ତାତିରୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ତାତିରୁ ମିଳିଛି ଟିକିଏ ଆଶ୍ୱସ୍ତି। ସପ୍ତାହେ ହେଲା ସାରା ରାଜ୍ୟର ତାପମାତ୍ରା ୩୫ ଡିଗ୍ରି ଉପରେ ରହୁଥିଲା। କେତେକ ସ୍ଥାନରେ ୩୯ ଡିଗ୍ରି ବି ଟପିଯାଇଥିଲା। ଆଜି ହଠାତ୍‌ ତାପମାତ୍ରା ହ୍ରାସ ପାଇଛି। ସମସ୍ତ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇଛି। ଭୁବନେଶ୍ୱରର ତାପମାତ୍ରା ହ୍ରାସ ପାଇ ୩୫.୩ ଡିଗ୍ରିରେ ପହଞ୍ଚିଛି। ଟିଟିଲାଗଡ଼, ମାଲକାନଗିରି, ସୋନପୁର, ଅନୁଗୁଳ, ତାଳଚେର ସହରରେ ମଧ୍ୟ ତାତି କମିଛି। ମାତ୍ର ୧୦ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା। କେବଳ ମାଲକାନଗିରି ଓ ସୋନପୁରରେ ୩୭.୬ ଡିଗ୍ରି ଲେଖାଏ ରହିଛି। ବାରିପଦାରେ ୩୬.୮, ବଲାଙ୍ଗିରରେ ୩୫.୮, ଅନୁଗୁଳରେ ୩୬.୭, ବାଲେଶ୍ୱରରେ ୩୫.୬, ଚାନ୍ଦବାଲିରେ ୩୫.୪, ଝାରସୁଗୁଡ଼ାରେ ୩୫.୩, ଭବାନୀପାଟଣାରେ ୩୫ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପାଗରେ ସେଭଳି ଆଖିଦୃଶିଆ ପରିବର୍ତନ ହେବନି। ୨ରୁ ୩ ଡିଗ୍ରି ଏପାଖସେପାଖ ରହିବ। ମାର୍ଚ୍ଚ ୧୦ ଓ ୧୧ରେ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଘୂଣ୍ଣିଝଡ଼ ସହ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର