‘୫-ଟି’ର ପ୍ରଥମ ଚୋଟ : ୧୫ ଜଣଙ୍କୁ ଚାକିରିରୁ ବିଦା, ୨ ଅଧିକାରୀଙ୍କ ପେନସନ୍ ବନ୍ଦ

ଭୁବନେଶ୍ବର : ସିଏ ଅଫିସର ହୁଅନ୍ତୁ ବା ସାଧାରଣ କର୍ମଚାରୀ, ଦୁର୍ନୀତି କଲେ ଆଉ ନିସ୍ତାର ନାହିଁ। ଅଭିଯୋଗ ପ୍ରମାଣିତ ହେଲେ ଚାକିରିରୁ ବିଦା ହେବା ଥୟ। ଏମିତି କିଛି କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଚାକିରିରୁ ବରଖାସ୍ତ କରିଥିବା ବେଳେ ଅବସର ନେଇଥିବା ୨ ଜଣ ଅଧିକାରୀଙ୍କ ପେନସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାସନ ତନ୍ତ୍ରରେ ୫‘ଟି’କୁ କଡ଼ାକଡ଼ି ଭାବେ ପାଳନ ପାଇଁ ନି‌ର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ ଏହି କଠୋର ପଦକ୍ଷେପ ସରକାରୀ କର୍ମଚାରୀ ମହଲରେ ଏକପ୍ରକାର କୋକୁଆଭୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦୁର୍ନୀତି ବିରୋଧୀ ବାର୍ତାକୁ ବିରୋଧୀ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। କହିଛନ୍ତି, ଏହା କେବଳ ସିଏମ୍‌ଙ୍କର ପ୍ରଚାର ସର୍ବସ୍ବ ବା ପବ୍ଲିସିଟି ଷ୍ଟଣ୍ଟ।

ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି (ଜିରୋ ଟଲେରାନ୍ସ) ଗ୍ରହଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପୂର୍ବତନ ଏମ୍‌ଭିଆଇ ଦେବୀ ପ୍ରସାଦ ପାଢ଼ୀ, ସମବାୟ ବିଭାଗରେ କାର୍ଯ୍ୟରତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସମ୍ପାଦକ ଦେବଦତ୍ତ ଦାଶ, ଉମରକୋଟ ମ୍ୟୁନିସିପାଲଟି ଅକ୍ଟ୍ରାଇ ଟାକ୍ସ ସରକାର କାଳୀପ୍ରସାଦ ସିଂହ, ଭଦ୍ରକ ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣି ବଟକୃଷ୍ଣ ବାରିକ, କଳାହାଣ୍ଡି ଏମ.ରାମପୁର ବ୍ଲକର ପୂର୍ବତନ ଗ୍ରାମସେବକ କୃଷ୍ଣମୋହନ ଦାସ, ପଞ୍ଚାୟତିରାଜ ବିଭାଗରେ କାର୍ଯ୍ୟରତ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅଶୋକ କୁମାର ସାହା, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ପୂର୍ବତନ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମମୁଖ ଶବର, ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତର ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ସହାୟକ ଯନ୍ତ୍ରୀ ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ କରୁଣାକର ପଣ୍ଡା, ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ମଙ୍ଗଳ ସିଂ ମୁଣ୍ଡା, ଜଳସମ୍ପଦ ବିଭାଗର କୁଳିଅଣା ବ୍ଲକର ପୂର୍ବତନ ସହାୟକ ଯନ୍ତ୍ରୀ ବୈଦ୍ୟନାଥ ମାଝି, ଜଳସମ୍ପଦ ବିଭାଗର ମୟୁରଭଞ୍ଜ ସରକଣା ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ରାଉତ, ଜଳସମ୍ପଦ ବିଭାଗର କଳାହାଣ୍ଡି ଥୁଆମୂଳ-ରାମପୁର ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ନିଗମାନନ୍ଦ ପଣ୍ଡା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ବିଏମସି ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟର ବରିଷ୍ଠ କିରାଣି ଚିତ୍ତରଞ୍ଜନ ଲାଲଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।

ସେହିପରି ପେନସନ୍ ସୁବିଧା ବନ୍ଦ ହୋଇଥିବା ଦୁଇ ଅଧିକାରୀ ହେଲେ ଜଳସମ୍ପଦ ବିଭାଗର କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହାୟକ ଯନ୍ତ୍ରୀ ଅଶ୍ବିନୀ କୁମାର ଶର୍ମା ଓ ଜଳସମ୍ପଦ ବିଭାଗର କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ପୂର୍ବତନ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକ।

ରାଜ୍ୟ ପ୍ରଶାସନରେ ସ୍ବଚ୍ଛତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫‘ଟି’ ପ୍ରଣୟନ କରିଛନ୍ତି। ମନ୍ତ୍ରୀଙ୍କ ଦପ୍ତରଠୁ ଆରମ୍ଭ କରି ବ୍ଲକସ୍ତର ପର୍ଯ୍ୟନ୍ତ ସବୁଠି ସ୍ବଚ୍ଛତା ଆଣିବାକୁ ବାରମ୍ବାର ତାଗିଦ କରିଆସୁଛନ୍ତି। ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବି ବ୍ଲକ୍ ସ୍ତରରେ ଏବେ ବି ପିସି କାରବାର ଚାଲୁଥିବା ନେଇ ବିରୋଧୀ ବିଧାନସଭା ଭିତରେ ଓ ବାହାରେ ଅଭିଯୋଗ କରିଆସୁଛନ୍ତି। ତେବେ ଆଜି ଏକାଥରକେ ୧୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଖାସ୍ତ କରି ସରକାରଙ୍କ ଦୁର୍ନୀତିମୁକ୍ତ ଆଭିମୁଖ୍ୟର ପ୍ରମାଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେବାକୁ ଉଦ୍ୟମ କରିଛନ୍ତି।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରି କିଛି ନୂଆ କଥା କରିନାହାନ୍ତି। ଯେଉଁ ସରକାରୀ ଅଧିକାରୀମାନେ ଏ ସରକାରଙ୍କ ଇଚ୍ଛା ମୁତାବକ କାର୍ଯ୍ୟ କରୁନାହାନ୍ତି ସେମାନଙ୍କୁ ଦୁର୍ନୀତିଗ୍ରସ୍ତର ଆଖ୍ୟା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରଠାରୁ ସବୁଠି ପିସି କାରବାର ବୃଦ୍ଧି ପାଇଛି। ବାସ୍ତବରେ ଏ ସରକାରରେ ଉପରିସ୍ଥ ଅଧିକାରୀମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଥିଲେ ବି ମୁଖ୍ୟମନ୍ତ୍ରୀ ତାଙ୍କ ଆଡ଼ୁ କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଏହା କେବଳ ଲୋକଦେଖାଣିଆ ଓ ପ୍ରହସନ। ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କଠୁ ଅଫିସଠୁ ଆରମ୍ଭ କରି ପ୍ରତ୍ୟେକ ବିଭାଗରେ ଦୁର୍ନୀତି କାୟା ମେଲିବାରେ ଲାଗିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ବିଧାନସଭା ଭିତରେ ତଥ୍ୟ ପ୍ରମାଣ ସହ ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିଷୟରେ ଅଭିଯୋଗ କରାଯାଇଥିଲା। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଦୂର କଥା ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରିବା ନେଇ ମଧ୍ୟ ସରକାର କିଛି କହିଲେ ନାହିଁ। ଯଦି ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ନେଇ ଆନ୍ତରିକତା ରଖୁଛନ୍ତି ତା ହେଲେ ବିଧାନସଭା ସଦସ୍ୟମାନେ ଆଣୁଥିବା ଅଭିଯୋଗ ଉପରେ ତଦନ୍ତ କଲେ ପ୍ରଶାସନରେ ଅନେକ ସ୍ବଚ୍ଛତା ଆସିପାରନ୍ତା।

ସମ୍ବନ୍ଧିତ ଖବର