ପିପିଲି ଉପନିର୍ବାଚନ: ରୁଦ୍ରଙ୍କ ପାଇଁ ସଞ୍ଜୟ, ଅତନୁଙ୍କ ପ୍ରଚାର

ପୁରୀ : ନିର୍ବାଚନ ପ୍ରଚାରକୁ ଶାଣିତ କରିଛି ବିଜେଡି। ଗାଁ’ ଗାଁ’ରେ ପ୍ରଚାରକୁ ଜୋର୍‌ଦାର୍‌ କରିବା ସହ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ପାଇଁ ଭୋଟ୍‌ ନିବେଦନ କରୁଛନ୍ତି ଦଳୀୟ ନେତା। ରବିବାର ଦିନ ପିପିଲି ବ୍ଲକ୍‌ ରୁପଦେଇପୁରଠାରେ ବିଜେଡିର ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଏଥିରେ ଯୋଗଦେଇ ରୁଦ୍ରପ୍ରତାପଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି।

ଏହି ଅବସରରେ ଶ୍ରୀ ଦାସବର୍ମା କହିଛନ୍ତି, ସ୍ବର୍ଗତ ପ୍ରଦୀପ ମହାରଥୀ ପିପିଲି-ଡେଲାଙ୍ଗର ବିକାଶ ପାଇଁ ଚାରି ଦଶନ୍ଧିରୁ ଅଧିକ ଦିନ ଧରି ସଂଗ୍ରାମ କରିଛନ୍ତି। ସେ ଓଡ଼ିଶା ଚାଷୀକୂଳର ଥିଲେ ଶାଣିତ ସ୍ବର। ବିଧାନସଭା ହେଉ କି ବିଧାନସଭା ବାହାରେ, ସବୁବେଳେ ଓଡ଼ିଶାର ଚାଷୀକୂଳସ୍ବର୍ଥେ ରକ୍ଷା ପାର୍ଇ ତାଙ୍କ ସ୍ବର ତାଙ୍କୁ ରାଜନୀତିରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି। ଅଶି ଦଶକରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସ୍ବର୍ଗତ ମହାରଥୀ। ଏ ଭିତରେ ସେ ବହୁବାର ବିଧାନସଭାରେ ପ୍ରତିନିଧିତ୍ବ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାରରେ କୃଷି ବିଭାଗ ଓ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ହିସାବରେ ବହୁ ଲୋକାଭିମୁଖୀ କାର୍ଯ୍ୟ କରିଛନ୍ତି। ତାଙ୍କ ନେତୃତ୍ବରେ ଓଡ଼ିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛି। ଜୀବନର ଶେଷ ପର୍ଯ୍ୟନ୍ତ ସେ ଡେଲାଙ୍ଗ-ପିପିଲି ମାଟି ଲାଗି ସମର୍ପିତ ସେବା କରୁଥିଲେ। ତାଙ୍କ ତିରୋଧାନ ପରେ ଅବଶିଷ୍ଟ ୩ ବର୍ଷ ପାଇଁ ପ୍ରତିନିଧିତ୍ବ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ସୁପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରିଛନ୍ତି। ମୋର ଗଭୀର ବିଶ୍ବାସ ସ୍ବାଭିମାନୀ ଡେଲାଙ୍ଗ-ପିପିଲିବାସୀ, ଯୁବକ, ଛାତ୍ର, ମହିଳା, କୃଷକ ତାଙ୍କର ମୂଲ୍ୟବାନ ଭୋଟ୍‌ ଶଙ୍ଖ ଚିହ୍ନରେ ଦେବେ। ଏହା ସ୍ବର୍ଗତ ମହାରଥୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ରୁଦ୍ରପ୍ରତାପଙ୍କୁ ଭୋଟ୍‌ ଦେଇ ପିପିଲି-ଡେଲାଙ୍ଗର ବିକାଶକୁ ଆହୁରି ଗତିଶୀଳ କରିବାକୁ ସେ ନିବେଦନ କରିଛନ୍ତି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେଡି ନେତା, ଯୁବ ଓ ଛାତ୍ର ନେତାଙ୍କ ସମେତ ବହୁ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିଲେ। ଶ୍ରୀ ନାୟକ ଏହି ଅବସରରେ ଶଙ୍ଖ ଚିହ୍ନକୁ ଭୋଟ୍‌ ଦେଇ ରୁଦ୍ରପ୍ରତାପଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର