ଓଡ଼ିଶାର ୨୬ ୱେବ୍‌ସାଇଟ୍‌କୁ ସାଇବର ଆକ୍ରମଣ ବିପଦ

ଭୁବନେଶ୍ବର : ରାଜ୍ୟର ୨୬ଟି ୱେବ୍‌ସାଇଟ୍‌କୁ ସାଇବର ଆକ୍ରମଣ ବିପଦ ରହିଛି। ଏସବୁ ୱେବସାଇଟ୍‌ରେ ସମ୍ବେଦନଶୀଳତା ବା ଭନରେବିଲିଟି ଚିହ୍ନଟ ହୋଇଛି। ତେଣୁ କେହି ଜଣେ ଅଜଣା ବ୍ୟକ୍ତି ଏସବୁ ୱେବସାଇଟ୍‌କୁ ଯାଇ କିଛି ବି ପରିବର୍ତ୍ତନ କିମ୍ବା ତଥ୍ୟ ଚୋରି କରିପାରେ। ଜାତୀୟ ବୈଷୟିକ ଗବେଷଣା ସଂସ୍ଥା(ଏନ୍‌ଟିଆରଓ) ଅଧୀନରେ ଥିବା ଜାତୀୟ କ୍ରିଟିକାଲ ସୂଚନା ଭିତ୍ତିଭୂମି ସୁରକ୍ଷା କେନ୍ଦ୍ର ବା ଏନ୍‌ସିଆଇଆଇପିସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ସୂଚନା ଦିଆଯାଇଛି। ଏସବୁ ୱେବସାଇଟ୍‌ରେ ରହିଥିବା ସମ୍ବେଦନଶୀଳତାର ସମାଧାନ ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ତାହା ସଂପର୍କରେ ଜଣାଇବାକୁ ଏନ୍‌ସିଆଇଆଇପିସି ପକ୍ଷରୁ କୁହାଯାଇଛି।

ସାଇବର ଆକ୍ରମଣ ବିପଦ ରହିଥିବା ୱେବସାଇଟ୍‌ ମଧ୍ୟରେ ବ୍ରହ୍ମପୁର ନଗର ନିଗମ, ସଂସ୍କୃତି ବିଭାଗ, ରାଜ୍ୟ ମେଧାବୃତ୍ତି ପୋର୍ଟାଲ, ରାଜ୍ୟ ଭିନ୍ନକ୍ଷମ କମିସନର, ହସ୍ତତନ୍ତ ହସ୍ତଶିଳ୍ପ ବିଭାଗ, ଭାରତୀୟ ଅର୍ଥ ବିଭାଗ, ସାମ୍‌ସ ପୋର୍ଟାଲ ପ୍ରଭୃତି ରହିଛି। ଏସବୁ ୱେବସାଇ୍‌ଟରେ ଓଟିପି ବାଇପାସ୍, କ୍ଲିକ୍‌ଜାକିଂ, ଡିରେକ୍ଟୋରି ଟ୍ରାଭେର୍ସାଲ୍‌, ଏସ୍‌କ୍ୟୁଏଲ ଇଞ୍ଜେକସନ୍, ଇ-ମେଲ ସ୍ପୁପିଂ, ଭର୍ସନ ଡିସକ୍ଲୋଜର ଭଳି ସମ୍ବେଦନଶୀଳତା ରହିଥିବା ଏନ୍‌ସିଆଇଆଇପିସି ପକ୍ଷରୁ ଦର୍ଶାଯାଇଛି। ଏନ୍‌ସିଆଇଆଇପିସିରୁ ଏଭଳି ଚିଠି ପାଇବା ପରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ବା ଓକାକ୍ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ରାଜ୍ୟ ମେଧାବୃତ୍ତି ପୋର୍ଟାଲରେ ଏଚ୍‌ଏସ୍‌ଟିଏସ୍‌ ବନ୍ଦ ରହିଥିବା ନେଇ ଚିଠି ଜାରି ହୋଇଛି। ଓକାକ୍ ପକ୍ଷରୁ କୁହାଯାଇଛି ଯେ ମେଧାବୃତ୍ତି ପୋର୍ଟାଲରେ ଯେଉଁ ସମ୍ବେଦନଶୀଳତା ରହିଛି ତାହାକୁ ତୁରନ୍ତ ସମାଧାନ କରିବା ଲାଗି ୱେବସାଇଟ୍‌ ବିକଶିତ କରିଥିବା ସଂସ୍ଥାକୁ ନିର୍ଦେଶ ଦିଆଯାଉ। ଏହାସହ ସାଇବର ସିକ୍ୟୁରିଟି ଅଡିଟ୍‌ କରିବା ସହ ‘ସେଫ୍‌ ଟୁ ହୋଷ୍ଟ’ ସାର୍ଟିଫିକେଟ୍‌ ନେବା ଜରୁରୀ।

