ବିଦ୍ୟୁତ ଦୁର୍ଘଟଣାରେ ସହାୟତା ଘୋଷଣା: ମୃତକଙ୍କୁ ୧୦ ଲକ୍ଷ, ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ସେସୁ

ଭୁବନେଶ୍ବର : ବାତ୍ୟା ପରେ ବିଦ୍ୟୁତ ସଂଯୋଗ କାମରେ ନିୟୋଜିତ କର୍ମଚାରୀ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତ ହେଲେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ ସେସୁ ବହନ କରିବ ବୋଲି ଘୋଷଣା କରାଯାଇଛି। ସେସୁ ବରିଷ୍ଠ ସାଧାରଣ ପରିଚାଳକ(ମାନବ ସମ୍ବଳ)ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେସୁର କର୍ମଚାରୀ ହୁଅନ୍ତୁ ବା ଠିକାଦାର ଜରିଆରେ କାମ କରୁଥିବା କର୍ମଚାରୀ ପୁନରୁଦ୍ଧାର କାମରେ ଲାଗିଥିବା ଅବସ୍ଥାରେ ମୃତ୍ୟୁ ବରଣ କଲେ ବା‌ ଦିବ୍ୟାଙ୍ଗ ହୋଇଗଲେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୫ ଲକ୍ଷ ଓ ସେସୁ ପକ୍ଷରୁ ୫ ଲକ୍ଷ ଏଭଳି ୧୦ ଲକ୍ଷ ଟଙ୍କା ସହାୟତା ରାଶି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ। ଦୁର୍ଘଟଣାରେ ଆହତ ହେଲେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସେସୁ ବହନ କରିବ। ଏହା ଓଡ଼ିଶା ଭିତରେ ଓ ବାହାରୁ ଆସୁଥିବା ସମସ୍ତ ଶ୍ରମିକ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ପାଇଁ ଲାଗୁ ହେବ ବୋଲି ସେସୁ ପକ୍ଷରୁ କୁହାଯାଇଛି। ଏହି ସହାୟତା କେବଳ ଫନି ପୁନରୁଦ୍ଧାର ସମୟରେ ହିଁ ବଳବତ୍ତର ରହିବ। ଏହା ପରେ କିମ୍ବା ଏହା ପୂର୍ବରୁ କୌଣସି ପ୍ରକାରର ଘଟଣାରେ ଏହି ସହାୟତା ଦାବି କରାଯାଇ ପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଭୁବନେଶ୍ବରରେ ଏ ଯାବତ୍‌ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଓ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି। ପୁରୀରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ଏକାଧିକ ଆହତ ହୋଇଛନ୍ତି। ଯେଉଁମାନେ ପୂର୍ବରୁ ନିଜ ଖର୍ଚ୍ଚରେ ଚିକିତ୍ସିତ ହୋଇଛନ୍ତି ସେମାନଙ୍କୁ ଖର୍ଚ୍ଚ ହୋଇଥିବା ଅର୍ଥ ସେସୁ ପ୍ରଦାନ କରିବା ସହ ମୃତକମାନଙ୍କର ନିକଟ ସମ୍ପର୍କୀୟଙ୍କୁ ଏହି ଅର୍ଥ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ତା ଛଡ଼ା ଚାକିରି ସର୍ତ ମୁତାବକ ଅନ୍ୟ ସମସ୍ତ ଆର୍ଥିକ ସହାୟତା ମିଳିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର