ବର୍ଜ୍ୟ ପରିଚାଳନା ପାଇଁ ନଗର ଉନ୍ନୟନ ବିଭାଗ ଓ ଅର୍ବାନ ମ୍ୟାନେଜମେଣ୍ଟ ସେଣ୍ଟର ମଧ୍ୟରେ ଏମ୍‌ଓୟୁ

ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦେବେ ପ୍ରଶିକ୍ଷଣ

ଭୁବନେଶ୍ବର : ରାଜ୍ୟର ସବୁ ସହରାଞ୍ଚଳକୁ ସ୍ବଚ୍ଛ ରଖିବା ସହ ବର୍ଜ୍ୟ ପରିଚାଳନା ଯେପରି ଠିକ୍ ଭାବେ ହେବ ସେଥିପାଇଁ ମିସନ୍ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ତାଲିମ୍ ଦିଆଯିବ। ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକର ଦକ୍ଷତା ବିକାଶ କରିବା ପାଇଁ ଆଜି ନଗର ଉନ୍ନୟନ ବିଭାଗ ଏବଂ ଅହମ୍ମଦାବାଦର ଅର୍ବାନ୍ ମ୍ୟାନେଜ୍ାମେଣ୍ଟ ସେଣ୍ଟର (ୟୁଏମ୍‌ସି) ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହୋଇଛି।

ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ହୋଇଥିବା ଏହି ଏମ୍‌ଓୟୁରେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଏବଂ ୟୁଏମ୍‌ସିର ନିର୍ଦ୍ଦେଶିକା ମାନଭିତା ବରାଦି ସ୍ବାକ୍ଷର କରିଥିଲେ।

ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା ଏହି ଅବସରରେ କହିଥିଲେ ଯେ, କଠିନ ବର୍ଜ୍ୟ ପରିଚାଳନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ପାଲଟିଛି। ରାଜ୍ୟର ସବୁ ସହରକୁ ସ୍ବଚ୍ଛ ସହରରେ ପରିଣତ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯେପରି ଓଡ଼ିଶାକୁ ମାନ୍ୟତା ମିଳିବ ସେନେଇ ଆମେ ପଦକ୍ଷେପ ନେଉଛୁ। ସହରାଞ୍ଚଳର ପ୍ରତ୍ୟେକ ଘରୁ ଯେପରି ଆବର୍ଜନା ସଂଗ୍ରହ ହେବ ଏହାର ପରିଚାଳନା କରି ଅର୍ଥ ଉପାର୍ଜନ କରାଯିବ ସେନେଇ ଆମେ ବିଭିନ୍ନ ଯୋଜନା ଆରମ୍ଭ କରିଛୁ। ସବୁ ସହରାଞ୍ଚଳରେ ବର୍ଜ୍ୟ ପରିଚାଳନା ଦାୟିତ୍ବ ଏସ୍‌ଏଚ୍‌ଜିଗୁଡ଼ିକୁ ଦିଆଯାଉଥିବାରୁ ସେମାନଙ୍କ ଦକ୍ଷତା ବିକାଶ ପାଇଁ ଏହି ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଗତ ଦୁଇ ଦଶନ୍ଧିରେ ୬ଲକ୍ଷ ମିସନ୍‌ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ ହୋଇଥିବାବେଳେ ଏଥିରେ ପ୍ରାୟ ୭୦ଲକ୍ଷ ମହିଳା ସାମିଲ୍ ହୋଇଛନ୍ତି।

ଏହି ଅବସରରେ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ମାଥିଭାଥନନ୍ କହିଥିଲେ ଯେ, ଏହି ଏମ୍‌ଓୟୁ ଦ୍ବାରା ଏସ୍‌ଏଚ୍‌ଜିଗୁଡ଼ିକର ଦକ୍ଷତା ବିକାଶ ସହ ବହୁ ତାଲିମ୍‌ଦାତାଙ୍କୁ ସୃଷ୍ଟି କରାଯିବ। ଯେଉଁମାନେ ରାଜ୍ୟର ସବୁ ଏସ୍‌ଏଚ୍‌ଜିଗୁଡ଼ିକୁ ବର୍ଜ୍ୟ ପରିଚାଳନା ନେଇ ତାଲିମ୍ ଦେବେ। ସେହିପରି ପୌର ସଂସ୍ଥାରେ ଯେଉଁ ଅଧିକାରୀମାନେ ବର୍ଜ୍ୟ ପରିଚାଳନାରେ ନିୟୋଜିତ ହୋଇଛନ୍ତି ସେମାନେ କିପରି ନୂ୍ଆ ନୂ୍ଆ ପଦକ୍ଷେପ ନେବେ ଏବଂ ଠିକ୍ ଭାବେ ବର୍ଜ୍ୟ ପରିଚାଳନା କରିବେ ସେନେଇ ବି ସେମାନଙ୍କର ଦକ୍ଷତା ବିକାଶ କରାଯିବ। ଏହି କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଜି ଏବଂ ପୌରସଂସ୍ଥାରୀ କର୍ମଚାରୀମାନଙ୍କୁ ବୈଷୟିକ ତାଲିମ୍ ଦିଆଯିବ। ଏଥିରେ ୨ହଜାର ପୌରସଂସ୍ଥା କର୍ମଚାରୀ, ୨୫୦ ମେଣ୍ଟର, ୫୦୦ ମାଷ୍ଟର ଟ୍ରେନର, ୫ହଜାର ସ୍ବୟଂସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ବୈଷୟିକ ତାଲିମ୍ ଦିଆଯିବ। ରାଜ୍ୟ ସରକାରଙ୍କ ଗାରିମା ଯୋଜନାକୁ ସଫଳ କରିବା ପାଇଁ ୟୁଏମ୍‌ସି ବୈଷୟିକ ସହାୟତା ଯୋଗାଇବ।

ଆଜିର ଏମ୍‌ଓୟୁ ସ୍ବାକ୍ଷର କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ ଏବଂ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର