ଦୁର୍ଘଟଣାରେ ବାପାର ମୃତ୍ୟୁ ପରେ, ପୁଅର ନିବେଦନ : ସାର୍ ମୁଁ ପାଠ ପଢ଼ିବି, ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ଦିଅନ୍ତୁ

ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟରେ ଏପରି ନିବେଦନ କରିଛନ୍ତି ୧୦ ବର୍ଷର ବାପା ଛେଉଣ୍ଡ ଯୋଗେଶ୍ୱର ପାତ୍ର

ଭତ୍ତା ଟଙ୍କା, ୧୦ କେଜି ଚାଉଳରେ ଚଳୁଛି ପରିବାର
ବୁଢ଼ୀ ଆଈ ଉପରେ ୩ ପ୍ରାଣୀ କୁଟୁମ୍ବର ବୋଝ

ରାୟଗଡ଼ା : ଦୁର୍ଘଟଣାରେ ବାପା ଚାଲିଗଲେ। ବୁଢ଼ୀ ଆଈ ଏକା ସାହା ଭରସା ପାଲଟିଛି। ଭତ୍ତା ଟଙ୍କା, ୧୦ କେଜି ଚାଉଳରେ ପରିବାର ଚଳୁଥିବାରୁ ମୁଁ ପାଠ ପଢ଼ି ବଡ଼ ମଣିଷ ହେବାକୁ ଚାହୁଁଛି। ମୋତେ ସାହାର୍ଯ୍ୟ କରନ୍ତୁ। ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ଦିଅନ୍ତୁ…।

ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିକଟରେ ଏପରି ନିବେଦନ କରିଛନ୍ତି ୧୦ ବର୍ଷର ବାପା ଛେଉଣ୍ଡ ଯୋଗେଶ୍ୱର ପାତ୍ର। ଗୁଡାରି ପାଇକ ସାହିରେ ରହୁଥିବା ଯୋଗେଶ୍ୱର ସ୍ଥାନୀୟ ଇଂରାଜୀ ମିଡିୟମ୍ ସ୍କୁଲରେ ପାଠ ପଢ଼ୁଥିଲେ। ବାପାଙ୍କ ମୃତ୍ୟୁ ପରେ ଇଂରାଜୀ ମିଡିୟମ୍ ସ୍କୁଲରେ ପଢ଼ିବାକୁ ସମ୍ବଳ ନଥିବାରୁ ଗୁଡାରି ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଯୋଗେଶ୍ୱର। ସରକାରଙ୍କ ନିୟମ ମୁତାବକ ଯୋଗେଶ୍ୱର ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। କିନ୍ତୁ ଫଳାଫଳ ତାଲିକାରେ ୧୬ ନଂ ସ୍ଥାନରେ ଥିବାରୁ ଆଦର୍ଶ ବିଦ୍ୟାଳୟରେ ନାଁ ଲେଖାଇବା ନେଇ ସନ୍ଦେହ ଉପୁଜିଛି। ଫଳରେ ଆଈ ଲାବଣ୍ୟ ସାହୁଙ୍କ ସହ ରାୟଗଡ଼ା ଆସି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଯୋଗେଶ୍ୱର। ପରିବାରର ଅସୁବିଧା ସଂପର୍କରେ ଜଣାଇବା ସହ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାକୁ ସୁପାରିଶ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଯୋଗେଶ୍ୱରଙ୍କ ନିବେଦନକୁ ରକ୍ଷା କରି ଜିଲ୍ଲାପାଳ ଶ୍ରୀ ବେହେରା ଏ ଦିଗରେ ବିଚାର କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

jang.com.pk

ଗୁଡାରି ପାଇକ ସାହିର ସ୍ୱପ୍ନା ପାତ୍ର। ୧୧ ବର୍ଷ ତଳେ ଜଗନମୋହନ ପାତ୍ରଙ୍କୁ ବିବାହ କରିଥିଲେ। ଜଗନ ମୋହନ ବୃତ୍ତିରେ ବସ୍ କଣ୍ଡକ୍ଟର ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସ୍ବଳ୍ପ ଆୟ ସତ୍ତ୍ବେ ପରିବାର ଖୁସିରେ ଚଳିବା ସହ ପୁଅ ଯୋଗେଶ୍ୱରକୁ ଇଂରାଜୀ ମିଡ଼ିୟମ୍ ସ୍କୁଲରେ ପାଠ ପଢ଼ାଉଥିଲେ। ଗତ ୩ ବର୍ଷ ତଳେ ଜଗନ ମୋହନ କୌଣସି କାମରେ ବାଇକରେ ଗୁମୁଡ଼ା ଆସୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ଜଗନ ମୋହନଙ୍କ ମୃତ୍ୟୁରେ ପରିବାର ମିୟମ୍ରାଣ ହୋଇ ପଡ଼ିବା ସହ ପିଲାଙ୍କୁ ମଣିଷ କରିବା ନେଇ ଚିନ୍ତାରେ ପଡ଼ିଥିଲେ ସ୍ୱପ୍ନା। ଦୁର୍ଘଟଣା ବାବଦକୁ ଏଯାବତ୍ କୌଣସି ସରକାରୀ ସହାୟତା ମିଳିନଥିବା ବେଳେ କେବଳ ୫ ଶହ ଟଙ୍କା ଭତ୍ତା ଓ ମାସିକ ୧୦ କେଜି ଚାଉଳ ମିଳୁଛି। ଯେଉଁଥିରେ ପରିବାର ଚଳୁଛି।

ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ୱପ୍ନା ନିଜ ଘରକୁ ଚାଲି ଆସି ମାଆ ଲାବଣ୍ୟଙ୍କ ନିକଟରେ ରହୁଛନ୍ତି। ଗରିବ ସୀମାରେଖା ତଳେ ବାସ କରୁଥିବା ଏହି ପରିବାରର ସମ୍ବଳ କହିଲେ ଭତ୍ତା ଟଙ୍କା ଓ ୧୦ କେଜି ଚାଉଳ। ଜଗନ ମୋହନଙ୍କ ମୃତ୍ୟୁ ପରେ ସ୍ବପ୍ନା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଯୋଗେଶ୍ବରଙ୍କ ପାଠ ପଢ଼ା ସହ ପରିବାର ଚଳାଇବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ କଷ୍ଟରେ ପଞ୍ଚମ ପର୍ଯ୍ୟନ୍ତ ଯୋଗେଶ୍ବରଙ୍କୁ ଇଂରାଜୀ ମିଡ଼ିୟମ୍ ସ୍କୁଲରେ ପଢ଼ାଇବା ପରେ ଚଳିତ ବର୍ଷ ଗୁଡ଼ାରି ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାକୁ ଚାହିଁଛନ୍ତି। ଯୋଗେଶ୍ବର ଭଲ ପଢ଼ୁଥିବାରୁ ଆଦର୍ଶ ବିଦ୍ୟାଳୟରେ ସ୍ଥାନ ମିଳିଲେ ଭଲ ମଣିଷଟିଏ ହେବ ବୋଲି ଆଶା ରଖିଛନ୍ତି ଆଈ ଲାବଣ୍ୟ ସାହୁ। ୩ ପ୍ରାଣୀ କୁଟୁମ୍ବର ବୋଝ ଏବେ ଲାବଣ୍ୟଙ୍କ ଉପରେ ପଡ଼ିଥିବାରୁ ସରକାରୀ ସହାୟତା ଅପେକ୍ଷା ନାତି ଯୋଗେଶ୍ୱରଙ୍କ ପାଠପଢ଼ା ଉପରେ ଗୁରୁତ୍ବ ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ସାହାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି ଲାବଣ୍ୟ। ସେପଟେ ଯୋଗେଶ୍ୱର ମଧ୍ୟ ପାଠ ପଢ଼ିବାକୁ ଚାହୁଁଥିବା ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ନାତିକୁ ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବାର ଅନୁମତି ମିଳିଲେ ଅସହାୟ ପରିବାର ଚିର କୃତଜ୍ଞ ହେବେ ବୋଲି ଲୋତକଭରା ନୟନରେ ଲାବଣ୍ୟ ଜିଲ୍ଲାପାଳଙ୍କୁ କହିଛନ୍ତି। ଜିଲ୍ଲା ପ୍ରଶାସନ ଅସହାୟ ପରିବାର ପ୍ରତି ସହାୟ ହୋଇ ଯୋଗେଶ୍ବରଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର