ପରଲୋକରେ ବିଶିଷ୍ଟ ମଞ୍ଚ ଅଭିନେତା ପରମାନନ୍ଦ

ବାଲେଶ୍ବର : ବିଶିଷ୍ଟ ମଞ୍ଚ ଅଭିନେତା, ଚଳଚ୍ଚିତ୍ର ଓ ଟେଲିଭିଜନ ଧାରାବାହିକର ଖ୍ୟାତନାମା କଳାକାର ପରମାନନ୍ଦ ସାହୁ(୭୨)ଙ୍କର ଆଜି ବାଲେଶ୍ବରସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ତାଙ୍କ ମୃତ୍ୟୁରେ ନାଟ୍ୟପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ସହରର ବହୁ ଗଣମାନ୍ୟ ବ୍ୟକ୍ତି, ମଞ୍ଚ ନାଟକ ସହ ଜଡ଼ିତ ବ୍ୟକ୍ତିବିଶେଷ, ସାଂସ୍କୃତିକ ସଙ୍ଗଠନ ‘ସ୍ରଷ୍ଟା, ‘କଳାକାର, ‘ଶୋଭା, ‘ବିନ୍ଦୁବଳୟ, ‘ଚନ୍ଦ୍ରଭାଗା’ ଆଦି ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କର ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

୩୧ ଜୁଲାଇ ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ସାହୁ ଫକୀରମୋହନ କଲେଜରେ ଅଧ୍ୟୟନ କରିବା ପରେ ସେହି କଲେଜରୁ ମୁଖ୍ୟକିରାଣି ପଦରୁ ଅବସର ଗ୍ରହଣ କରିଥିଲେ। ମଞ୍ଚ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଭାବେ ସେ ଥିଲେ ଜଣେ ଧୂରୀଣ ବ୍ୟକ୍ତିତ୍ବ। ମେଗା ଧାରାବାହିକ ‘ତୁଳସୀ’ରେ ଗୋବର୍ଦ୍ଧନ ଭୂମିକାରେ ତାଙ୍କ ବଳିଷ୍ଠ ଅଭିନୟ ଏବେ ବି ଦର୍ଶକଙ୍କ ମନରେ ସତେଜ ଅଛି। ଜଣେ ଉଚ୍ଚକୋଟୀର ଅଭିନେତା ସାଙ୍ଗକୁ ଦରଦି ବ୍ୟକ୍ତି ଭାବେ ଜଣାଶୁଣା ଥିଲେ ସ୍ବର୍ଗତ ସାହୁ। ୨୦୦ରୁ ଅଧିକ ନାଟକରେ ଅଭିନୟ କରିଥିବା ପରମାନନ୍ଦ ‘ଆଶା, ‘ସୁଭଦ୍ରା, ‘ସାମ୍ନାରେ ଜଗନ୍ନାଥ, ‘ପରିଚୟ’ ଭଳି ଟେଲି-ଡ୍ରାମାରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ। ସେ ଆକାଶବାଣୀ ଏବଂ ଭାରତ ସରକାରଙ୍କ ସଂଗୀତ ଓ ନାଟକ ବିଭାଗର ଜଣେ ସ୍ବୀକୃତିପ୍ରାପ୍ତ କଳାକାର ଥିଲେ। ସେ ବାଲେଶ୍ବର ‘ସ୍ରଷ୍ଟା’ ନାଟ୍ୟ ଅନୁଷ୍ଠାନର ସଭାପତି ଥିଲେ। ଅଭିନୟ କ୍ଷେତ୍ରରେ ପାରଦର୍ଶିତା ପାଇଁ ସେ ଅନେକ ପୁରସ୍କାର ମଧ୍ୟ ସାଉଁଟିଛନ୍ତି। ଯାତ୍ରା, ନାଟକ, ଦାସକାଠିଆ, ସଂଗୀତ ସଂଯୋଜନା, ସବୁଥିରେ ଥିଲା ତାଙ୍କର ଗଭୀର ପ୍ରବେଶ। ନାଟକ ‘ପ୍ରଶାନ୍ତ ଅର୍ଜୁନ, ‘ଯୁଗଚରିତ ବୃତ୍ତାନ୍ତ, ‘ମୁଁ ହାଟବାହୁଡ଼ା, ଚଳଚ୍ଚିତ୍ର ‘ବଡ଼ ଭାଉଜ, ‘ଏଇ ମୀମାଂସା’ରେ ତାଙ୍କର ଉଚ୍ଚକୋଟୀର ଅଭିନୟ ତାଙ୍କୁ ଏକ ଭିନ୍ନ ବ୍ୟକ୍ତି ଭାବେ ଗଢ଼ି ତୋଳିଥିଲା ବୋଲି ‘ସ୍ରଷ୍ଟା’ର ସମ୍ପାଦକ ତଥା ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର