ରଘୁନାଥପୁରରେ ରାଜ୍ୟପାଳଙ୍କ ‘ଫନି’ ସମୀକ୍ଷା : ସରକାର ଓ ଜନସାଧାରଣଙ୍କ ଉଦ୍ୟମକୁ ପ୍ରଶଂସା, ଲୋକଙ୍କ ଭାବାବେଗ ସହ ନଖେଳିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
ଜଗତସିଂହପୁର ଟାଉନ୍ : ଯେମିତି ଲାଗୁଛି ବାତ୍ୟା ‘ଫନି’ ପ୍ରଭୁ ଜଗନ୍ନାଥଙ୍କ ପ୍ରହାର। ଏହାକୁ ରାଜ୍ୟବାସୀ ଜଗନ୍ନାଥଙ୍କ ପ୍ରସାଦ ଭାବି ପ୍ରସନ୍ନତାର ସହ ଗ୍ରହଣ କରି ସାରିଛନ୍ତି। ‘ଫନି’ ନିଶ୍ଚିତ ଭାବେ ଦୁଃଖ ଦୁର୍ଦ୍ଦଶା ଦେଇଛି। ହେଲେ ରାଜ୍ୟରେ ଯେପରି ବାତ୍ୟା ‘ଫନି’କୁ ମୁକାବିଲା କରାଗଲା ବା ପରେ ଯେପରି କାର୍ଯ୍ୟ ଚାଲୁ ରହିଛି, ତାହା ଉତ୍ସାହଜନକ। ଏହି ଦୁଃଖ ସମୟରେ ରାଜ୍ୟ ସରକାରଙ୍କ ସୁପରିଚାଳନା, କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ଓଡ଼ିଶାବାବସୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ। ଫନି ପୂର୍ବରୁ ଓଡ଼ିଶାର ଯେଉଁ ସ୍ଥିତି ଥିଲା, ସମସ୍ତଙ୍କ ଉଦ୍ୟମ ରହିଲେ ଖୁବ୍ ଶୀଘ୍ର ପୂର୍ବ ଅବସ୍ଥାକୁ ଓଡ଼ିଶା ଫେରିଆସିବ ବୋଲି ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଭବନରୁ ବାହାରି ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟପାଳ ରଘୁନାଥପୁର ବ୍ଳକ୍ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ। ରାଜ୍ୟପାଳଙ୍କ ସମେତ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଏସ୍ପି ସୁଧା ସିଂ, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବ୍ଳକ୍ ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟପାଳ ‘ଫନି’ ମହାବାତ୍ୟାର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ।
ସମୀକ୍ଷା ସମୟରେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଅଧିକାରୀମାନେ ଲୋକଙ୍କ ଭାବାବେଗ ସହ ନଖେଳି, କୌଣସି ପାତରଅନ୍ତର ନକରି କାର୍ଯ୍ୟ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ।