ସୀମା ସେପଟେ ଚୀନ ସେନା ନିୟମିତ ଯୁଦ୍ଧାଭ୍ୟାସ କରୁଛି : ଭାରତୀୟ ସେନା

ନୂଆଦିଲ୍ଲୀ : ଚୀନ ପଟୁ ଭାରତ ପ୍ରତି ବିପଦ ଆଶଙ୍କା ଦିନକୁ ଦିନ ବଢିଚାଲିଛି ।  ତିବ୍ବତ ସ୍ବୟଂଶାସିତ ଅଂଚଳରେ ଚୀନ ସେନାର ସମରାଭ୍ୟାସ ଏକ ନିୟମିତ ଘଟଣାରେ ପରିଣତ ହେଲାଣି ବୋଲି ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଅରୁଣାଚଳ ପ୍ରଦେଶର ଏକ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ପୂର୍ବାଞ୍ଚଳ ସେନା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ମନୋଜ  ପାଣ୍ଡେ କହିଛନ୍ତି ଯେ ସୀମା ସେପଟେ ଚୀନ ସେନାର କାର୍ଯ୍ୟକଳାପ ପୂର୍ବାପେକ୍ଷା ଅନେକ ଗୁଣରେ ବଢିଯାଇଛି । ପିଏଲଏର କିଛି ରିଜର୍ଭ ବାଟାଲିୟନ ମଧ୍ୟ ସୀମାବର୍ତ୍ତୀ ଇଲାକା ନିକଟରେ ରହିଛନ୍ତି । ଅନ୍ୟପକ୍ଷରେ ସୀମାର ଦୁଇପଟେ ଦୁଇଦେଶ ପକ୍ଷରୁ ଭିତ୍ତିଭୂମି ନିର୍ମାଣ କରାଯାଇଥିବାରୁ ଦୁଇ ସୀମା ସୁରକ୍ଷା ଯବାନ ସଂଖ୍ୟା ବଢିଛି । ଏହା ମଧ୍ୟ ଉତ୍ତେଜନାକୁ ବଢାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୀମାକୁ ନେଇ ଉଭୟ ଦେଶ ମଧ୍ୟରେ ଭିନ୍ନ ଭିନ୍ନ ମତ ରହିଛି । ଏଣୁ ପାଟ୍ରୋଲିଂ ବେଳେ ଦୁଇ ଦେଶର ସେନା ମଧ୍ୟରେ ମତଭେଦ ଓ  ବିବାଦ ଦେଖାଦେଉଛି ।  ଚୀନ ସେନାର ବଢିଚାଲିଥିବା କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସର୍ବାଧିକ ସତର୍କତା ଅବଲମ୍ବନ କରୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର