ପ୍ରଥମେ ମା’ଙ୍କଠୁ ପରିଚାଳନା ଶିଖନ୍ତୁ ଛାତ୍ରଛାତ୍ରୀ: ସୌମ୍ୟ

ବିଜେବି ବିଜ‌୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ ବିଭାଗରେ ପ୍ରବେଶ ସମ‌ାରୋହ

ଭୁବନେଶ୍ବର: ପରିବାରକୁ ସୂଚାର ରୂପେ ପରିଚାଳନା କରିବାରେ ମା’ଙ୍କ ଭୂମିକା ସବୁବେଳେ ଗୁରୁତ୍ବପୂର୍ଣ୍ଣ। ପ୍ରତି ପରିବାରରେ ମା’ ଜଣେ ସଫଳ ପରିଚାଳକ। ତେଣୁ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ ଛାତ୍ରଛାତ୍ରୀମାନେ ପ୍ରଥମେ ନିଜ ମା’ଙ୍କଠାରୁ ପରିଚାଳନା ଭିତ୍ତିକ ଶିକ୍ଷା ଗ୍ରହଣ କରନ୍ତୁ। ପିଲାମାନେ ମା’ଙ୍କର ପରିବାର ପରିଚାଳନା ଦକ୍ଷତାକୁ ଅନୁଶୀଳନ କରିପାରିଲେ ହିଁ ଜୀବନରେ ସଫଳତାର ଶିଡ଼ି ଚଢ଼ିପାରିବେ। ବିଜେବି କଲେଜ ‘ବ୍ୟବସାୟିକ ପରିଚାଳନା’ ବିଭାଗ(ବିଜ‌୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌)ର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ସମ‌ାରୋହରେ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ ବିଭାଗର ମୁଖ୍ୟ ଶ୍ରୀମୟ ପରିଚ୍ଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଛାତ୍ରଛାତ୍ରୀମାନେ କେବଳ ପାଠ୍ୟ ପୁସ୍ତକ ପଢ଼ିଲେ‌ ହେବ ନାହିଁ, ଟିକେ ଅନ୍ୟମନସ୍କ ହୋଇ ଦୁନିଆକୁ ଭଲ ଭାବେ ପଢ଼ିବାକୁ ଓ ବୁଝିବାକୁ ଉଦ୍ୟମ କରିବା ଉଚିତ। ସମାଜର ସବୁ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରିଲେ, ଜୀବନରେ ଜଣେ ସଫଳ ମଣିଷ ହୋଇପାରିବ। କେବଳ କଠିନ ପରିଶ୍ରମ ସଫଳତାର ଚାବିକାଠି ନୁହେଁ, ଗଭୀର ଅଧ୍ୟବସାୟ, ବୁଦ୍ଧି, ବିବେକ ଓ ଅନୁଭବ ହିଁ ଆମକୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିବ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ତଥା କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର କହିଲେ ଯେ ନିୟମିତ କଲେଜ ଆସିବା ଏବଂ ଯାହା ପଢ଼ାଯାଉଛି, ତାହାକୁ ସଠିକ ଭାବେ ପଢ଼ିଲେ ହିଁ ଜଣେ ଭଲ ଛାତ୍ର ଭାବେ ପରିଗଣିତ ହେବା ସହ ବୃତ୍ତିଗତ ଜୀବନରେ ସଫଳତା ପାଇପାରିବ। ସେହିଭଳି ଚତୁଃପାର୍ଶ୍ବରୁ ଗ୍ରହଣ କରୁଥିବା ସକାରାତ୍ମକ ଶିକ୍ଷା ମଧ୍ୟ ଜଣେ ଛାତ୍ର ପାଇଁ ନିତ୍ୟାନ୍ତ ଆବଶ୍ୟକ। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ତଥା ଉପାଧ୍ୟକ୍ଷା ମଧୁବ୍ରତା ଶତପଥୀ କହିଲେ ଯେ ଶିକ୍ଷାନୁଷ୍ଠାନକୁ ଆସୁଥିବା ସମସ୍ତ ଛାତ୍ରଛାତ୍ରୀ ନିଜ ଜୀବନକୁ ଶୃଙ୍ଖଳିତ କରିବା ସହ ମଧୁର ବ୍ୟବହାର ଓ ସହନଶୀଳତା ଉପରେ ଧ୍ୟାନ ଦେବା ଆବଶ୍ୟକ। ସମସ୍ତଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ଜଣେ ମ୍ୟାନେଜମେଣ୍ଟ୍‌ ଛାତ୍ରର ପ୍ରଥମ କର୍ତ୍ତବ୍ୟ। ଏହି ଅବସରରେ ଅଧ୍ୟାପକ ଶିବାନନ୍ଦ ଦାସ, ଅଧ୍ୟାପିକା ସ୍ମିତା ରଏ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପିକା ପ୍ରତ୍ୟୁଷା ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶୁଭଜିତ୍‌ ରାଉଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର