ବିଧାନସଭା ସମ୍ମୁଖରେ ଗର୍ଜିଲେ ପାଚିକା ସହାୟିକା

ଭତ୍ତା ବଢ଼ିଲା ହଜାର ଟଙ୍କା

ଭୁବନେଶ୍ୱର : ୩ଟି ସଂଗଠନ ସହିତ ଅନୁବନ୍ଧିତ ପାଚିକା ସହାୟିକାମାନେ ଆଜି ବିଧାନସଭା ସମ୍ମୁଖରେ ଗର୍ଜିଛନ୍ତି। ବିଭିନ୍ନ ଦଫା ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ସମନ୍ଵୟ ସମିତି ଡାକରାରେ ହଜାର ହଜାର ପାଚିକା ସହାୟିକା ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପରେ ସଂଘର କର୍ମକର୍ତାଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ସହ ଆଲୋଚନା ହୋଇଥିଲା। ଏଥିରେ ଆପୋଷ ବୁଝାମଣା ଜରିଆରେ ପାଚିକା ସହାୟିକାଙ୍କ ୧ହଜାର ଟଙ୍କା ଭତ୍ତା ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାବର୍ଷ ଜାନୁଆରି ମାସରୁ ବର୍ଦ୍ଧିତ ୪ଶହ ଟଙ୍କା ଓ ଏପ୍ରିଲ ମାସରୁ ବଳକା ୬ଶହ ଟଙ୍କାକୁ ମିଶାଇ ୧ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ। ଏବେ ପାଚିକା ସହାୟିକାଙ୍କୁ ୧ହଜାର ଟଙ୍କା ଦିଆଯାଉଛି। ଏହାସହ ଡ୍ରେସ୍‌ ପାଇଁ ସେମାନଙ୍କୁ ୨୫୦ଟଙ୍କା ଓ ହାଇସ୍କୁଲରୁ ଅଷ୍ଟମ ଶ୍ରେଣୀ ପୃଥକ କାରଣରୁ ଛଟେଇ ହୋଇଥିବା ପାଚିକା ସହାୟିକାଙ୍କୁ ନିଯୁକ୍ତି ଦିଆଯିବା ଉପରେ ମଧ୍ୟ ନିଷ୍ପତ୍ତି ହୋଇଥିବା ଜୟନ୍ତ ଦାସ ସୂଚନା ଦେଇଛନ୍ତି। ଆଲୋଚନାରେ ଏଆଇଟିୟୁସର ବିଜୟ ଜେନା, ସିଆଇଟିୟୁର ରାଧାରମଣ ଷଡ଼ଙ୍ଗୀ ଓ ଇଶାନ୍ତୀ ଷଡ଼ଙ୍ଗୀ ଓ ଏଆଇଟିୟୁସରର ରାଜକିଶୋର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ବିକ୍ଷୋଭରେ ରାଧାରମଣ ଷଡ଼ଙ୍ଗୀ, ଦେବାଶିଷ ଘୋଷ, ବିଷ୍ଣୁ ଦାସ, ଲମ୍ବୋଦର ନାୟକ, ସୌରୀବନ୍ଧୁ କର, ଜୟସେନ ମେହେର, ରାମକୃଷ୍ଣ ପଣ୍ଡା, ବିଜୟ ଜେନା, ଈଶାନୀ ଷଡ଼ଙ୍ଗୀ, କ୍ଷୀରମଣି ମହନ୍ତ, ସୁରେଶ ରାଉତରାୟ, ମମତା ଜେନା, ଲୋଭାକାନ୍ତ ସ୍ୱାଇଁ, କମଳ ଷଣ୍ଢ, ମୃତ୍ୟୁଞ୍ଜୟ ରାଉତ, ରେଣୁକା ଦୋରା, ପ୍ରଦୀପ୍ତ ରାମ ଓ ବ୍ରଜବନ୍ଧୁ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର