ଏହି ତିନିଦିନ ମାଗଣାରେ ଛାତ୍ରଛାତ୍ରୀ ଭିତରକନିକା ବୁଲିପାରିବେ

କେନ୍ଦ୍ରାପଡ଼ା: ଭିତରକନିକାର ନୈସ୍ୱର୍ଗିକ ଶୋଭାରାଜିକୁ ଦେଖିବା ପାଇଁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ହେଲେ ଅନେକ ସମୟରେ ପ୍ରବେଶ ଶୁଳ୍କ ଓ ବୋଟିଂ ଭଡା ବାବଦକୁ ଅଧିକ ବ୍ୟୟ ହେଉଥିବାରୁ ଇଛା ଥିଲେ ବି ପର୍ଯ୍ୟଟକ ଆସି ନଥାନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏବଂ ଜାତୀୟ ଉଦ୍ୟାନ ଭିତରକନିକାକୁ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ବନବିଭାଗ    ନିଆରା ପଦକ୍ଷେପ ନେଇଛି । ଏଣିକି ତିନିଟି ଜାତୀୟ ଛୁଟି ଦିବସରେ ଭିତରକନିକାକୁ ଛାତ୍ରଛାତ୍ରୀମାନେ ବିନା ଶୁକ୍ଳରେ ପ୍ରବେଶ କରିପାରିବେ । ଏହା ସହିତ ଛାତ୍ରଛାତ୍ରୀଙ୍କୁ ମାଗଣା ବୋଟିଙ୍ଗର ସେବା ମଧ୍ୟ ଯୋଗାଇଦେବାକୁ ବନ ବିଭାଗ ସ୍ଥିର କରିଛି।

ଗାନ୍ଧି ଜୟନ୍ତୀ, ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ଭିତରକନିକା ବୁଲିବାକୁ ଗଲେ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ଶୁକ୍ଳ ବା ବୋଟିଂ ବାବଦରେ ଭଡା ଦେବାକୁ ପଡିବନି । ମାଗଣାରେ ଛାତ୍ରଛାତ୍ରୀ ବୁଲିବା ପାଇଁ ରାଜନଗର ବନବିଭାଗ ନିଷ୍ପତ୍ତି ନେଇଛି। ବନବିଭାଗର ଏହି ପ୍ରୟାସ ଖାଲି ରାଜନଗର ନୁହେଁ ସମଗ୍ର ଭାରତବର୍ଷର ଛାତ୍ରଛାତ୍ରୀଙ୍କୁ ଭିତରକନିକାକୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର