ପାଣ୍ଡିଆନଙ୍କ ଅଡ଼ୁଆ ବଢ଼ିଲା: ଅଭିଯୋଗ କରିଥିଲେ ଅପରାଜିତା, ମନମୋହନ

ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର, ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି କେ ପାଣ୍ଡିଆନଙ୍କୁ ନେଇ ଉଠିଥିବା ଝଡ଼ ଆଜି ଭିନ୍ନ ମୋଡ଼ ନେଇଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ୍ ସର୍ବଭାରତୀୟ ପ୍ରଶାସନିକ ସେବା ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟରେ ପହଞ୍ଚିଛି। ଏହି ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ। କେନ୍ଦ୍ରର ଏହି ଚିଠି ରାଜନୈତିକ ଓ ପ୍ରଶାସନିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଏଥିସହିତ ଶ୍ରୀ ପାଣ୍ଡିଆନଙ୍କୁ ନେଇ ସରକାରଙ୍କ ଅଡ଼ୁଆ ବଢ଼ିଛି। ଗତ ୨୪ ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଶ୍ରୀ ପାଣ୍ଡିଆନଙ୍କ ସମ୍ପର୍କରେ ଲିଖିତ ଭାବେ ଅବଗତ କରାଇଥିଲେ।

ଏଥିରେ ସେମାନେ ଦର୍ଶାଇଥିଲେ, ଓଡ଼ିଶାରେ ଜଣେ ଆଇଏଏସ୍‌ ଅଧିକାରୀ ରାଜନୈତିକ କାର୍ଯ୍ୟକଳାପରେ ସିଧାସଳଖ ସଂପୃକ୍ତି ହେବା ସହ ପ୍ରକଳ୍ପ ଘୋଷଣା କରୁଛନ୍ତି ଓ ଜନସଭାକୁ ଉଦ୍‌ବୋଧନ ଦେଉଛନ୍ତି। ଏହି ଅଧିକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀ ତରଫରୁ ଏହିସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାର ଦାବି କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ସେମିତି କିଛି ନିର୍ଦ୍ଦେଶ ନଥିବା ଜଣାପଡ଼ିଛି। ଯଦି ବି କ୍ଷେତ୍ରକୁ ଯାଇ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବାକୁ ନିର୍ଦ୍ଦେଶ ଅଛି, ତେବେ ସେହି ଅଧିକାରୀ ଜଣଙ୍କ ତଦାରଖ ବାହାନାରେ କଣ୍ଡକ୍ଟ ରୁଲ୍‌କୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ସଚିବ ସ୍ତରୀୟ ଏହି ଅଧିକାରୀ ରାଜ୍ୟ ସରକାରଙ୍କ ହେଲିକପ୍ଟର୍‌ରେ ସାରା ରାଜ୍ୟ ବୁଲୁଛନ୍ତି। ବିଜେଡିର ଦଳୀୟ ସଭା ପରି ବନ୍ଧାଯାଇଥିବା ଟେଣ୍ଟ୍‌ ତଳେ ଆୟୋଜିତ ସଭାରେ ସେ ଯୋଗ ଦେଉଛନ୍ତି। ବିଜେଡିର ନେତାମାନେ ହିଁ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଲୋକମାନେ ତାଙ୍କ ଉପରକୁ ଫୁଲ ପକାଉଛନ୍ତି ଓ ସେ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରୁଛନ୍ତି। ଏସବୁ ଦ୍ବାରା ଓଡ଼ିଶାର ଶାସନ ବ୍ୟବସ୍ଥା ପୂରା ବିଶୃଙ୍ଖଳିତ ହୋଇପଡ଼ିଛି। ଆଇଏଏସ୍‌ ଅଧିକାରୀମାନେ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲ୍‌କୁ ମାନିବାକୁ ବାଧ୍ୟ। ଚାକିରିରେ ଥିବା ଜଣେ ଅଧିକାରୀ ଏପରି କାମ କରୁଥିବାର ଉଦାହରଣ ସାରା ଦେଶରେ କେଉଁଠି ନାହିଁ।

ଏହି ଅଧିକାରୀଙ୍କ ଏପରି କାର୍ଯ୍ୟକଳାପ ଦ୍ବାରା ଯୁବ ଅଧିକାରୀମାନେ ଭ୍ରମିତ ହେଉଛନ୍ତି ଓ ଏହା ଏକ ଭୁଲ୍‌ ଉଦାହରଣ ସୃଷ୍ଟି କରୁଛି। ତେଣୁ ତୁରନ୍ତ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଅନୁରୋଧ କରାଯାଇଥିଲା। ଶ୍ରୀ ପାଣ୍ଡିଆନ୍ କିପରି ସର୍ଭିସ୍‌ ରୁଲ୍ ଉଲ୍ଲଂଘନ କରୁଛନ୍ତି ତାହାର ପ୍ରମାଣ ସ୍ବରୂପ ଫଟୋ ଓ ଭିଡିଓ ମଧ୍ୟ ଦାଖଲ କରାଯାଇଥିଲା। ଏହି ଚିଠି ପାଇବାର ୪୮ ଘଣ୍ଟା ପରେ ଅର୍ଥାତ ଗତକାଲି କେନ୍ଦ୍ର କାର୍ମିକ ଓ ତା‌ଲିମ୍‌ ବିଭାଗ ଆଜି ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ‌ଲେଖିଛି। ଚିଠି ସହ ଶ୍ରୀମତୀ ଷଡ଼ଙ୍ଗୀ ଦେଇଥିବା ଅଭିଯୋଗପତ୍ର, ସିଡି ଓ ପେନ୍‌ଡ୍ରାଇଭ୍‌ ମଧ୍ୟ ସଂଯୋଗ କରାଯାଇଛି। ଶ୍ରୀ ପାଣ୍ଡିଆନ ଓଡ଼ିଶା କ୍ୟାଡର୍‌ର ହୋଇଥିବାରୁ ମୁଖ୍ୟ ଶାସନ ସଚିବ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ତେବେ କାର୍ଯ୍ୟାନୁଷ୍ଠାନ କେବେ ସୁଦ୍ଧା ହେବ ଓ ତାହାର ସ୍ବରୂପ କିପରି ରହିବ, ସେ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ। କେନ୍ଦ୍ରର ଚିଠି ଉପରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଟ୍ବିଟ୍‌ କରି କହିଛନ୍ତି, ଆଶା ରଖିବା ‌ଯେ ଆଇନକୁ ତା’ ବାଟରେ ଯିବା ପାଇଁ ସୁଯୋଗ ଦିଆଯିବ।

ସମ୍ବନ୍ଧିତ ଖବର