ସୁରତ ଫେରନ୍ତା ପହଞ୍ଚିଛନ୍ତି। ଆଜି ସୁଦ୍ଧା ବ୍ଲକ୍‌ର ୨୨ଟି ସଙ୍ଗରୋଧ କେନ୍ଦ୍ରରେ ୨ହଜାର ୬୦ଜଣ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ ଅଛନ୍ତି। ଏଥିପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ବ୍ୟକ୍ତିଗତ କିଟ୍ ଯୋଗାଇଦିଆଯାଇଥିବା ସହ ମାନୁଆଲ୍ ଅନୁଯାୟୀ ଖାଦ୍ୟ ବ୍ୟବସ୍ଥା ହେଉଛି।

ହେଲେ କିଛି ସଙ୍ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତାଙ୍କ ମନମୁଖି କାର୍ଯ୍ୟକଳାପ ଅଧିକାରୀ ମାନଙ୍କୁ ନୟାନ୍ତ କରିସାରିଲାଣି। ‌ସେମାନେ ବିଭିନ୍ନ ଅଭିଯୋଗ ଆଣି ହଙ୍ଗାମା କରୁଛନ୍ତି। କେଉଁଠି କହୁଛନ୍ତି, ଆମକୁ ଥଣ୍ଡା ହେଉଛି ଗରମ ପାଣି ଦିଅ ତ ଆଉ କେଉଁଠି ସଙ୍ଗରୋଧ ଗୃହରେ ପ୍ରବାସୀ ଓଡ଼ିଆ ମାନେ ସଂପର୍କୀୟଙ୍କୁ ଫୋନ୍ କରି ରୁଚି ଅନୁସାରେ ବାହାରୁ ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ମଗାଉଛନ୍ତି। ଗତକାଲି କୁମାରପାଣିରେ କିଛି ସୁରତ ଫେରନ୍ତା ଗରମ ପାଣି ଜିଦ୍‌ କରିଥିଲେ। ଦାୟିତ୍ବ‌ରେ ଥିବା ଅଧିକାରୀ ମାନେ ନିରୁପାୟ ହୋଇ ଗରମ ପାଣି ଯୋଗାଇଥିବା ଜଣାପଡ଼ିଛି। ସେହିପରି ଗୋଠଗାଁ ହାଇସ୍କୁଲ୍ ସଙ୍ଗରୋଧ ଗୃହ ଗ୍ରିଲ୍ ପଛପଟେ କିଛି ଅନ୍ତେବାସୀ ସଂପର୍କୀୟଙ୍କ ସହ ଖୋଲାମେଲା କଥା ହୋଇଥିଲେ। ପଲିଥିନ୍‌ରେ ଥିବା ଜିନିଷପତ୍ର ଗ୍ରହଣ କରୁଥିଲେ। ଅନ୍ୟପକ୍ଷରେ ଆଜି ସକାଳୁ ଦୁଇଜଣ ସୁରତ ଫେରନ୍ତା ଯୁବକ ଶେରଗଡ଼ ବିଜୁ ପଟ୍ଟନାୟକ ଛକଠାରେ ଏକ ବସ୍‌ରୁ ଓଲ୍ଲାଇ ଚାଲି ଚାଲି ଯାଉଥିବା ସମୟରେ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ସଙ୍ଗରୋଧ କେନ୍ଦ୍ରରେ ରଖିଥିଲା। କେବଳ ଶେରଗଡ଼ ବ୍ଲକ୍ ନୁହେଁ, ଗଞ୍ଜାମ ଜିଲ୍ଲାର କିଛି ସଙ୍ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତାଙ୍କ ବିଶୃଙ୍ଖଳିତ ଆଚରଣ ପ୍ରଶାସନକୁ ଚିନ୍ତାରେ ପକାଇଛି। କାର୍ଯ୍ୟାନୁଷ୍ଠାନ ତାଗିଦ୍ ‌ମଧ୍ୟ ସେମାନଙ୍କୁ କାଟୁ କରୁ ନଥିବା ମନେ ହେଉଛି।

କ୍ଷମା ମାଗିଲେ ସଙ୍ଗରୋଧ କେନ୍ଦ୍ରର ସୁରତ ଫେରନ୍ତା
ବ୍ରହ୍ମପୁର : ବେଗୁନିଆପଡ଼ା ବ୍ଲକ୍‌ ରାଗପୁର ଆଦର୍ଶ ବିଦ୍ୟାଳୟ ଓ ଜନତା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର ଫାଟକ ଭାଙ୍ଗି କିଛି ସୁରତ ଫେରନ୍ତା ଫେରାର ହୋଇ ଯାଇଥିଲେ। ପୁଲିସ ଓ ପ୍ରଶାସନର ପ୍ରଚେଷ୍ଟାରେ ସେମାନେ ପୁଣି ସଙ୍ଗରୋଧ କେନ୍ଦ୍ର ଫେରିଥିଲେ। ଆଜି ରାଗପୁର ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ସୁରତ ଫେରନ୍ତା ଏକ ଭିଡିଓକୁ ଭାଇରାଲ୍‌ କରି କ୍ଷମା ମାଗିଛନ୍ତି। ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ନିଜ ଭିଟାମାଟିକୁ ଫେରିଥିବାରୁ ଆମେ ଅତ୍ୟନ୍ତ ଖୁସି। ତେବେ କିଛି ଲୋକଙ୍କ ପ୍ରରୋଚନା‌ରେ ଏଭଳି ଭୁଲ କରିଥିବା ସେମାନେ ସ୍ବୀକାର କରିଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ର ସମସ୍ତ ନିୟମାବାଳୀକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ସହ ସଙ୍ଗରୋଧ କେନ୍ଦ୍ରର ସମସ୍ତ ନିୟମକୁ ମାନିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଜନତା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ଅନୁରୂପ ଏକ ଭିଡିଓ ଭାଇରାଲ ହୋଇଛି। କିଛିଦିନ ତଳେ ଶତ୍ରୁ‌‌ସୋଲ ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତାମାନେ ଖାଦ୍ୟକୁ ଫୋପାଡ଼ିବା ସହିତ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବା ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଆଜି ଏକ ଭିଡିଓରେ ସେଠାରେ ରହୁଥିବା ଅନ୍ତେବାସୀମାନେ ଏଭଳି ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ସଙ୍ଗରୋଧ କେନ୍ଦ୍ରରେ ସେମାନେ ଯେଉଁ ଭୁଲ କରିଛନ୍ତି ତାହା କୌଣସି ପରିସ୍ଥିତିରେ କ୍ଷମଣୀୟ ନୁ‌ହେଁ। ଯଦି ସେମ‌ାନେ ପ୍ରକୃତରେ ଭୁଲ ସ୍ବୀକାର କରିଛନ୍ତି ତାହା ହେଲେ ଭଲ। ଭାଇରାଲ ଭିଡିଓ ମୁଁ ଦେଖିନାହିଁ କି ଏଥିରେ କେତେଦୂର ସତ୍ୟତା ରହିଛି ଜାଣିନାହିଁ।

ସମ୍ବନ୍ଧିତ ଖବର