ଅଷ୍ଟମ ପରେ ଘରୋଇ ସ୍କୁଲ୍‌ରେ ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କ ମାଗଣା ପାଠପଢା ପ୍ରସଂଗ: ନିଷ୍ପତ୍ତି ନେବାକୁ ଗଣଶିକ୍ଷା ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଘରୋଇ ସ୍କୁଲରେ ଥିବା ମୋଟ ସିଟ୍‌ର ୨୫ ପ୍ରତିଶତରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପିଲା ମାଗଣାରେ ପଢ଼ିବେ। କିନ୍ତୁ ଶିକ୍ଷା ଅଧିକାର ଆଇନ ଅନୁସାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ସଂରକ୍ଷିତ ସିଟ୍‌ରେ ମାଗଣାରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀ ପଢ଼ିପାରିବେ। ଏପରି ଛାତ୍ରଛାତ୍ରୀ ଅଷ୍ଟମ ପାସ୍ କରିବା ପରେ ଆଗକୁ ମାଗଣାରେ ପଢିବା ପାଇଁ ଆଇନରେ କିଛି ବ୍ୟବସ୍ଥା ନାହିଁ। ଘରୋଇ ସ୍କୁଲରେ ପଢୁଥିବା ଏଭଳି ଛାତ୍ରଛାତ୍ରୀ ନବମ ଓ ଦଶମ ଶ୍ରେଣୀରେ ପଢ଼ିବା ପାଇଁ ଘରୋଇ ସ୍କୁଲ ଦ୍ବାରା ଧାର୍ଯ୍ୟ କରାଯାଇଥିବା ଫି ଦେବାକୁ ବାଧ୍ୟ ହେଉଛନ୍ତି। ଘରୋଇ ସ୍କୁଲ ଗୁଡିକରେ ଅଷ୍ଟମ ଶ୍ରେଣୀ ପରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀ କିଭଳି ମାଗଣାରେ ଶିକ୍ଷା ଗ୍ରହଣ କରି ପାରିବେ ଓ ଏ ବାବଦ ଅର୍ଥ ସରକାର ବହନ କରିବେ ସେ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା। ପିଲାମାନେ ମାଗଣାରେ ପଢିବା ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ। ଏଥିସହିତ ସରକାର ଏ ବାବଦ ଖର୍ଚ୍ଚ ବହନ କରିବା ଉଚିତ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

ହାଇକୋର୍ଟ ମାମଲାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର ତଥା ସଚିବଙ୍କୁ ଆବେଦନକାରୀ ଏହି ପ୍ରସଂଗରେ ଏପ୍ରିଲ ୨୪ ଭିତ‌ରେ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ସଚିବ ଏହି ପ୍ରସଂଗରେ ଶୁଣାଣି କରିବେ। ଶୁଣାଣି ତାରିଖ ନେଇ ଅତି କମରେ ଏକ ସପ୍ତାହ ପୂର୍ବରୁ ଆବେଦନକାରୀଙ୍କୁ ଅବଗତ କରାଯିବ। ଶୁଣାଣି ସମୟରେ ଆବେଦନକାରୀଙ୍କ ଦୁଇ ଜଣ ପ୍ରତିନିଧି ଉପସ୍ଥିତ ରହି ପକ୍ଷ ରଖି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ଅଭିଭାବକ ମହାସଂଘ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଦିଶା ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର