ବସ୍ ନ ଗଡ଼ିଲେ ବି ମାସକୁ ଲକ୍ଷେ ଟଙ୍କାର ବୋଝ, ୫୬ ହଜାର କର୍ମଚାରୀଙ୍କ ରୋଜଗାର ବାଟ ବନ୍ଦ

କଟକ : ମାର୍ଚ୍ଚ ୨୨ରୁ ଆଉ ରାଜ୍ୟରେ ଗଡୁନି ଘରୋଇ ବସ। ୧୬ ହଜାର ବସ୍ ମାଲିକ, ୫୬ ହଜାର କର୍ମଚାରୀଙ୍କ ରୋଜଗାର ଦେଢ ମାସ ହେଲା ବନ୍ଦ। ରାଜ୍ୟରେ ଚାଲୁଥିବା ୨୪ ହଜାର ଘରୋଇ ବସ୍ ଉପରେ ପ୍ରତ୍ୟକ୍ଷ ଆଉ ପରୋକ୍ଷ‌ରେ ରାଜ୍ୟର ଅଢେଇ ଲକ୍ଷ ଲୋକ ନିର୍ଭରଶୀଳ ଥିବାବେଳେ ବର୍ତ୍ତମାନର ସ୍ଥିତି ସେମାନଙ୍କ ପାଇଁ ଗୁରୁତର ଆର୍ଥିକ ସଙ୍କଟ ସୃଷ୍ଟିକରିଛି। ଅନ୍ୟପଟେ ଅଧିକାଂଶ ମାଲିକ ବସ୍ ପିଛା ମାସକୁ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଏକରକମ ବାଧ୍ୟ। ଏହି ଆର୍ଥିକ ବୋଝକୁ ସେମ‌ାନେ ସମ୍ଭାଳିବେ କେମିତି ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ସରକାର ଗ୍ରିନ୍ ଜୋନ୍‌ରେ ଯାତ୍ରୀବାହୀ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଯେଉଁଭଳି ସଂକ୍ରମଣ ବଢିବାରେ ଲାଗିଛି , ସେଥିରେ ଗୋଟିଏ ଅଞ୍ଚଳ ଗ୍ରିନ୍‌ଜୋନ୍‌ ହୋଇଥିବାବେଳେ ତା’ ପାଖ ଅଞ୍ଚଳ ଅରେଞ୍ଜ କିମ୍ବା ରେଡ୍‌। ତେଣୁ ସେହି ବାଟ ଦେଇ ବସ୍ ଗଡିବା ସମ୍ଭବ ନୁହେଁ। ଏହା ବ୍ୟତୀତ ବସ୍ ଗଡ଼ିଲେ ବି ଖର୍ଚ୍ଚ ଉଠିବା ସହଜ ହେବନାହିଁ ବୋଲି ବସ୍ ମାଲିକ ମତ ଦେଉଛନ୍ତି। ଅଧିକାଂଶ ବସ୍ ମାଲିକ ଋଣ କରି ବସ୍ କିଣିଥିବାବେଳେ ଗୋଟିଏ ୬୦/୭୦ ଲକ୍ଷ ଟଙ୍କାର ବସ୍ ପାଇଁ ମାସକୁ ସୁଝିବାକୁ ପଡୁଛି ୬୦/୭୦ ହଜାର ଟଙ୍କା। ଏହା ବ୍ୟତୀତ ବୀମା ବାବଦକୁ ବର୍ଷକୁ ହାରାହାରି ଦେଢ ଲକ୍ଷ ଟଙ୍କା ଦେବାକୁ ପଡୁଛି। ମାସକୁ ଏ ବାବଦରେ ଖର୍ଚ୍ଚ ହେଉଛି ୧୨/୧୩ ହଜାର ଟଙ୍କା। ବସ୍ ଚାଲୁ ବା ନ ଚାଲୁ ବସ୍ ମାଲିକଙ୍କୁ ଏତକ ଦେୟ ପୈଠ କରିବାକୁ ପଡ଼ିବ। ରୋଡ୍ ଟ୍ୟାକ୍ସ ବୋଝ ଯଦି ସରକାର ସଂପୂର୍ଣ୍ଣ ଛାଡ ନ କରନ୍ତି ତେବେ ଏହା ସହିତ ସେ ବୋଝ ଯୋଡ଼ି ହେଇଯିବ।

ରାଜ୍ୟ ‌ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ସ୍ଥିତି ଯାହା ସେଥିରେ ବସ୍ ମାଲିକମାନେ ସଂପୂର୍ଣ୍ଣ ବୁଡ଼ିଯିବା ଭଳି ସ୍ଥିତି ହେଲାଣି। ଛିଡ଼ା ହୋଇରହିଥିବା ‌ବସରୁ ବ୍ୟାଟେରି, ଟାୟାର ଇତ୍ୟାଦି ଚୋରି ହେବା ଆରମ୍ଭ ହେଲାଣି। ବସ୍ ଆଉ କିଛି ଦିନ ଛିଡ଼ା ହୋଇରହିଲେ, ଟାୟାର ନଷ୍ଟ ହେଇଯିବ। ଅନ୍ୟ ଯନ୍ତ୍ରାଂଶ ବି ନଷ୍ଟ ହେବ। ଫଳରେ, ବସ୍‌କୁ ଚାଲୁ କରିବା ପାଇଁ ବି ଏବେ ମାଲିକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରାଜ୍ୟର ଅଢେଇ ଲକ୍ଷ ଲୋକଙ୍କ ଜୀବନଜୀବିକା ଏଥିରେ ଗୁରୁତର ଭାବେ ପ୍ରଭାବିତ ହେଲାଣି ବୋଲି ଶ୍ରୀ ସାହୁ କହିଛନ୍ତି।

ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ, ଘରୋଇ ବସ୍ ମାନଙ୍କରେ କାମ କରୁଥିବା ୫୬ ହଜାରରୁ ଅଧିକ ଲୋକଙ୍କୁ ଏବେ ଆଉ ତାଙ୍କ ଦରମା ଦେଉନାହାନ୍ତି। ମାଲିକମାନେ ରାସନ ସାମଗ୍ରୀ ସହାୟତା ଆକାରରେ ସେମାନଙ୍କ କର୍ମଚାରୀଙ୍କୁ ଦେଇଛନ୍ତି। ସବୁ କର୍ମଚାରୀ ବି ଏବେ ରାସ୍ତାରେ ଗାଡ଼ି ଛିଡା କରି ନିଜନିଜ ଗାଁକୁ ଚାଲି ଯାଇଛନ୍ତି। ତେଣୁ ଏଭଳି ସ୍ଥିତିରେ ରାସ୍ତାରେ ବସ୍ ଚଳାଇବାକୁ ବି କେହି ମାଲିକ ସାହସ ଜୁଟାଇ ପାରୁ ନାହାନ୍ତି। ଯଦି ବସ୍ ଚାଲେ ଆଉ ପର୍ଯ୍ୟାପ୍ତ ଯାତ୍ରୀ ନହୁଅନ୍ତି, ତେବେ ବି ଆର୍ଥିକ ବୋଝ ଅଧିକ ଗୁରୁତର ହେବ। ସରକାର ଯଦି ବର୍ତ୍ତମାନଠାରୁ ଏ ଦିଗରେ ସମ୍ବେଦନଶୀଳ ନହୁଅନ୍ତି, ତେବେ ସ୍ଥିତି ସ୍ବାଭାବିକ ହେଲା ପରେ ବି ପନ୍ଦର ଦିନ ଯାଏ ଗାଡ଼ି ଚାଲିବା ହୁଏତ ସମ୍ଭବ ହେବନାହିଁ। ବୀମା ଦେୟ ଛାଡ, ରୋଡ ଟିକସ ଛାଡ, ଋଣ ଛାଡ, ସୁଧ ହ୍ରାସ, ଡିଜେଲ ଉପରେ ଭାଟ୍ ଛାଡ ଏବଂ କର୍ମଚାରୀ ଓ ମାଲିକଙ୍କୁ ଆର୍ଥିକ ସହାୟତା ଭଳି ଯେଉଁ ସବୁ ଦାବି ଉପସ୍ଥାପନ କରାଯାଇଛି, ତାହାକୁ ସରକାର ଏବେଠୁ ବିଚାର ନ କଲେ ଆଗକୁ ସ୍ଥିତି ସଂଗିନ ହେବ ବୋଲି ଶ୍ରୀ ସାହୁ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର