ଏସ୍‌ସିବି ୩ ଘଣ୍ଟା ଅନ୍ଧାର : ସେଣ୍ଟ୍ରାଲ ଓ ଟ୍ରମା ଆଇସିୟୁ ଅଚଳ, ଡିଜିରେ ଚାଲିଛି ଆଇସିୟୁ

କଟକ : ଗୁରୁତର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଆଜି କଟକ ବଡ ମେଡିକାଲ୍‌ର ସେଣ୍ଟ୍ରାଲ୍‌ ଆଇସିୟୁ ଓ ଟ୍ରମା ଆଇସିୟୁ ତିନି ଘଣ୍ଟାରୁ ଅଧିକ ସମୟ ଅନ୍ଧାରରେ ରହିଛି। ଆଇସିୟୁ ମନିଟର ଦୀର୍ଘ ସମୟ ଧରି ଅଚଳ ହୋଇ ପଡିଛି। ଏହି ସମୟରେ ଡିିଜି ବି କାମ ନ ଦେବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଗୁରୁତର ରୋଗୀଙ୍କ ସମସ୍ୟା ବଢି ଯାଇଥିଲେ ବି କୌଣସି ପ୍ରକାଣ ଅଘଟଣ ଘଟି ନଥିବା ବଡ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି। ଅସ୍ଥାୟୀଭାବେ ସେସୁ ପକ୍ଷରୁ ଆଇସିୟୁକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲେ ବି ରାତି ୭ଟା ପର୍ଯ୍ୟନ୍ତ ଡିଜିରେ ଆଇସିୟୁ ଚାଲିଥିଲା। ଶଲ୍ୟବିଭାଗରୁ ଅସ୍ଥାୟୀ ବିଦ୍ୟତ୍‌ ସଂଯୋଗ ଅଣାଯାଇ ଟ୍ରମା ବିଲଡିଂରେ ବିଦ୍ୟୁତ୍‌ ସେବାକୁ ସ୍ୱଭାବିକ କରିବାକୁ ଯୋଜନା ଚାଲିଥିବା କନିଷ୍ଠ ଯନ୍ତ୍ରୀ(ଜିଇଡି) ସୂଚନା ଦେଇଛନ୍ତି। ଅନ୍ୟପଟେ ଏଭଳି ବିଦ୍ୟୁତ୍‌ ସମସ୍ୟା ଓ ଅଚଳ ସ୍ଥିତିକୁ ନେଇ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ସେସୁ ଓ ଜିଇଡିକୁ ଚିଠି ଲେଖିଛନ୍ତି। କଣ କଲେ ଆଇସିୟୁ, ଭେଣ୍ଟିଲେଟର ଭଳି ଅତି ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଦ୍ୟୁତ୍‌ ସମସ୍ୟାର ସ୍ଥାୟୀ ପ୍ରତିକାର ହେବ ସେ ସଂପର୍କରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଆଲୁମିନିୟମ୍‌ କେବୁଲରେ ପାଣି ପଶିଯିବାରୁ ୨ଟି କେବୁଲ ଅଚଳ ହୋଇପଡିଛି ଏବଂ ବର୍ଷା ଲାଗି ରହିଥିବାରୁ ମରାମତି କାମ ହୋଇ ପାରୁ ନଥିବା ଯନ୍ତ୍ରୀ ସୂଚନା ଦେଇଛନ୍ତି।

ଏସ୍‌ସିବି ଆଶୁ ଚିକିତ୍ସା କେନ୍ଦ୍ରର ଟ୍ରମା ବିଲିଡିଂରେ ଏଭଳି ବାରମ୍ବାର ବିଦ୍ୟୁତ୍‌ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଗତ ଦେଢ ମାସ ତଳେ ମଧ୍ୟ ଏଭଳି ସମସ୍ୟା ପାଇଁ ଘଣ୍ଟାଏ ଧରି ଅନ୍ଧାରରେ ରହିଥିଲା ଆଇସିୟୁ। ସବୁଠାରେ ଡିଜି ସୁବିଧା ଥିଲେ ସୁଦ୍ଧା କେତେବେଳେ ତେଲ ନଥିବା, କେତେବେଳେ ଡିଜି ଚଳାଇବା ପାଇଁ କର୍ମଚାରୀଙ୍କ ଅଭାବ ସମସ୍ୟା ପାଇଁ ଲାଇନ୍‌ ଗଲେ ଡିଜି ମଧ୍ୟ ଠିକ୍‌ ଭାବରେ ଚାଲୁ ନାହିଁ। ପ୍ରବଳ ବର୍ଷାରେ ଆଜି ଦିନ ପ୍ରାୟ ୧୧ଟାରୁ ଏସ୍‌ସିବିରେ ତିନି ଘଣ୍ଟା ଧରି ସେଣ୍ଟ୍ରାଲ, ଟ୍ରମା ଆଇସିୟୁ ଅନ୍ଧାରରେ ରହିଥିଲା। ସେଣ୍ଟ୍ରାଲ ଆଇସିୟୁରେ ୧୦ଟି ବେଡ୍‌ ଥିବା ବେଳେ ଟ୍ରମାରେ ରହିଛି ୮ଟି ବେଡ୍‌। ଏଭଳି ସମସ୍ୟା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ଖବର ପାଇ ଅଧୀକ୍ଷକ ପ୍ରଫେସର ଦେବତା, ଜରୁରିକାଳୀନ ଅଧିକାରୀ ଭୁବନ ମହାରଣା, ଜିଇଡିର ଯନ୍ତ୍ରୀ ଓ କର୍ମଚାରୀମାନେ ପହଞ୍ଚିି ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରିଥିଲେ। ଦିନ ପ୍ରାୟ ଗୋଟାଏ ବେଳକୁ ଅସ୍ଥାୟୀ ବିଦ୍ୟୁତ୍‌ ସଂଯୋଗ ଦିଆ ଯାଇଥିଲା। କିନ୍ତୁ ରାତି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର