ସର୍ବାଧିକ ଛକା କୀର୍ତ୍ତିମାନ ଭାଙ୍ଗିବା ଲକ୍ଷ୍ୟରେ ବଟଲର

ମୁମ୍ବାଇ : ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ସୋମବାର ନିଜର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚ ପୂର୍ବରୁ ଦଳର ଜଣେ ପ୍ରମୁଖ ବ୍ୟାଟ୍ସମ୍ୟାନ ଜୋସ୍‌ ବଟଲର କହିଛନ୍ତି, ସେ ଏଥର ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ମାରିବାର ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି। ଇଏସପିଏନ କ୍ରିକଇନଫୋକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ରାଜସ୍ଥାନ ରୟାଲ୍ସ ଏଥର ଆଇପିଏଲ ଟ୍ରଫି ଜିଣୁ ବୋଲି ସେ ଚାହୁଁଛନ୍ତି। ତେବେ ବ୍ୟକ୍ତିଗତ ଭାବେ ସେ ଏଥର ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ମାରିବାର ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି।

ଆଇପିଏଲ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି। ୨୦୧୩ରେ ସେ ପୁଣେ ଓ୍ବାରିୟର୍ସ ଇଣ୍ଡିଆ ବିପକ୍ଷ ଗୋଟିଏ ମ୍ୟାଚରେ ସର୍ବାଧିକ ୧୭ଟି ଛକା ମାରିଥିଲେ। ସେହି ମ୍ୟାଚରେ ସେ ମାତ୍ର ୬୩ ବଲରୁ ୧୭୫ ରନ କରିଥିଲେ। ଏହି ରେକର୍ଡ ଏବେ ବି କାଏମ ରହିଛି। କେଉଁ ଦଳ ବିପକ୍ଷରେ ଖେଳିବାକୁ ସେ ସର୍ବାଧିକ ଆଗ୍ରହୀ ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ବଟଲର କହିଛନ୍ତି ଯେ ସେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚକୁ ଖେଳିବାକୁ ଚାହିଁ ବସିଛନ୍ତି। କେଉଁ ବୋଲରଙ୍କୁ ସମ୍ମୁଖୀନ ହେବା ତାଙ୍କ ପାଇଁ ଚ୍ୟାଲେଞ୍ଜିଙ୍ଗ୍ ବୋଲି ପଚରାଯାଇଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ମୋଇନ ଅଲ୍ଲୀଙ୍କୁ ସମ୍ମୁଖୀନ ହେବା ତାଙ୍କ ପାଇଁ ଆହ୍ବାନଭରା। ଗତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଥିଲା। ବଟଲର ମଧ୍ୟ ଗତ ଆଇପିଏଲରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ଏଥର ଗତ ବର୍ଷର ନୈରାଶ୍ୟକୁ ଭୁଲିବାକୁ ଚାହୁଁଛନ୍ତି ଏହି ଇଂଲିସ ବ୍ୟାଟ୍ସମ୍ୟାନ।

ସମ୍ବନ୍ଧିତ ଖବର