୩ ବର୍ଷରେ ଓଡ଼ିଶାକୁ ୧୨ଲକ୍ଷ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଟାର୍ଗେଟ୍‌

ବଳକା ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶୀଘ୍ର ସାରିବାକୁ ଚିଠି ଲେଖିଲା କେନ୍ଦ୍ର

ଭୁବନେଶ୍ବର: କୋଭିଡ୍ ପାଇଁ ଓଡ଼ିଶା ସମେତ ଦେଶବ୍ୟାପୀ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାଯୋଗୁଁ ୫୦ବର୍ଷରୁ ଅଧିକ ଲୋକଙ୍କଠାରେ ଗୁରୁତର ଦୃଷ୍ଟିଶକ୍ତି ସମସ୍ୟା(ଏସ୍‌ଭିଆଇ) ଓ ଅନ୍ଧତ୍ବ ଭଳି ସମସ୍ୟା ସୃଷ୍ଟି ହେଲାଣି। ତେଣୁ ରାଜ୍ୟ ସରକାର ବଳକା ମୋତିଆବିନ୍ଦୁ ଅସ୍ତ୍ରୋପଚାରକୁ ଯଥାଶୀଘ୍ର ଶେଷ କରିବାକୁ ହେବ। ଏମିତି କହି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଆସନ୍ତା ୩ବର୍ଷର ମୋତିଆବିନ୍ଦୁ ଅସ୍ତ୍ରୋପଚାର ଟା‌ର୍ଗେଟ୍‌ ଦିଆଯାଇଛି। ଦେଶବ୍ୟାପୀ ମୋଟ ୧.୬୨କୋଟି ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେବାକୁ ଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ପ୍ରାୟ ୧୨ଲକ୍ଷ ରହିଛି। ତେବେ ଏହି ଲକ୍ଷ୍ୟ ହାସଲ ଲାଗି ବଳକା ମୋତିଆବିନ୍ଦୁ ଅସ୍ତ୍ରୋପଚାରକୁ ସାରିବା ଲାଗି ଆସନ୍ତା ଜୁନ୍‌ ମାସରୁ କେନ୍ଦ୍ର ସରକାର ‘ରାଷ୍ଟ୍ରୀୟ ନେତ୍ର ଜ୍ୟୋତି ଅଭିଯାନ’ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବା ସହିତ ଧାର୍ଯ୍ୟ ସମୟ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ନିର୍ଦ୍ଦିଷ୍ଟ ପ୍ଲାନିଂ ହୋଇ ନ ଥିବାରୁ ଆସନ୍ତା ୩ବର୍ଷରେ ଏହି ଲକ୍ଷ୍ୟ ହାସଲ ହେବ କି ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ବଳକା ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶୀଘ୍ର ସାରିବାକୁ ଚିଠି ଲେଖିଲା କେନ୍ଦ୍ର
ଜୁନ୍‌ରେ ‘ରାଷ୍ଟ୍ରୀୟ ନେତ୍ରଜ୍ୟୋତି ଅଭିଯାନ’ ଆରମ୍ଭ ହେବ ତ ?

୨୦୧୫/୧୮ ମସିହା ଭିତରେ ଜାତୀୟ ଅନ୍ଧତ୍ବ ନିୟନ୍ତ୍ରଣ ଓ ଦୃଷ୍ଟିଶକ୍ତି ଦୁର୍ବଳତା ସର୍ଭେ ରିପୋର୍ଟ ଅନୁସାରେ, ମୋତିଆବିନ୍ଦୁ କାରଣରୁ ୫୦ବର୍ଷରୁ ଅଧିକ ୧.୯୯ ପ୍ରତିଶତ ଅନ୍ଧତ୍ବ, ୧.୯୬ ପ୍ରତିଶତ ଗୁରୁତର ଦୃଷ୍ଟିଶକ୍ତି ସମସ୍ୟା ବା ଏସ୍‌ଭିଆଇ ଭୋଗିଛନ୍ତି। ଏହା କାରଣରୁ ପ୍ରତିବର୍ଷ ପ୍ରାୟ ୨୦ ପ୍ରତିଶତ ଲୋକ ଅନ୍ଧତ୍ବ ଓ ଏସ୍‌ଭିଆଇ ଆଡ଼କୁ ଠେଲି ହୋଇଯାଉଛନ୍ତି। ତେଣୁ ଏହାକୁ ରୋକିବାକୁ ହେଲେ ମୋତିଆବିନ୍ଦୁ ଅସ୍ତ୍ରୋପଚାରକୁ ତ୍ବରାନ୍ବିତ କରିବାକୁ ହେବ। ୨୦୨୨/୨୩ରୁ ୨୦୨୪/୨୫ ମସିହା ଭିତରେ କେଉଁ ରାଜ୍ୟ କେତେ ସଂଖ୍ୟକ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯିବ କେନ୍ଦ୍ର ସରକାର ତାହାର ଏକ ତାଲିକା ପ୍ରଦାନ କରିଛନ୍ତି। ଏଥିରେ ଓଡ଼ିଶାକୁ ଆସନ୍ତା ୩ବର୍ଷରେ ୧୧,୯୬,୭୦୦ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଟା‌ର୍ଗେଟ୍‌ ଦିଆଯାଇଛି। ଏଥିରେ ବି+ଏସ୍‌ଭିଆଇ ୭,୨୭,୪୦୦ ଓ ଅନ୍ୟ ଦୃଷ୍ଟିଶକ୍ତି ସମସ୍ୟା ୪,୬୯,୩୦୦ ଲକ୍ଷ୍ୟ ରହିଛି। ୨୦୨୨/୨୩ରେ ଅନ୍ଧତ୍ବ ସହିତ ଗୁରୁତର ଦୃଷ୍ଟିଶକ୍ତି ସମସ୍ୟା(ବି+ଏସ୍‌ଭିଆଇ) ୨,୦୨,୨୦୦ ଓ ଅନ୍ୟ ୧,୩୦,୪୦୦କୁ ମିଶାଇ ସମୁଦାୟ ୩,୩୨,୪୦୦ ରହିଛି। ୨୦୨୩/୨୪ରେ ୩,୯୮,୯୦୦ ଓ ୨୦୨୪/୨୫ରେ ୪,୬୫,୪୦୦ ଲକ୍ଷ୍ୟ ରହିଛି।

ଧାର୍ଯ୍ୟ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଲକ୍ଷ୍ୟ ହାସଲ କରିବା ପାଇଁ ଜିଲ୍ଲାମାନଙ୍କୁ ଗୋଟିଏ ଲେଖାଏ ପ୍ଲାନିଂ ୟୁନିଟ୍‌ ଭାବେ ଗ୍ରହଣ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ, ପ୍ରତ୍ୟେକ ଜିଲ୍ଲା ୨୦୨୪/୨୫ ସୁଦ୍ଧା ନିଜ ଜିଲ୍ଲାକୁ ‘ମୋତିଆବିନ୍ଦୁ ମୁକ୍ତ ଜିଲ୍ଲା’ ଭାବେ ଘୋଷଣା କରିବେ। ଜୁନ୍ ପହିଲାରୁ ଏହାକୁ ଆରମ୍ଭ କରିବା ଲାଗି କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି। ମାତ୍ର ରାଜ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ଜଳ ଜଳ ଦିଶିଲାଣି। ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଅପ୍‌ଥାଲମିକ୍ ଆସିଷ୍ଟାଣ୍ଟ ନାହାନ୍ତି। ତେଣୁ ଏସବୁ ନ ଥିବା ଜିଲ୍ଲାରେ କ’ଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ନେଇ ସରକାରୀସ୍ତରରେ ଉଦ୍ୟମ ହେଉନାହିଁ। ଯାହାଫଳରେ ଜୁନ୍ ମାସରୁ ‘ରାଷ୍ଟ୍ରୀୟ ନେତ୍ରଜ୍ୟୋତି ଅଭିଯାନ’ ଆରମ୍ଭ ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି। ରାଜ୍ୟ ସରକାର ମଧ୍ୟ ଅନ୍ଧତ୍ବ ଦୂରୀକରଣ ପାଇଁ ନିଜସ୍ବ ଖର୍ଚରେ ସାବର୍ଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସୁନେତ୍ର’ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ୨୦୨୨ ସୁଦ୍ଧା ୨୫ ପ୍ରତିଶତ ଅନ୍ଧତ୍ବ ଦୂରୀକରଣ ଲକ୍ଷ୍ୟ ରହିଥିଲା।

ସମ୍ବନ୍ଧିତ ଖବର