ପ୍ରଫେସର ସତ୍ୟନାରାୟଣ ରଥଙ୍କ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ପ୍ରଫେସର ସତ୍ୟନାରାୟଣ ରଥ ଆଉ ନାହାନ୍ତି। ବୟସାଧିକ କାରଣରୁ ଗତକାଲି ରାତି ପ୍ରାୟ ୧୨ଟା ୧୦ ମିନିଟ୍‌ରେ ମୁମ୍ବାଇସ୍ଥିତ ବାସଭବନରେ ତାଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ତଥା ଆଦିତ୍ୟ ବିର୍ଲା କମ୍ପାନିର ବରିଷ୍ଠ ଉପ-ସଭାପତି ଦେବାଶିଷ ରଥ, ପୁତ୍ରବଧୂ ପ୍ରଫେସର ସ୍ନିଗ୍ଧା ମିଶ୍ରଙ୍କ ସମେତ ନାତୁଣି ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ଆଜି ସକାଳୁ ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ତାଙ୍କ କନ୍ୟା ତଥା ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଫେସର ନବନୀତା ରଥ ସୂଚନା ଦେଇଛନ୍ତି।

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ କାଳିଆକେରା ଗାଁରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ରଥ ପୁରୀ ଜିଲ୍ଲାସ୍କୁଲରେ ପ୍ରାଥମିକ ଓ ମଧ୍ୟମିକ ଶିକ୍ଷା ଲାଭ କରିଥିଲେ। ଏହାପରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଯୁକ୍ତ୨ ଓ ସ୍ନାତକ ଶିକ୍ଷା ଲାଭ କରିଥିଲେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚ୍‌ୟୁ)ରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବା ପରେ ସେ ବିଏଚ୍‌ୟୁରୁ ହିଁ ତାଙ୍କର ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ପରବର୍ତୀ ସମୟରେ ରିଡର ଓ ପରେ ପ୍ରଫେସର ଭାବେ ୩୦ରୁ ଅଧିକ ବର୍ଷ ଧରି କାର୍ଯ୍ୟ କରିଥିଲେ। ଶେଷରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ବିଶ୍ବବିଦ୍ୟାଳୟ ସିଣ୍ତିକେଟ୍‌ର ସଦସ୍ୟ, ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ରହିଥିଲେ। ତାଙ୍କ ନେତୃତ୍ବରେ ଉତ୍କଳ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ସାରା ଦେଶରେ ସୁନାମ ଅର୍ଜନ କରିଥିଲା। ତାଙ୍କ ତତ୍ତ୍ବାବଧାନରେ ଅନେକ ଛାତ୍ରଛାତ୍ରୀ ପିଏଚ୍‌ଡି ଡିଗ୍ରି ହାସଲ କରିବା ସହ ଜୀବନରେ ସଫଳତା ହାସଲ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଫେସର ଥିବା ତାଙ୍କ ପତ୍ନୀ ପ୍ରଫେସର ସାରଦା ରଥଙ୍କର ଆଗରୁ ବି‌େୟାଗ ହୋଇସାରିଛି।

ତାଙ୍କ ବିୟୋଗରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ପିଜି କାଉନସିଲ୍‌ ହଲ୍‌ରେ ଆଜି ଅନୁଷ୍ଠିତ ଏକ ଶୋକସଭାରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ପ୍ରଫେସର ଯୋଗଦେଇ ସ୍ବର୍ଗତ ରଥଙ୍କୁ ଜଣେ ଛାତ୍ରବତ୍ସଳ ଶିକ୍ଷକଭାବେ ଅଭିହିତ କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରଫେସର ରଥଙ୍କୁ ଅତ୍ୟନ୍ତ ଭଦ୍ର ଓ ମାର୍ଜିତ ସ୍ବଭାବର ବ୍ୟକ୍ତି ଭାବେ ଅଭିହିତ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟକୃଷ୍ଣ ବରାଳ ଶୋକବ୍ୟକ୍ତ କରି କହିଛନ୍ତି ଯେ ପ୍ରଫେସର ସତ୍ୟନାରାୟଣ ରଥଙ୍କର ରାଜନୀତି ବିଜ୍ଞାନର ମୂଳତତ୍ତ୍ବ ଏବଂ ରାଜନୀତି ଚିନ୍ତାଧାରାରେ ଅଗାଧ ପାଣ୍ଡିତ୍ୟ ଥିଲା। ‌େସ ସବୁବେଳ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଉଦ୍ୟମ କରୁଥିଲେ।

ସମ୍ବନ୍ଧିତ ଖବର