ଦୀପାଳିଙ୍କୁ ନାଉରୀଙ୍କ ପ୍ରଶ୍ନ: କ୍ରାଇମ୍‌ ବ୍ରାଞ୍ଚ ଚାର୍ଜସିଟ୍‌ରେ ଖୁସି କି?

ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ ୩୩ ‌କୋଟି ପ୍ରସ୍ତାବ ରହିଛି, ରାଜ୍ୟ ସରକାର ୬.୪୧ କୋଟିରେ ସୀମିତ ରଖିଲେ

ସମ୍ବଲପୁର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ବିକାଶ ପାଇଁ ରାଜ୍ୟ ସରକାର ୬ କୋଟି ୪୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହାକୁ ନେଇ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ କରିଥିବା ଟୁଇଟ୍‌କୁ ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି।

ବିଧାୟକ ନାଉରୀ ନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ୩୩ କୋଟି ଟଙ୍କା ବ୍ୟୟ ଅଟକଳର ପ୍ରସ୍ତାବ ଦିଆଯାଇଛି। ବୀର ସୁରେନ୍ଦ୍ର ସାଏଙ୍କୁ ଆତ୍ମୀୟ ଓ ଭାବନାତ୍ମକ ଶ୍ରଦ୍ଧାଞ୍ଜଳି ଜ୍ଞାପନର ବ୍ୟବସ୍ଥା ସହିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ମନୋରଞ୍ଜନଧର୍ମୀ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଗତ ୩୧ ଅକ୍ଟୋବର ୨୦୨୨ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସେ ଏଥିପାଇଁ ଅନୁରୋଧ ପତ୍ର ଲେଖିଥିଲେ। ଏହାକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏନ୍‌ଏଲ୍‌ସିର ପାରିପାର୍ଶ୍ବିକ ବିକାଶ ପାଣ୍ଠିରୁ ଏହି ଅନୁଦାନ ରାଶି ଦେବା ପାଇଁ ୧୨ ଜାନୁଆରି ୨୦୨୩ରେ କେନ୍ଦ୍ର କୋଇଲା, ଖଣି ଓ ସଂସଦ ବ୍ୟାପାର ମନ୍ତ୍ରୀଙ୍କୁ ପତ୍ର ଲେଖି ସାରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି। ୩୩ କୋଟିର ପ୍ରସ୍ତାବିତ ପ୍ରକଳ୍ପ ଜାଗାରେ ୬ କୋଟି ୪୧ ଲକ୍ଷ ଟଙ୍କା ରାଜ୍ୟ ସରକାର ଦେବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଅପମାନ ନୁହେଁ କି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

କେବଳ ସେତିକି ନୁହେଁ, ନିଜ ଦିବଙ୍ଗତ ପିତା ତଥା ରାଜ୍ୟର ତତ୍କାଳୀନ କ୍ୟାବିନେଟ୍ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ତାଙ୍କ ମା’ ଓ ଭାଇ ଯୋଜନାବଦ୍ଧ ହତ୍ୟାକାଣ୍ଡ (ପ୍ରି-ପ୍ଲାନ ମର୍ଡର) ବୋଲି ଅଭିଯୋଗ କରୁଥିବା ବେଳେ ଦୀପାଳି ନିରବ କାହିଁକି ବୋଲି ବିଧାୟକ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ତାଙ୍କ ପିତାଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମ୍ ବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ପରେ ସେ ସନ୍ତୁଷ୍ଟ ନା ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଦାବି କରିବେ ବୋଲି ବିଧାୟକ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର