ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ହାଟଡିହି: ନନ୍ଦିପଦା ଥାନା ବଡ଼ରମ୍ପାସ ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନନ୍ଦିପଦା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ଗ୍ରାମର ଜଣେ ଦଶମ ଛାତ୍ରୀ ଗତ ଫେବ୍ରୁଆରି ହଠାତ୍‌ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ତାଙ୍କର ସନ୍ଧାନ ନ ପାଇବାରୁ ଫେବ୍ରୁଆରି ୧୭ରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ସେହି ଗ୍ରାମର ଜୀବନ ଖୁଣ୍ଟିଆ ନାମକ ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରି ବେଙ୍ଗାଲୁରୁ ନେଇଥିବା ଜଣାପଡ଼ିଥିଲା।

୧୫ ଦିନ ତଳେ ଜୀବନ ନାବାଳିକାଙ୍କୁ ବେଙ୍ଗାଲୁରୁରେ ଛାଡ଼ି ଘରକୁ ପଳାଇ ଆସିଥିଲା। ପରେ ନାବାଳିକା ଜଣଙ୍କ ଅନ୍ୟଜଣେ ଲୋକଙ୍କ ସହାୟତାରେ ଆସି ହାଟଡିହିର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ। ପରିବାର ଲୋକେ ଜାଣିବା ପରେ ନାବାଳିକାଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହ ଏ ସମ୍ପର୍କରେ ନନ୍ଦିପଦା ଥାନାରେ ଜଣାଇଥିଲେ। ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ କେସ୍‌ ନମ୍ବର ୩୧/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ଜୀବନ ଘରକୁ ଆସିଥିବା ଖବର ପାଇ ନନ୍ଦିପଦା ପୁଲିସ ଗତକାଲି ରାତିରେ ଚଢ଼ଉ କରିଥିଲା। ଆଜି ତାକୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର