ଜମିଜମା ବିବାଦରୁ ବ୍ରହ୍ମଗିରିରେ ବୀଭତ୍ସ ହତ୍ୟା : ତେଣ୍ଟା, କୁରାଢ଼ି ମାଡ଼ରେ ୨ ମୃତ

ପେଟ, ଗୋଡ଼, ଅଣ୍ଟାକୁ ୨୫ରୁ ୩୦ ଚୋଟ, ୭ ଗୁରୁତର, ୧୯ ଆହତ, ୧୨ ଗିରଫ

ବ୍ରହ୍ମଗିରି : ଜମିଜମା ବିବାଦକୁ ନେଇ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ହରିଜନ ସାହିରେ ଦୁଇ ପରିବାରର ଦୁଇ ଜଣଙ୍କ ମୁଣ୍ତ ଗଡ଼ିଛି। ଅତ୍ୟନ୍ତ ବୀଭତ୍ସ ଭାବରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି। ଗୋଟିଏ ଗୋଷ୍ଠୀ ଜଣଙ୍କୁ କୁରାଢ଼ିରେ ହାଣି ପକାଇଥିବା ବେଳେ ଅନ୍ୟ ଜଣଙ୍କୁ ଚାରି ଗାଲିଆ ତେଣ୍ଟା ଛାତିରେ ଭୁସି ହତ୍ୟା କରାଯାଇଛି। ତେଣ୍ଟା, ଭୁଜାଲି, କୁରାଢ଼ି, କଟୁରୀ, ଟାଙ୍ଗିଆ, ଫାର୍ସା ହଣାରେ ୧୯ ଜଣ ଆହତ ହୋଇଛନ୍ତି। ୭ ଜଣ ଗୁରୁତର ହୋଇ ପୁରୀ ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଉଭୟ ପକ୍ଷରୁ ୧୨ ଜଣଙ୍କୁ ବ୍ରହ୍ମଗିରି ପୁଲିସ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ବ୍ରହ୍ମଗିରି ଥାନା ଡିମିରିସେଣା ହରିଜନସାହିରେ କାଳୁ ଭୋଇ ଓ ସୁରେନ୍ଦ୍ର ଭୋଇଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ଏକ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ଉଭୟ ପକ୍ଷ ମଧ୍ୟରେ ବିବାଦର ସମାଧାନ ହୋଇଥିଲା। ଆଜି ସକାଳୁ ସୁରେନ୍ଦ୍ର ଭୋଇ ସେହି ବିବାଦୀୟ ଜାଗା ପାଖରେ ପାଣି ପାଇପ ପକାଇବାକୁ ଖୋଳୁଥିବାବେଳେ କାଳୁ ଭୋଇ ତାଙ୍କ ଜାଗାକୁ ମାଡ଼ି ଯାଉଥିବା ନେଇ ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏହାପରେ ଘଟଣା ଉଗ୍ରରୂପ ନେଇଥିଲା। ଉଭୟଙ୍କ ମଧ୍ୟରେ ଚାଲିଥିଲା ହାଣକାଟ। ସୁରେନ୍ଦ୍ରଙ୍କୁ କାଳୁ ଗୋଷ୍ଠୀର ଲୋକେ ଏକ ଛୋଟ କୁରାଢ଼ିରେ ପେଟ, ଗୋଡ଼ ଓ ଅଣ୍ଟାକୁ ହାଣି ପକାଇଥିଲେ। ୨୫ରୁ ୩୦ ଚୋଟ ହାଣି ଦେଇଥିଲେ। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଭିତରେ ସୁରେନ୍ଦ୍ରଙ୍କ ଗୋଷ୍ଠୀ କାଳୁଙ୍କ ଛାତିକୁ ଚାରି ଗାଲିଆ ତେଣ୍ଟାରେ ଭୁସି ମୋଡ଼ି ଦେଇଥିଲେ, ଆଉ ହାଣି ପକାଇ ଥିଲେ। ଗୁରୁତର ଅବସ୍ଥାରେ କାଳୁ ଗାଁ’ ଭିତରେ ପଡ଼ି ରହିଥିଲେ।

ଖବର ପାଇ ବ୍ରହ୍ମଗିରି ପୁଲିସର ଦୁଇଟି ଟିମ୍‌ ଘଟଣାସ୍ଥଳରେ ପହ‌ଞ୍ଚିବା ପରେ ସମସ୍ତ ଗୁରୁତରଙ୍କୁ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ତେଣ୍ଟାର ବାଉଁଶ ବେଣ୍ଟକୁ କାଟି ପୁଲିସ ଭ୍ୟାନ୍‌ରେ କାଳୁଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ପୁରୀ ସଦର ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ପକ୍ଷରୁ ୭ ଜଣ ଗୁରୁତରଙ୍କୁ ପୁଲିସ ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲା। ଉଭୟ ପକ୍ଷରୁ ୧୦ ଜଣ ମହିଳାଙ୍କ ସହିତ ୯ ଜଣ ପୁରୁଷ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ରହିଛନ୍ତି। ପୁଲିସ ୬ ଜଣ ମହିଳା ଓ ୬ ଜଣ ପୁରୁଷଙ୍କୁ ଗିରଫ କରିଛି। ଅନ୍ୟପଟେ ପୁଲିସ ଦୁଇଟି ହତ୍ୟା ମାମଲା ଉଭୟ ପକ୍ଷରୁ ରୁଜୁ କରିଛି। ଦୁଇଟି ଶବକୁ ଜବତ କରି ବ୍ୟବଚ୍ଛେଦ କରିଛି। ଏହି ଘଟଣା ପରେ ପୁରୀ ଏସ୍‌ପି ଅଖିଳେଶ୍ବର ସିଂ ଓ ସଦର ଏସ୍‌ଡିପିଓ ଡିମିରିସେଣା ଗାଁ’କୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଗାଁରେ ପୁଲିସ ପକ୍ଷରୁ ଏକ ସେକ୍‌ସନ୍‌ ଫୋର୍ସ ମୁତୟନ ରହିଛନ୍ତି। ଗୋଟିଏ ପକ୍ଷରୁ କାଳୁ ଭୋଇ ଓ ଅନ୍ୟ ପକ୍ଷରୁ ସୁରେନ୍ଦ୍ର ଭୋଇଙ୍କର ମୃତ୍ୟୁ ହୋଇଛି। ଉଭୟ ପକ୍ଷରୁ ଗଜେନ୍ଦ୍ର ଭୋଇ(୪୧), ଦୁଲା ଭୋଇ(୫୦), ମହେନ୍ଦ୍ର ଭୋଇ(୫୦), ଶିସୁଳା ଭୋଇ(୩୫), ମାନୁ ଭୋଇ(୨୭), ସୁମିତ୍ର ଭୋଇ(୪୨), ନିରଞ୍ଜନ ଭୋଇ(୪୪), ସନ୍ତୋଷ ଭୋଇ(୨୫), ରବିନାରାୟଣ ଭୋଇ(୪୩), କାଳୁ ଭୋଇ, ସୁକାନ୍ତ ଭୋଇ, ସୁଜାତା ଭୋଇ, ସୁକାନ୍ତି ଭୋଇ, ବାସନ୍ତୀ ଭୋଇ, ମଞ୍ଜୁ ଭୋଇ, ଧୁଳିଆ ଭୋଇ ପ୍ରମୁଖ ୧୯ ଜଣ ଆହତ ଓ ୭ ଜଣ ଗୁରୁତର ରହିଛନ୍ତି। ୭ ଜଣଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ । ସମସ୍ତଙ୍କର କୋଭିଡ୍‌ ପରୀକ୍ଷା ପରେ କୋର୍ଟଚାଲାଣ କରାଯିବ ବୋଲି ବ୍ରହ୍ମଗିରି ପୁଲିସ କହିଛି। ଅନ୍ୟପକ୍ଷରେ ଗିରଫ ଭୟରେ ଅନ୍ୟ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି। ଏହି ଘଟଣା ଆଜି ଦିନତମାମ ବ୍ରହ୍ମଗିରିରେ ଯେତିକି ଚର୍ଚ୍ଚା ହେଉଛି, ତା’ଠାରୁ ଅଧିକ ଏଭଳି ଅମାନବୀୟ ଓ ବୀଭତ୍ସ ହତ୍ୟାକୁ ନେଇ ସବୁଠି ଚିନ୍ତା ପ୍ରକଟ କରାଯାଇଛି।

ସମ୍ବନ୍ଧିତ ଖବର