ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ଆକଳନ ହେବ ନାହିଁ: ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ ପ୍ରସଙ୍ଗ ଆଜି ଆଉ ଏକ ନାଟକୀୟ ମୋଡ଼ ନେଇଛି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯିବ । କିନ୍ତୁ ଅଳଙ୍କାରର ଆକଳନ ହେବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି । ମନ୍ଦିର ରତ୍ନଭଣ୍ଡାର ସବକମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯାଞ୍ଚ ସମ୍ପର୍କରେ ଛତିଶାନିଯୋଗ ସହ ବୈଠକ କରାଯିବ । ଏହା ସହିତ ରତ୍ନ ଭଣ୍ଡାରରେ ପ୍ରବେଶ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମଗାଯିବ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ଅନୁମତି ପରେ ଭିତରେ ପ୍ରବେଶ କରିବାକୁ ଥିବା ଅଧିକାରୀମାନଙ୍କ ପାଇଁ ଏକ ମାନକ ପରିଚାଳନା ବିଧି (ଏସଓପି ) ପ୍ରସ୍ତୁତ କରାଯିବ । ଏସବୁ କଲାବେଳେ ସ୍ୱଚ୍ଛତା ବଜାୟ ରଖାଯିବ ଓ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦିଆଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ ୧୯୨୬ ମସିହାରେ ଓ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯାଇଥିଲା । ଏ ସଂପର୍କରେ ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସରେ ଉଲ୍ଲେଖ ଅଛି ।

ଆଜି ଦିନରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ ) ପକ୍ଷରୁ ରତ୍ନଭାଣ୍ଡାରକୁ ବାହାରୁ ବୁଲି ଦେଖିବା ପରେ ଭିତରେ ମଧ୍ୟ ଯାଞ୍ଚ କରାଯିବାର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର