ଚାଷୀ ମେରୁଦଣ୍ଡ ଉପରେ ପ୍ରହାର : ପାନ, ଧାନ ଚାଷ ଉଜୁଡ଼ିଯାଇଛି

(ନିମାପଡ଼ାରୁ ବିଶ୍ବଜିତ ଦାଶଙ୍କ ରିପୋର୍ଟ), ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ମିଟେଇପୁର ପଞ୍ଚାୟତର ଚାଉଳବସ୍ତ ଗ୍ରାମର ଜୀବନ ଜେନା। ଖରିଫ ଚାଷ କରି ଯାହା କିଛି ରୋଜଗାର କରିଥିଲେ ତାକୁ ପାନ ବରଜରେ ଲଗାଇଥିଲେ। ମାର୍ଚ୍ଚ ମାସରେ ପ୍ରାୟ ଅଧ ଏକର ଜମିରେ ପାନ ଚାଷ କରିବାକୁ ୪୦ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଶୁକ୍ରବାର ସକାଳେ ଯେତେବେଳେ ବାତ୍ୟା ପବନ ମାଡ଼ି ଆସିଲା ସେ ପାନ ବରଜକୁ ବଞ୍ଚାଇବାକୁ ପରିବାର ଲୋକଙ୍କ ସହ ବରଜ ଭିତରେ ପଶିଗଲେ। ଭାଇ, ସ୍ତ୍ରୀ, ପୁଅ ସମସ୍ତେ ବରଜର ତାଟିକୁ ବାହାର ପଟକୁ ଠେଲି ଧରିଲେ। ହେଲେ ପବନର ବଳ ଏତେ ଥିଲା ଯେ, ୫ମିନିଟ ପରେ ବରଜର ତାଟି ସମସ୍ତଙ୍କ ଉପରେ ଅଜାଡ଼ି ହୋଇଗଲା। ଆଖି ଆଗରେ ପାନ ବରଜ ମୋଡି ମକଚି ହୋଇ ମାଟିରେ ମିଶିଗଲା।

ଏବେ ଆଉ ୨୦ହଜାର ଖର୍ଚ୍ଚ କଲେ ପାନ ବରଜ ଛିଡ଼ା ହେବ। ପାଖରେ ଏତିକି ଟଙ୍କା ନାହିଁ। ହେଲେ ବରଜ ଭିତରେ ବଞ୍ଚିଥିବା ପାନ ଗଛ ଦେଖିଲେ ପୁଣି ପାନବରଜକୁ ଛିଡ଼ା କରିବାକୁ ମନ କହୁଛି। ଯଦି ଭଲ ପାନ ହେଲା ତେବେ ଋଣ ସୁଝିବେ। ଏହହି ଆଶାରେ ପାଖରେ ଧନ ନଥିଲେ ବି ମନ କଥା ଶୁଣି ଜୀବନ ମହାଜନ ଠାରୁ ୧୫ହଜାର ଟଙ୍କା ଧାର ଆଣି ଏବେ ବାଉଁଶ ଫାଳିଆ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି।

ଜୀବନଙ୍କ ପରି ଏବେ ଅସ୍ତରଙ୍ଗ, କାକଟପୁର, ନିମାପଡ଼ା, ବାଲିପାଟଣା ଅଞ୍ଚଳର ଶହ ଶହ ଚାଷୀ ଉଜୁଡ଼ା ପାନ ଚାଷକୁ ଉଠାଇବାକୁ ଲାଗିପଡ଼ିଛନ୍ତି। କିଏ ଧାର ଉଧାର କରି ଟଙ୍କା ଆଣିଛି ତ କାହାର ପରିବାର ‌େଲାକ ପାନ ବରଜକୁ ସଜାଡ଼ିବାରେ ବ୍ୟସ୍ତ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ବାତ୍ୟା ଯାହା ତ ଉଜାଡ଼ିବା କଥା ଉଜାଡ଼ିଦେଲା। ଯଦି ଏହି ପାନ ବରଜ ଛିଡ଼ା ନହେବ ତେବେ ଆମେ ଛିଡ଼ା ହେବା ବି ସମ୍ଭବ ନୁହେଁ।

ଆଜି ସାଇଲ ଛକ ନିକଟରେ ବହୁ ପାନ ଚାଷୀ ବରଜ ପାଇଁ ବାଉଁଶ ଫାଳିଆ ଯୋଗାଡ଼ କରିବାକୁ ଏକାଠି ହୋଇଥିବାବେଳେ ସମସ୍ତଙ୍କର ଏହି ଗୋଟିଏ କଥା। ଯେଉଁ ଛୋଟ ବାଉଁଶ ଫାଳିଆ ୧୦୦ଟାକୁ ୧୫୦୦ଟଙ୍କା ଥିଲା ତାହା ଏବେ ୩ହଜାର ଟଙ୍କାରେ ବିକ୍ରି ହେଉଛି। ବଡ଼ ଫାଳିଆ ୮୦ଟାକୁ ୨୪୦୦ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ୫ହଜାର ଟଙ୍କାରେ ବିକ୍ରି ହେଉଛି। ପାନ ବରଜ ଛିଡ଼ା କରିବାକୁ ଯେଉଁମାନେ ୭୦୦ଟଙ୍କା ମଜୁରି ନେଉଥିଲେ ସେ ଏବେ ୯୦୦ଟଙ୍କା ‌ନନେଲେ ବରଜ ଭିତରେ ପଶିବେନି ବୋଲି କହୁଛନ୍ତି। ସ୍ଥିତି ଏମିତି ହୋଇଛି ଯେ, ମଲାଠୁ ଘୋଷଡ଼ା ବଳି ପଡ଼ିଛି।

ବାତ୍ୟାରେ ପାନ ବରଜ ନଷ୍ଟ ହେବାର ପ୍ରଭାବ ଏବେ ରାଜଧାନୀ ଉପରେ ପଡ଼ିଛି। ରାଜଧାନୀରେ ଏବେ ପାନ ମିଳୁନଥିବାବେଳେ ଅଧିକାଂଶ ପାନ ଦୋକାନୀ ପାନ ପତ୍ର ପାଉନଥିବାରୁ ଦୋକାନ ବନ୍ଦ କରିଦେଇଛନ୍ତି। ଯିଏ ପାନ ବିକୁଛନ୍ତି ପାନ ଗୋଟା ୩ରୁ ୫ଟଙ୍କା ହିସାବରେ ବିକୁଛନ୍ତି।

କେବଳ ପାନ ଚାଷ ପ୍ରଭାବିତ ହୋଇନି। ଧାନ ଚାଷ ବି ଘୋର୍ ପ୍ରଭାବିତ ହୋଇଛି। କ୍ଷେତରେ ଧାନ ପାଚି ଯାଇଥିବା‌େବଳେ ଅଧା ଗଛ ପାଣିରେ ବୁଡ଼ି ରହିଛି। ଅଧିକାଂଶ ସ୍ଥାନରେ ତ ଧାନ ଗଛ ଶୋଇପଡ଼ିଥିବାବେଳେ ପାଚିଲା ଧାନ କେଣ୍ଡା ପାଣି ଭିତରେ ବୁଡ଼ିକି ଅଛି। ଏମିତି ସ୍ଥିତି ହୋଇଛି ଯେ, ନା ଚାଷୀ ଧାନ କାଟି ପାରୁଛି ନା ଧାନ ବିଲରୁ ପାଣି କାଢ଼ି ପାରୁଛି। କେବଳ ମୁଣ୍ଡରେ ହାତ ଦେଇ ବସିଛି। ବାତ୍ୟା ଫନି ଏବେ ଚାଷୀର ମେରୁଦଣ୍ଡକୁ ପୂରା ଭାଙ୍ଗିଦେଇଛି।

ନିମାପଡ଼ା ବ୍ଲକର ସାଇଲ ଅଞ୍ଚଳର ଚାଷୀ ହେମନ୍ତ ସାହୁ କହିଛନ୍ତି ଯେ, ୫୦ହଜାର ଟଙ୍କା ସୁଧକୁ ଆଣି ଧାନ କରିଥିଲି। ଆଉ ୧୫ଦିନ ଯାଇଥିଲେ ଧାନ କାଟିଥାନ୍ତି। ହେଲେ ବାତ୍ୟା ମାଡ଼ରେ ଧାନ ଶୋଇଗଲା। ବର୍ଷା ପାଣି ବିଲରେ ଜମିକି ଥିବାରୁ ପାଚିଲା ଧାନ ଗଜା ହୋଇଗଲାଣି। ଯେଉଁଠି ଧାନ ଗଛ ତଳେ ପଡ଼ିନି ସେଠାରେ ପାଣି ଜମି ଗଛ ମୂଳ ସଢ଼େଇ ଦେଲାଣି। ବାତ୍ୟାରେ ଘରଦ୍ବାର ସବୁ ଭାଙ୍ଗିଛି। ବିଲରେ ଧାନ ଭଲ ହୋଇଥିବାରୁ ଭାବିଥିଲି ଧାନ ବିକି କିଛି କରିହେବ। ହେଲେ ବିଲକୁ ଆସିଲାବେଳକୁ ବିଲରେ ଆଣ୍ଠୁଏ ଉଚ୍ଚରେ ପାଣି। ଏବେ କ’ଣ କରିବି କିଛି ଭାବିପାରୁନି। ପିଲାଙ୍କ ଭବିଷ୍ୟତ କଥା ଭାବିଲା ବେଳକୁ ମୁଣ୍ଡ ବୁଲାଇ ଯାଉଛି।

ନିମାପଡ଼ା, ଗୋପ, ବାଲିପାଟଣା ବ୍ଲକରେ ଏବେ ଧାନ, ପାନ ଚାଷୀଙ୍କ ସର୍ବସ୍ବ ଉଜୁଡ଼ି ଯାଇଥିବାବେଳେ ଏପର୍ଯ୍ୟନ୍ତ ପ୍ରଶାସନ ତାଙ୍କ ନିକଟରେ ପହଞ୍ଚିପାରିନି। କେବଳ ରାସ୍ତା ଉପରୁ ଗଛ କାଟିବା ଛଡ଼ା ପ୍ରଶାସନ ଆଉ କିଛି ସହାୟତା ଦେଇପାରିନି ବୋଲି ଏହି ଅଞ୍ଚଳର ଲୋକ କହିଛନ୍ତି।

ବାତ୍ୟାରେ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଯଦିଓ ବିଶେଷ କ୍ଷୟକ୍ଷତି ହୋଇନି କିନ୍ତୁ ପବନରେ କିଛି ଗଛ ଭାଙ୍ଗିଥିବାବେଳେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଛି। ଫଳରେ ବାତ୍ୟାର ପ୍ରଭାବ ଜୋର୍‌ ନଥିଲେ ବି ଏହି ଅଞ୍ଚଳରେ ଏବେ ଅନ୍ଧାର ରାଜୁତି କରିଛି। କେବେ ବିଦ୍ୟୁତ ସରବରାହ ସ୍ବାଭାବିକ ହେବ ତାହାକୁ ସମସ୍ତଙ୍କର ଅପେକ୍ଷା।

ଏପଟେ ନିମାପଡ଼ା, ଗୋପ ଓ ବାଲିପାଟଣା ବ୍ଲକରେ ବାତ୍ୟାର ବିଭୀଷିକା ୧୯୯୯ ମହାବାତ୍ୟାକୁ ବଳି ଯାଇଛି। ହଜାର ହଜାର ଘର ମାଟିରେ ମିଶି ଯାଇଛି। କେଉଁଠି ଦୋକାନ ଉପରେ ଗଛ ପଡ଼ି ଚୁରମାର ହୋଇଯାଇଛି ତ କେଉଁଠି କ୍ୟାବିନ୍ ଉଡ଼ିକି ଯାଇ କେନାଲ ଭିତରେ ପଡ଼ିଛି। ଘରେ ଖାଇବାକୁ କେବଳ ଚାଉଳ ଓ ଭାଙ୍ଗି ଯାଇଥିବା ନଡ଼ିଆ ଗଛରୁ ଗୋଟାଇ ଆଣିଥିବା ନଡ଼ିଆ ଅଛି। ପଖାଳ ନଡ଼ିଆ ଖାଇ କେତେଦିନ ରହିହେଉଛି ତାହା ଏବେ ଲୋକ ଗଣୁଛନ୍ତି।

ସମ୍ବନ୍ଧିତ ଖବର