ସନସାଇନ୍ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଧରାଇଦେଲେ ମିଳିବ ୧ ଲକ୍ଷ ଟଙ୍କାର ପୁରସ୍କାର

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ କଲେ କଂଗ୍ରେସ କର୍ମୀ

ବଲାଙ୍ଗୀର/ଭୁବନେଶ୍ୱର: ପୁଲିସ୍ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ବାବଦରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର। ପୁଲିସ ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରାଯିବା ପରେ ପ୍ରଥମେ ତାଙ୍କ ସଂପର୍କରେ ସୂଚନା ଦେଲେ ୨୦,୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି କୁହାଯାଇଥିଲା। ପରେ ଏହି ପୁରସ୍କାର ରାଶିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ଗୋବିନ୍ଦ ସାହୁଙ୍କ ପୋଷ୍ଟର୍ ଜାରି କରିଛି ପୁଲିସ। ଏହା ପୂର୍ବରୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଜାରି କରିଥିଲା ପୋଲିସ । ବଲାଙ୍ଗୀର ଏସପିଙ୍କ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିଲା । ଏଥିରେ ୨ଟି ଫୋନ ନମ୍ବର ଦିଆଯାଇଛି । ବଲାଙ୍ଗିର ଏସପିଙ୍କ ମୋବାଇଲ ନମ୍ବର ୮୨୮୦୦୭୨୫୮୬ ଏବଂ ଏସପିଙ୍କ କାର୍ଯ୍ୟାଳୟର ନମ୍ବର ୦୬୬୫୨-୨୩୪୦୨୧। ଗୋବିନ୍ଦଙ୍କ ସଂପର୍କରେ ସୂଚନା ଏହି ଦୁଇଟି ନମ୍ବରରେ ଏସପିଙ୍କୁ ଜଣାଇବା ପାଇଁ କୁହାଯାଇଛି ।

ମମିତା ମେହେର ନିଖୋଜ ମାମଲାରେ ଗୋବିନ୍ଦଙ୍କୁ ପୁଲିସ ଉଠାଇ ଆଣିଥିଲେ ବି ସେ ପୁଲିସ ହେପାଜତରୁ ଫେରାର୍ ହୋଇଯାଇଥିଲେ । ଯାହା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ମମିତା ମେହେରଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି ।

ଆଉ ଏହାକୁ ନେଇ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଉପରକୁ ଅଣ୍ଡା ଓ ଢେଲାମାଡ କରାଯାଇଛି | ପୁଲିସ ଏହି ଘଟଣାରେ ଛାତ୍ର କଂଗ୍ରେସର କିଛି କର୍ମୀଙ୍କୁ ଅଟକ ରଖିଛି | ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜର କିଛି ଦିନ ପରେ ପଚରାଉଚରା ଲାଗି ଆସିଥିବା ସ୍କୁଲ୍ ମାଲିକ ଗୋବିନ୍ଦ ସାହୁ ଟିଟଲାଗଡ଼ ପୁଲିସ ବାରାକରୁ ଚମ୍ପଟ ମାରିଥିଲେ। ଫଳରେ, ଘଟଣା ଭିନ୍ନମୋଡ଼ ନେଇଛି। ଗୋବିନ୍ଦଙ୍କ ଫେରାର ପରେ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପୁଲିସର ନିଦ ହଜିଯାଇଛି। ସୋମବାର ସନ୍ଧ୍ୟାରେ କଳାହାଣ୍ଡି ଓ ବଲାଙ୍ଗୀର ପୁଲିସ ପକ୍ଷରୁ ବୋର୍ଡ଼ା ଫାଣ୍ଡିରେ ସ୍କୁଲ୍ ଓ କଲେଜର କିଛି କର୍ମଚାରୀଙ୍କୁ ଜେରା କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ କଲେଜର ଅଧ୍ୟକ୍ଷ ରଣଜିତ ସାହୁଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି।

ଏଣେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାର ତଦନ୍ତ ନୂଆ ମୋଡ଼ ନେଇଛି। ଆଜି ସକାଳୁ କଳାହାଣ୍ଡି ଓ ଗୋଳାମୁଣ୍ଡା ପୁଲିସ ମହାଳିଙ୍ଗ ହାଇସ୍କୁଲର ନିର୍ମାଣାଧୀନ ଷ୍ଟାଡିୟମରେ ଜେସିବି ସହାୟତାରେ ଖୋଳିବା ଆରମ୍ଭ କରିଥିଲେ। ପୁଲିସ୍ ଏକ ଦଗ୍ଧ ତଥା ଗଳିତ ମୃତଦେହ ମାଟି ତଳୁ ଉଦ୍ଧାର କରିଛି। ଏହି ଶବ ନିଖୋଜ ମମିତାଙ୍କର କି ନୁହେଁ ସେଥିପାଇଁ ପୁଲିସ ପକ୍ଷରୁ ପରିବାରକୁ ଡକାଯାଇଛି। ବଲାଙ୍ଗୀର ପୁଲିସ ପକ୍ଷରୁ ଗଳିତ ଶବର ଡିଏନଏ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର