କରୋନା କାରଣରୁ ସେମିଷ୍ଟର୍ ପରୀକ୍ଷା ଘୁଞ୍ଚାଇବା ଦାବି : ପରୀକ୍ଷା ନିୟନ୍ତ୍ରକଙ୍କ ଦୁର୍ବ୍ୟବହାରକୁ ନେଇ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ

ବାରିପଦା : କରୋନା କାରଣରୁ ୬ଷ୍ଠ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବି କରିଛନ୍ତି ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ। ଏହି କ୍ରମରେ ଆଜି ଏହି ସେମିଷ୍ଟର୍‌ର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଲକ୍ଷ୍ମୀଧର ଗିରିଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ। ମାତ୍ର ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଗିରି ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ। ପରୀକ୍ଷା ନିୟନ୍ତ୍ରକଙ୍କର ଏପରି ବ୍ୟବହାରକୁ ବିରୋଧ କରି ଛାତ୍ରଛାତ୍ରୀମାନେଳ ବିଶ୍ୱବିଦ୍ୟାଳୟର ମୁଖ୍ୟଫାଟକ ବନ୍ଦ କରି ଧାରଣାରେ ବସିଥିଲେ। ଏହି ସମୟରେ ମଧ୍ୟ ବିଶ୍ୱବିଦ୍ୟାଳୟର କାର୍ଯ୍ୟରତ ୨ ଜଣ କର୍ମଚାରୀ ଆସି ଧାରଣାରତ ଛାତ୍ରଛାତ୍ରୀମାନଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ତେବେ ପ୍ରାୟ ୪ଘଣ୍ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଧାରଣାରେ ବସିବା ପରେ ନିଜେ ପରୀକ୍ଷା ନିୟନ୍ତ୍ରକ ଆସି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଉଲ୍ଲେଖଯୋଗ୍ୟଯେ କରୋନା ଜନିତ ଲକ୍‌ଡାଉନ କାରଣରୁ ବାରିପଦାରେ ସମସ୍ତ ହୋଟେଲ୍, ମେସ, ହଷ୍ଟେଲ ଆଦି ବନ୍ଦ ରହିଛି। ତେବେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକ୍ରମେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୬ଷ୍ଠ ସେମିଷ୍ଟାର୍ ପରୀକ୍ଷା ଆୟୋଜନ ନେଇ ବ୍ୟବସ୍ଥା ଚାଲିଛି । ତେଣୁ ବିଶ୍ୱବିଦ୍ୟାଳୟ ଅଧିନରେ ଅଧ୍ୟନରତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପକ୍ଷେ ଉକ୍ତ ସେମିଷ୍ଟର୍ ପରୀକ୍ଷା ଦେବା ଏକ ସମସ୍ୟା ବହୁଳ ବିଷୟ ହୋଇପଡ଼ିଛି। ତେଣୁ ଏହାକୁ ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ମାତ୍ର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର