ହାଇକୋର୍ଟରେ ପ୍ରମୁଖ କ୍ରିକେଟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ ପ୍ରସଂଗ: ନିଷ୍ପତ୍ତି ନେବାକୁ କ୍ରୀଡ଼ା ସଚିବଙ୍କୁ ନିର୍ଦ୍ଦେଶ

କଟକ : କଳାହାଣ୍ଡି କପ୍ ସୁପର ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟ ସହିତ ସି.କେ.ନାଇଡୁ ଟ୍ରଫି, ୨୩ ବର୍ଷରୁ କମ୍ ଦିନିକିଆ, ସୟଦ ମୁସ୍ତାକ ଅଲ୍ଲୀ, ବିଜୟ ହଜାରେ ଓ ରଣଜୀ ଟ୍ରଫି ପାଇଁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ଟ୍ରାଏଲ କ୍ୟାମ୍ପ ପାଇଁ ଖେଳାଳିଙ୍କ ଚୟନ ପ୍ରସଂଗରେ କ୍ରୀଡ଼ା ଓ ଯୁବ ସେବା ସଚିବ ନିଷ୍ପତ୍ତି ନେବେ। ତିନି ଦିନ ଭିତରେ କ୍ରୀଡ଼ା ସଚିବଙ୍କ ନିକଟରେ ଆବେଦନକାରୀ ନିଜ ଦାବି ସପକ୍ଷରେ ନଥିପତ୍ର ସହିତ ସ୍ମାରକପତ୍ର (ରିପ୍ରେଜେଣ୍ଟେସନ୍) ଦାଖଲ କରିବେ। ଏହାପରେ ଏହି ପ୍ରସଂଗରେ କ୍ରୀଡ଼ା ସଚିବ ଦୁଇ ସପ୍ତାହ ଭିତରେ ନିଷ୍ପତ୍ତି ଗ୍ରହଣ କରିବେ। କ୍ରୀଡ଼ା ସଚିବଙ୍କ ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଆବେଦନକାରୀଙ୍କୁ ଅବଗତ କରାଯିବ। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏ. ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେବା ସହିତ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କଳାହାଣ୍ଡି କପ୍ ବହୁଦିବସୀୟ ସୁପରଲିଗ୍ ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ବର ଆଥଲେଟିକ ଆସୋସିଏସନ୍ ଦ୍ବାରା ପ୍ରକାଶିତ ଖେଳାଳି ତାଲିକାକୁ ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥି ସହିତ ତାଙ୍କୁ କଳାହାଣ୍ଡି କପ୍ ସୁପର ଲିଗ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା ଖେଳାଳି ତାଲିକାରେ ସ୍ଥାନ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ସି.କେ.ନାଇଡୁ ଟ୍ରଫି, ୨୩ ବର୍ଷରୁ କମ୍ ଦିନିକିଆ, ସୟଦ ମୁସ୍ତାକ ଅଲ୍ଲୀ, ବିଜୟ ହଜାରେ ଓ ରଣଜୀ ଟ୍ରଫି ସଂପର୍କିତ ରାଜ୍ୟ ଟ୍ରାଏଲ କ୍ୟାମ୍ପରେ ଅଂଶଗ୍ରହଣ ପାଇଁ ଆବେଦନକାରୀଙ୍କ ଚୟନ ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏସନ୍, ଭୁବନେଶ୍ବର ଆଥଲେଟିକ ଆସୋସିଏସନ୍, କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର