ଆକାଶ ମାର୍ଗରୁ ଦେଖିଲେ ନବୀନ

ଭୁବନେଶ୍ବର : ଗ୍ରୀଷ୍ମ ଋତୁରେ ସାମୁଦ୍ରିକ ଝଡ଼ ‘ଫନି’ ଏକ ବିରଳ ପ୍ରାକୃତିକ ବିପର୍ଯ୍ୟୟ। ଗତ ୪୩ ବର୍ଷ ମଧ୍ୟରେ ଓଡ଼ିଶାରେ ଏହା ପ୍ରଥମ ଗ୍ରୀଷ୍ମକାଳୀନ ବାତ୍ୟା। ଆଜି ସଚିବାଳୟରେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିବା ପରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହିତ ଅପରାହ୍ନରେ ପୁରୀ ଜିଲ୍ଲାର କ୍ଷୟକ୍ଷତି ନେଇ ଆକାଶ ମାର୍ଗରୁ ସର୍ଭେ କରି ଫେରିବା ପରେ ଉଚ୍ଚସ୍ତରୀୟ ବୈଠକ ଡାକି ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ଆଉ ୧୫ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର, ରିଲିଫ, ପିଇବା ପାଣି, ବିଦ୍ୟୁତ ସଂଯୋଗର ପୁନରୁଦ୍ଧାର କାର୍ଯ୍ୟ ତ୍ବରିତ ବେଗରେ କରିବାକୁ ୪ ଜଣ ବରିଷ୍ଠ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଗତ ୩ ତାରିଖରେ ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁବାର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ଏହାର ନିର୍ଦ୍ଦିଷ୍ଟ ଗତିପଥକୁ କୌଣସି ପାଣିପାଗ ସଂସ୍ଥା ଠିକ୍ ଭାବରେ ଆକଳନ କରିପାରିନଥିଲେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପୁରୀ ଜିଲ୍ଲାର କ୍ଷୟକ୍ଷତି ନେଇ ଆକାଶମାର୍ଗରୁ ପର୍ଯ୍ୟବେକ୍ଷଣ କରିବା ପରେ ସନ୍ଧ୍ୟାରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀ ପଟ୍ଟନାୟକ କହିଛନ୍ତି, ପୁରୀ ଜିଲ୍ଲାରେ ଭୀଷଣ ମାତ୍ରାରେ କ୍ଷତି ଘଟିଛି। ପିଇବା ପାଣି, ବିଦ୍ୟୁତ ସଂଯୋଗ ପୁନରୁଦ୍ଧାର କରିବା କାର୍ଯ୍ୟ ଯୁଦ୍ଧାକଳୀନ ଭିତ୍ତିରେ ଚାଲିଛି। କ୍ଷୟକ୍ଷତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ ଆଲୋଚନା କରାଯାଇଛି। ମୃତାହତଙ୍କ ସମ୍ପର୍କରେ ସଠିକ ତଥ୍ୟ ଏବେ ଆସିବା ବାକି ଅଛି। ପୁନରୁଦ୍ଧାର ଓ ଗୃହନିର୍ମାଣ ପ୍ରକ୍ରିୟାକୁ ତ୍ବାରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀ ୪ ଜଣ ବରିଷ୍ଠ ଆଇଏସ ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ବ ପ୍ରଦାନ କରିଛନ୍ତି। ନିର୍ଦ୍ଦେଶ ମୁତାବକ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସାମଗ୍ରିକ ଭାବେ ରିଲିଫ, ଉଦ୍ଧାର ଓ ବାସଗୃହ ପୁନରୁଦ୍ଧାର କାର୍ଯ୍ୟ, ପିଇବା ପାଣି ଓ ବିଦ୍ୟୁତ ସରବରାହ ପୁନରୁଦ୍ଧାର ପାଇଁ ଉନ୍ନୟନ କମିସନର ତଥା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ଦାୟିତ୍ବ ମିଳିଛି। ସେହିପରି ବିଭିନ୍ନ ଅଣ ସରକାରୀ ସଂସ୍ଥା ଓ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହିତ ସମନ୍ବୟ ରକ୍ଷାପାଇଁ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ଗଣମାଧ୍ୟମ ଓ ସାମଗ୍ରୀ ପରିବହନ ଦାୟିତ୍ବ ସୂଚନା ଓ ଲୋକସମ୍ପର୍କ ସଚିବ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଂଜୟ ସିଂହଙ୍କୁ ମିଳିଛି।

ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ବାତ୍ୟାର ପ୍ରକୋପ ଓ ବିପନ୍ନଙ୍କୁ ସ୍ଥାନାନ୍ତର ନେଇ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏଭଳି ଗ୍ରୀଷ୍ମକାଳୀନ ବାତ୍ୟା ଓଡ଼ିଶାରେ ହେବା ବିଗତ ୧୫୦ ବର୍ଷ ମଧ୍ୟରେ ଏହା ତୃତୀୟ ଘଟଣା। ବାତ୍ୟା ‘ଫନି’ର ଗତିପଥକୁ ଆକଳନ କରିବା ଏକ ଆହ୍ବାନ ଥିଲା। ବାସ୍ତବରେ ସ୍ଥଳଭାଗ ଛୁଇଁବାର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ଏହାର ନିର୍ଦ୍ଦିଷ୍ଟ ଗତିପଥ କୌଣସି ପାଣିପାଗ ସଂସ୍ଥା ଠିକ୍ ଭାବରେ ଆକଳନ କରିପାରିନଥିଲେ। କିନ୍ତୁ ଆମେ ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିଥିଲୁ। ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ବାତ୍ୟା ମାଡ଼ ହେବାର ୨୪ଘଣ୍ଟା ପୂର୍ବରୁ ରେକର୍ଡ଼ ସଂଖ୍ୟକ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାରେ ରାଜ୍ୟ ସରକାର ସକ୍ଷମ ହୋଇଥିଲେ। ଯାହାକି ଏକ ଇତିହାସ। ଗଞ୍ଜାମର ୩ ଲକ୍ଷ ୨୦ ହଜାର, ପୁରୀର ୧ ଲକ୍ଷ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୭ ହଜାର ଅସ୍ଥାୟୀ ରୋଷଶାଳ ଜରିଆରେ ୯ ହଜାର ଆଶ୍ରୟସ୍ଥଳୀରେ ଲୋକଙ୍କୁ ଖାଦ୍ୟ ଯୋଗାଣ ସମ୍ଭବ ହୋଇପାରିଛି। ୪୫ ହଜାରରୁ ଅଧିକ ସ୍ବେଚ୍ଛାସେବୀ, ୩୦ ଲକ୍ଷ ବାର୍ତ୍ତା, ୨୦୦୦ ଜରୁରୀକାଳୀନ କର୍ମୀ, ୟୁଥ କ୍ଲବ, ଏବଂ ଅନ୍ୟାନ୍ୟ ସମାଜସେବୀ ସଂସ୍ଥା, ଓଡ୍ରାଫ, ଏନଡିଆରଏଫ, ପଞ୍ଚାୟତିରାଜ ସଂସ୍ଥା ଏବଂ ସେମାନଙ୍କ ସହିତ ୧ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ କର୍ମଚାରୀ ୨୪ ଘଣ୍ଟା ନିରନ୍ତରଭାବେ ନିୟୋଜିତ ହୋଇଥିଲେ। ଖାଲି ସେତିକି ନୁହେଁ ଲୋକଙ୍କୁ ସ୍ଥାନାନ୍ତର କରିବା ସମୟରେ ଲକ୍ଷଲକ୍ଷ ଲୋକଙ୍କ ସହଯୋଗ ମିଳିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶୁକ୍ରବାର ସକାଳେ ବାତ୍ୟା ‘ଫନି’ ପୁରୀ ସ୍ଥଳଭାଗ ଛୁଇଁବା ସମୟରେ ଏହାର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟରରୁ ଅଧିକ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟାର ସର୍ବାଧିକ ବେଗ ୨୪୦ କିଲୋମିଟର ପର୍ଯ୍ୟନ୍ତ ଥିଲା। ବିଜୁଳି, ଟେଲି ଯୋଗାଯୋଗ ଓ ପାନୀୟ ଜଳ ଯୋଗାଣ ପରି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ବ୍ୟବସ୍ଥାକୁ ଏହା ଛାରଖାର କରିଦେଇଥିଲା। ଲକ୍ଷଲକ୍ଷ ଗଛ ଉପୁଡ଼ି ରାସ୍ତା ଅବରୋଧ ହେବା ସହ ଶହଶହ ଘର ଭାଙ୍ଗିଯାଇଛି। ବହୁ ସରକାରୀ ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଯାଇଛି। କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଢେଙ୍କାନାଳ, ନୟାଗଡ଼ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବା ସହ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ପ୍ରାରମ୍ବିକ ତଥ୍ୟ ଅନୁଯାୟୀ ପୁରୀ, ଖୋର୍ଦ୍ଧା ଜିଲ୍ଲାର ବହୁ ଅଂଶ ଏବଂ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଥିବା କଚ୍ଚା ଘର ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ଏଭଳି ପରିସ୍ଥିତିରେ ଲୋକଙ୍କୁ ଆଶ୍ବାସନା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି. ଲୋକଙ୍କ ସହ ସରକାର ଅଛନ୍ତି, ତାଙ୍କ ସରକାର ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ସମସ୍ତେ ସେହି ଲକ୍ଷ୍ୟ ନେଇ କାମ କରୁଛନ୍ତି। ୧୨ ଲୋକଙ୍କୁ ନିରାପଦ ସ୍ଥାନାକୁ ସ୍ଥାନାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ, ପଞ୍ଚାୟତିରାଜ ସଂସ୍ଥାର ସଦସ୍ୟବୃନ୍ଦ, ସରକାରୀ କର୍ମଚାରୀ ଏବଂ ସମସ୍ତଙ୍କୂୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ, ସାଧାରଣତଃ ଅକ୍ଟୋବରରେ ଓଡ଼ିଶା ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥାଏ। କିନ୍ତୁ ମେ’ ମାସରେ ବାତ୍ୟା ହେବ ବୋଲି ସାଧାରଣ ଲୋକଙ୍କ ସ୍ବପ୍ନରେ ବି ନଥିଲା। କିନ୍ତୁ ସମସ୍ତଙ୍କ ସହଯୋଗରୁ ଏହାର ସଫଳ ମୁକାବିଲା କରାଯାଇପାରିଲା। ଯେତେବେଳେ ସାରା ବିଶ୍ବରୁ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ପ୍ରଶ୍ନ ଆସୁଛି, ସେତେବେଳେ ପ୍ରଭାବିତ ଲୋକ ପାଣି, ବିଜୁଳି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କଥା ପଚାରୁଛି। କାରଣ ସେ ଭଲ ଭାବରେ ଜାଣିଛି ଯେ ସରକାର ତା ସହିତ ଅଛନ୍ତି। ସେ ନିରାପଦ ଏବଂ ତାର ପ୍ରୀୟଜନମାନେ ମଧ୍ୟ ସମସ୍ତେ ନିରାପଦ। ମହାବାତ୍ୟା ପରି ଏତେବଡ଼ ବାତ୍ୟା ଘଟିଥିଲେ ବି ଜନସାଧାରଣଙ୍କ ସହଯୋଗରେ ଲୋକମାନଙ୍କୁ ନିରାପଦ ରଖାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ ଆମ ବ୍ୟବସ୍ଥାର ଓ ଆମ ପ୍ରସ୍ତୁତିରେ ଏହା ହିଁ ପରିବର୍ତ୍ତନ’। ମୁଖ୍ୟମନ୍ତ୍ରୀ ଆହୁରି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି, ସରକାର ସବୁବେଳେ ପ୍ରସ୍ତୁତ। ସବୁ ପରିସ୍ଥିତିର ମୁକାବିଲା ପାଇଁ ଲୋକଙ୍କ ସହଯୋଗରେ ପୁରାପୁରି ସକ୍ଷମ।

ସମ୍ବନ୍ଧିତ ଖବର