ନବୀନଙ୍କୁ ଦେଖିଲେ ବନ୍ୟାବାତ୍ୟା, କରୋନା ଚାଲିଯାଏ: ନବ

ଭୁବନେଶ୍ୱର: ବରମୁଣ୍ଡା ପଡ଼ିଆରେ ବିଜୁ ଜନତା ଦଳର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକର ଉଦ୍‌ଯାପନୀ ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବୟାନ ବେଶ୍‌ ରୋଚକ ଥିଲା। ନିଜ ଭାଷଣରେ ନବ କହିଥିଲେ ଯେ ନବୀନଙ୍କୁ ଦେଖିଲେ ବନ୍ୟାବାତ୍ୟା, କରୋନା ଚାଲିଯାଏ। ଲୋକମାନେ ସୁସ୍ଥ ଅନୁଭବ କରନ୍ତି। ସେ ହେଉଛନ୍ତି ଜନନାୟକ। ଓଡ଼ିଶାକୁ ୧ନମ୍ବର ରାଜ୍ୟରେ ପରିଣତ କରିବା ତାଙ୍କର ସ୍ବପ୍ନ। ତାହାକୁ ୫-ଟି ସଚିବ ରୂପାନ୍ତରିତ କରୁଛନ୍ତି।

ପ୍ରତାପ ଦେବଙ୍କ ବିବାଦୀୟ ବୟାନ
ଶିଳ୍ପ ମନ୍ତ୍ରୀ ପ୍ରତାବ ଦେବ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ଉଦ୍‌ଯାପନୀ ସମାବେଶରେ ଶ୍ରୀ ଦେବ ନିଜ ବକ୍ତବ୍ୟରେ କହିଥିଲେ ଯେ ପିଲାବେଳେ ରାଜ୍ୟ ବାହାରକୁ ଗଲେ ଯଦି କେହି ପଚାରୁଥିଲେ… କାହାଁ ‌ସେ ଆୟୋ ହୋ ?? ଓଡ଼ିଶା.. ଓଃ ଜଗନ୍ନାଥ ପୁରୀ। ସାଢ଼େ ୪କୋଟି ଓଡ଼ିଆଙ୍କ ଗୋଟିଏ ପରିଚୟ ଥି‌ଲା ପ୍ରଭୁ ଶ୍ରୀ ଜଗନ୍ନାଥ। ଆଜି ଭାରତବର୍ଷର ଯେ କୌଣସି ଜାଗାକୁ ଯିବେ ଓ ସେଠାରେ ଓଡ଼ିଶାରୁ ଆସିଛନ୍ତି ବୋଲି କହିବେ.. ତାହାଲେ ‌ସେ ଲୋକର ମୁହଁରୁ ପ୍ରଥମ ଶବ୍ଦ ବାହାରିବ ନବୀନ ପଟ୍ଟନାୟକ।

ନାଁ ଧରିବାକୁ ମନା: ରଣେନ୍ଦ୍ର
ବରମୁଣ୍ଡା ପଡ଼ିଆରେ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସଂଘୀୟ ବ୍ୟବସ୍ଥା, ଧାର୍ମିକ ଉନ୍ମାଦନା, ଦରଦାମ୍ ବୃଦ୍ଧି ଓ କେନ୍ଦ୍ର ଅବହେଳା ପ୍ରସଙ୍ଗ କଥା ଉଠାଇ ରଣେନ୍ଦ୍ର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ହେଲେ କେନ୍ଦ୍ର ସରକାରଙ୍କ କୌଣସି ନେତାଙ୍କ ନାଁ ଧରି ନ ଥିଲେ। ମଞ୍ଚରେ କହିଥିଲେ, କାହାର ନାଁ ଧରିବାକୁ ମନା ହୋଇଛି। ଏକ ନିର୍ଦ୍ଦିଷ୍ଟ ଦଳ ଓ ସଂଗଠନ ଗୋଟିଏ ଦେଶ, ଗୋଟିଏ ସଂସ୍କୃତି ଓ ଗୋଟିଏ ଭାଷା ଲଦି ଦେବାକୁ ଚାହୁଁଛି। ରାଜ୍ୟର କିଛି ନେତା ମଧ୍ୟ ପାଳିଆ ସାଜିଛନ୍ତି। ଧର୍ମ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ବ୍ୟାପାର। ଏହାକୁ ନେଇ ରାଜନୀତି କରିବା ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀ ଏହାର ବିରୋଧରେ ଛିଡ଼ା ହୋଇଛନ୍ତି। ତେଣୁ ଯେଉଁମାନେ ଏହାକୁ ନେଇ ରାଜନୀତି କରୁଛନ୍ତି ସେମାନଙ୍କୁ ମୋର ଏହା ମାଗଣା ଉପଦେଶ। ମାନିଲେ ଭଲ ନ ମାନିଲେ ବି ଭଲ।

ଆମେ ଖୁସି ଆଜି ଆପଣଙ୍କ ପାଇଁ!: ପ୍ରୀତିରଂଜନ
ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ ନିଜ ବକ୍ତବ୍ୟରେ ରାଜ୍ୟର ଗମନାଗମନ ଉପରେ ତଥ୍ୟ ରଖିଥିଲେ। ହେଲେ ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଉକ୍ତି ‘ଆପଣମାନେ ଖୁସି ତ..’ କୁ ଉଦ୍ଧାର କରି ଉପସ୍ଥିତ କର୍ମୀଙ୍କୁ କହିଥିଲେ ଯେ ନବୀନବାବୁଙ୍କ ପାଇଁ ଆଜି ସମସ୍ତେ ଖୁସି। ତେଣୁ ସମସ୍ତେ ଛିଡ଼ା ହୋଇ କୁହନ୍ତୁ.. ଆମେ ଖୁସି ଆଜି ଆପଣଙ୍କ ପାଇଁ। ଉପସ୍ଥିତ ଦଳୀୟ କର୍ମୀମାନେ ଛିଡ଼ାହୋଇ ଏ କଥା କହିଥିଲେ।

ସମ୍ବନ୍ଧିତ ଖବର