ନୟାଗଡ଼ରେ ରାଜନେତାଙ୍କୁ ନେଇ ନିଆରା ଉଦ୍ୟମ, ଫୁଟ୍‌ବଲ୍ ଖେଳିଲେ ୪ ବିଧାୟକ

ନୟାଗଡ଼: ଆସନ୍ତା ୨ ତାରିଖରୁ ନୟାଗଡ଼ରେ ଅନୁଷ୍ଠିତ ହେବାକୁ ଯାଉଥିବା ସର୍ବଭାରତୀୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟର ଅବ୍ୟବହିତ ପୂର୍ବରୁ ଆଜି ପଡ଼ିଆରେ ବିଧାୟକ ଏକାଦଶ ମଧ୍ୟରେ ଫୁଟବଲ ଖେଳର ଝଲକ ଦେଖିବାକୁ ମିଳିଥିଲା। ରାଜନୀତି ମଇଦାନରେ ବିରୋଧୀଙ୍କୁ ମାତ୍ ଦେବା ପାଇଁ ରଣ‌‌କୌଶଳ କରୁଥିବା ରାଜନେତାଙ୍କ କ୍ରୀଡ଼ାନୈପୁଣ୍ୟ ଦେଖିବାକୁ ପାଇଥିଲେ ସ୍ଥାନୀୟ ଦର୍ଶକ। ଏଥିରେ ନୟାଗଡ଼, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୪ ବିଧାୟକ ଏକା‌ଦଶ ଟିମ୍ ଭାଗ ‌ନେଇଥିଲେ।

ନୟାଗଡ଼ ବିଧାୟକ ଏକାଦଶର ଅଧିନାୟକ ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଏକାଦଶ ଟିମ୍‌ର ଅଧିନାୟକ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ଏକାଦଶର ଅଧିନାୟକ ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ଦଶପଲ୍ଲା ବିଧାୟକ ଏକାଦଶ ଟିମ୍‌ର ଅଧିନାୟକ ବିଧାୟକ ରମେଶ ବେହେରାଙ୍କ ଅଧିନାୟକତ୍ବରେ ଖେଳାଳିମାନେ ଖେଳ ପ୍ରଦର୍ଶନ କରିଥିଲେ। ଖେଳରେ ଅତିଥି ହୋଇ ପୁରସ୍କାର ବାଣ୍ଟୁଥିବା ବିଧାୟକମାନେ ପଡ଼ିଆରେ ନିଜେ କିଭଳି କଳାକୌଶଳ ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବାକୁ ପ୍ରବଳ ଉତ୍କଣ୍ଠା ସୃଷ୍ଟି ହୋଇଥିଲା। ପ୍ରତିପକ୍ଷ ଦଳକୁ ପରାଜିତ କରିବାର ମନୋବୃତ୍ତି କମ୍; ଭାଇଚାରାର ସମ୍ପର୍କ ଅଧିକ ଦେଖିବାକୁ ମିଳିଥିଲା। ନୟାଗଡ଼ ଜିଲ୍ଲା ଆଥ୍‌ଲେଟିକ ଆସୋସିଏସନ୍, ୭୮୬ ୟୁଥ୍ କ୍ଲବ୍ ସିନ୍ଦୁରିଆ ତଥା ନୟାଗଡ଼ ବିଧାୟକ, କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ଜିଲ୍ଲାର ଚାରି ବିଧାୟକଙ୍କୁ ନେଇ ଫୁଟ୍‌ବଲ୍ ମ୍ୟାଚ୍ ଆୟୋଜନ କରାଯାଇଥିଲା। ନୟାଗଡ଼ ଓ ଦଶପଲ୍ଲା ବିଧାୟକ ଏକାଦଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ବିଧାୟକ ତଥା ମନ୍ତ୍ରୀ ଡ. ସାହୁଙ୍କ ନେତୃତ୍ବରେ ନୟାଗଡ଼ ଟିମ୍ ୩-୧ ‌ଗୋଲ୍‌ରେ ବିଜୟୀ ହୋଇ ଫା‌ଇନାଲ୍‌ରେ ପ୍ରବେଶ କରିଥିଲା। ଏହା ପରେ ଖଣ୍ଡପଡ଼ା ଓ ରଣପୁର ଟିମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଖଣ୍ଡପଡ଼ା ଓ ରଣପୁର ଟିମ୍ କେହି କାହାରିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଲ୍ ଦେଇପାରିନଥିଲେ। ଶେଷରେ ଟାଇବ୍ରେକର୍‌ ପଦ୍ଧତିରେ ରଣପୁର ବିଜୟୀ ‌‌ହୋଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ରଣପୁର ଓ ନୟାଗଡ଼ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିବା ବେଳେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। କେହି କାହାରିକୁ ଗୋଲ୍ କରାଇ ଦେଇ ନ ଥିଲେ। ‌ନୟାଗଡ଼ ବିଧାୟକ ଆୟୋଜକ ଟିମ୍ ହୋଇଥିବାରୁ ସମ୍ମାନ ଜଣାଇ ରଣପୁର ଟିମ୍‌କୁ ଚାମ୍ପିଅନ୍ ଘୋଷଣା କରିଥିଲେ ଏବଂ ଉଭୟ ଟିମ୍ ବିଜେତା ବୋଲି ନିଷ୍ପତ୍ତି ହୋଇଥିଲା।

ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ବିଧାୟକମାନଙ୍କୁ ନେଇ ଆଜିର ଏହି ମ୍ୟାଚ୍ ସାରା ଓଡ଼ିଶାକୁ ଏକ ନିଆରା ବାର୍ତ୍ତା ଦେବ। ଉଦ୍ୟୋକ୍ତାଙ୍କୁ ସେ ପ୍ରଶଂସା କରିବା ସହ ସେ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାକୁ ଘୋଷଣା କରିଥିଲେ। ନୟାଗଡ଼ ଦଳର ପ୍ରଶାନ୍ତ ବରାଡ଼ଙ୍କୁ ବେଷ୍ଟ ସ୍କୋରର୍‌ ଏବଂ ରଣପୁର ଗୋଲ୍‌କିପର୍‌ଙ୍କୁ ବେଷ୍ଟ ଗୋଲ୍ କିପର୍‌ ଭାବେ ପୁରସ୍କୃତ କରାଯାଇଥିଲା। ରାମକୃଷ୍ଣ ରଥ, ଆଶୁତୋଷ ମିଶ୍ର ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥି‌ଲେ। ଟୁର୍ଣ୍ଣ‌ାମେଣ୍ଟ୍ କମିଟିର କର୍ମକର୍ତ୍ତା ‌ଶେଖ୍ ୟୁସୁଫ୍, ଅନୱର୍‌ ଅଲ୍ଲୀ, ହଜରତ୍‌ ଅଲ୍ଲୀ, ଏସ୍‌କେ ନଇମ୍, ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲ୍‌ ଜରିଆରେ ଖେଳର ସିଧା ପ୍ରସାରଣ କରାଯାଇଥିଲା।

ସମ୍ବନ୍ଧିତ ଖବର