କ’ଣ ପଦକ୍ଷେପ ନେଇଛ ଜଣାଅ : ଏନ୍‌ସିଆଇଆଇପି
ସାଇବର ସୁରକ୍ଷା ଅଡିଟ୍‌ ପାଇଁ ଚିଠି ଲେଖିଲା ଓକାକ୍‌

ସାଇବର ବିଶେଷଜ୍ଞ ଅଭିଜିତ ମହନ୍ତଙ୍କ କହିବା କଥା, ୱେବସାଇଟ୍‌ ଡିଜାଇନ୍ ସମୟରେ ଅନେକ ଡେଭଲପର ଏହାର ସୁରକ୍ଷା ପ୍ରତି ସେତେଟା ଗୁରୁତ୍ବ ଦେଇନାହାନ୍ତି। କ୍ଲିକଜାକିଂ, ଏସ୍‌କ୍ୟୁଏଲ ଇଞ୍ଜେକସନ୍, ରିଫ୍ଲେକ୍ଟେଡ୍‌ ଏକ୍ସଏସ୍‌ଏସ୍‌, ଇ-ମେଲ ସ୍ପୁଫିଂ ଭଳି ସମସ୍ୟାରେ ଜଣେ ବିନା ୟୁଜର ଆଇଡି, ପାସୱାର୍ଡ ନ ଦେଇ ବି ଜଣେ ୱେବସାଇଟ୍‌ ଖୋଲିପାରିବା, ମୂଳ ୱେବସାଇଟ୍‌ ବଦଳରେ ଅନ୍ୟ ୱେବସାଇଟ୍‌ ଲିଙ୍କ୍ ହେବା ଓ ଇ-ମେଲ ନକଲି ହେବା ଭଳି ବିପଦ ରହିଛି। କୋଡିଂରେ ଭୁଲ୍‌ ହେଲେ ଭନରେବିଲିଟି ବଢ଼ିଥାଏ। ତେଣୁ ସଂପୃକ୍ତ ୱେବସାଇଟ୍‌ର ଡେଭଲପର ଏହାର ତୁରନ୍ତ ସମାଧାନ କରିବା ଜରୁରୀ ବୋଲି ଅଭିଜିତ୍ କହିଛନ୍ତି।

ଅପରପକ୍ଷରେ ଚଳିତବର୍ଷ ଫେବ୍ରୁଆରିରୁ ମେ’ମାସ ଭିତରେ ଏନ୍‌ସିଆଇଆଇପିସି ପକ୍ଷରୁ ରାଜ୍ୟର ଯେଉଁ ଯେଉଁ ୱେବସାଇଟରେ ଏଭଳି ସମ୍ବେଦନଶୀଳତା ରହିଛି ତାହାର ସମୀକ୍ଷା କରିବା ଲାଗି କୁହାଯାଇଥିଲା। ମାତ୍ର ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂପର୍କିତ ରିପୋର୍ଟ ଦିଆଯାଇ ନ ଥିବା ଜଣାପଡ଼ିଛି। ଓକାକ୍‌ର ମହାପ୍ରବନ୍ଧକ(ପ୍ରଶାସନ) ମଧୁମିତା ରଥ କହିଛନ୍ତି, ଓକାକ୍‌ର ଏକ ଷ୍ଟେଟ୍‌ ଅଫ ଦି ଆର୍ଟ ସାଇବର ସିକ୍ୟୁରିଟି ଅପରେସନ୍ ସେଣ୍ଟର ରହିଛି। ନିୟମିତଭାବେ ଏହି ସିକ୍ୟୁରିଟି ସେଣ୍ଟର ଭନରେବିଲିଟିର ସମୀକ୍ଷା କରିଥାନ୍ତି ବୋଲି ଶ୍ରୀମତୀ ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର