ରାଜ୍ୟରେ ଭୁଶୁଡ଼ିଲାଣି ଶିକ୍ଷା ବ୍ୟବସ୍ଥା : ଅସହାୟତା ପ୍ରକାଶ କଲେ ମନ୍ତ୍ରୀ

ଦୁଇ ବର୍ଷରେ ହଜାରେ ସରକାରୀ ସ୍କୁଲରେ ତାଲା, ସ୍କୁଲରେ ପିଲା ଥାଳି ବାଡ଼େଇଲେ କ’ଣ କରିବା: ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ମାନ କମିବା ପାଇଁ ନିଜକୁ ଦାୟୀ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସରକାରୀ ସ୍କୁଲଗୁଡ଼ିକର ସ୍ଥିତି ଦିନକୁ ଦିନ ଖରାପ ହେଉଛି। ପିଲା ନ ହେବାରୁ ଗତ ଦୁଇ ବର୍ଷ ମଧ୍ୟରେ ଏକ ହଜାରରୁ ଅଧିକ ସରକାରୀ ବିଦ୍ୟାଳୟରେ ତାଲା ପଡ଼ିଲାଣି। ଏବର୍ଷ ଆଉ ଶହେ କି ଦୁଇ ଶହ ସ୍କୁଲ ବନ୍ଦ ହୋଇଛି। ଗୋଟିଏ ପଟେ ଘରୋଇ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ମିଳୁଥିବା ବେଳେ ସରକାରୀ ଶିକ୍ଷା ବ୍ୟବସ୍ଥା ପଛରେ ପଡ଼ିଯାଇଛି। ସରକାରୀ ବିଦ୍ୟାଳୟରେ ୨୩ ଜଣ ପିଲାଙ୍କ ପାଇଁ ଜଣେ ଲେଖାଏ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ପିଲାଙ୍କୁ ମାଗଣା ପୋଷାକ, ମଧ୍ୟାହ୍ନଭୋଜନ, ହଷ୍ଟେଲ ସୁବିଧା ମିଳୁଛି। ତା’ପରେ ବି ଯଦି ପିଲା ସ୍କୁଲ ଆସି ଖାଇପିଇ ଥାଳି ବାଡ଼େଇ ଘରକୁ ଯିବେ ତେବେ କ’ଣ କରିପାରିବା ବୋଲି ପ୍ରଶ୍ନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

ମିଳିତ ଶିକ୍ଷକ ଓ କର୍ମର୍ଚାରୀ ସଂଘ ପକ୍ଷରୁ ଆଜି ଇଡ୍‌କଲ୍‌ ପ୍ରେକ୍ଷାଳୟରେ ଆୟୋଜିତ ଗୁରୁ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଏଭଳି ଢ଼ଙ୍ଗରେ ନିଜର ଅସହାୟତା ପ୍ରକାଶ କରିଥିଲେ। ସେ ଆହୁରି କହିଲେ ଏବେ ଶିକ୍ଷା ବ୍ୟବସ୍ଥା କାହା ନିୟନ୍ତ୍ରଣରେ ରହୁନି। ଗାଁଠାରୁ ସହର ପର୍ଯ୍ୟନ୍ତ, ସବୁଠି ସମସ୍ୟା। କେଉଁଠି ବିଇଓମାନେ ସ୍କୁଲଗୁଡ଼ିକର ତଦାରଖ କରୁନାହାନ୍ତି ତ ଆଉ କେଉଁଠି ଶିକ୍ଷକ ସ୍କୁଲ ଆସୁନାହାନ୍ତି। ପିଲାଙ୍କୁ ମଧ୍ୟାହ୍ନଭୋଜନ ମିଳିଲା କି ନାହିଁ ତାହାର ବି ଯାଞ୍ଚ ହୋଇପାରୁନି। ଶିକ୍ଷକମାନେ ଯଦି ଠିକ୍‌ ଭାବେ କାର୍ଯ୍ୟ କରନ୍ତେ ତେବେ ଆଉ କୌଣସି ଅସୁବିଧା ହୁୂଅନ୍ତା ନାହିଁ। ଶିକ୍ଷା ଅଧିକାରୀ ଆଇନ(ଆରଟିଇ)ରେ ବି ବହୁତ ତ୍ରୁଟି ରହିଛି, ଯାହାକି ଶିକ୍ଷାକୁ ନିମ୍ନମୁଖୀ କରୁଛି। ୮ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ନ ଥିବାରୁ ପିଲା ଓ ଶିକ୍ଷକଙ୍କ ଦକ୍ଷତା ମାପି ହେଉ ନାହିଁ। ଜଣେ ଶିକ୍ଷକ ଦୁଷ୍କର୍ମ କଲେ ତାହା ସମଗ୍ର ଶିକ୍ଷକ ସମାଜକୁ କଳଙ୍କିତ କରୁଛି। ଏହାଠାରୁ ବଳି ଦୁଃଖର ବିଷୟ ଆଉ କିଛି ନାହିଁ। ଏବେ ଓଡ଼ିଶାର ୬୦ ହଜାର ବିଦ୍ୟାଳୟରେ ପ୍ର୍ରାୟ ୩ ଲକ୍ଷ ଶିକ୍ଷକ ରହିଛନ୍ତି। ସେମାନେ ଚାହିଁଲେ ରାଜ୍ୟରେ ବଡ଼ ଧରଣର ପରିବର୍ତନ ଆସିପାରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତପ୍ରକାଶ କରିଥିଲେ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ ଉଚ୍ଚଶିକ୍ଷାର ମାନ କମିବା ପାଇଁ ନିଜକୁ ଦାୟୀ କରିଥିଲେ। ସେ କହିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜ୍ୟର ଉଚ୍ଚଶିକ୍ଷାର ମାନ କେଉଁଠି ପହଞ୍ଚିଲାଣି ଜଣା ପଡ଼ିଯାଉଛି। ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଦିନେ ନାଁ କମାଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଆଜି କାହିଁକି ତଳକୁ ଖସିଛି। ଏଥିପାଇଁ କିଏ ଦାୟୀ? ପ୍ରଥମେ ମୁଁ ଦାୟୀ। ସମ୍ପୂର୍ଣ୍ଣ ଶିକ୍ଷା ବିଭାଗ ଦାୟୀ। ପିଅନ୍‌ଠାରୁ ଆରମ୍ଭ କରି କୁଳପତି, ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଯଦି ଗୁଣାତ୍ମକ ଶିକ୍ଷା କଥା ଚିନ୍ତା ନ କରିବେ ତେବେ ଗୁଣାତ୍ମକ ଶିକ୍ଷା ମିଳିପାରିବ ନାହିଁ ବୋଲି ସେ କହିଥିଲେ।
ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ବିକ୍ରମ କେଶରୀ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ପଣ୍ଡିତ୍‌ ପ୍ରବୋଧ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୁରୁ ଦିବସର ମାହାତ୍ମ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବ୍ରଜ କିଶୋର ନାୟକ ବାର୍ଷିକ ବିବରଣୀ ପାଠ କରିବା ସହ ୧୧ ଦଫା ଦାବି ଉପସ୍ଥାପନ କରିଥିଲେ। ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର