ସଂସଦ ଅଚଳ :ଦ୍ୱିତୀୟ ଦିନ ପାଇଁ କାର୍ଯ୍ୟ ଠପ୍‌

ପିଏନ୍‌ବି ମାମଲାରେ ବିତର୍କ ପାଇଁ ସରକାର ପ୍ରସ୍ତୁତ
-ଭର୍ତ୍ତୃହରିଙ୍କ ଆସନ ପାଖକୁ ଯାଇ ସୋନିଆଙ୍କ ଆଲୋଚନା

ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିବସ ମଧ୍ୟ ହଙ୍ଗାମାରେ ବଳି ପଡ଼ିଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ଏବଂ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ବିରୋଧୀ ଦଳ ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ ଏବଂ କୌଣସି କାର୍ଯ୍ୟ କରାଇ ଦେଇନଥିଲେ। ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ପ୍ରମୁଖ ବିରୋଧୀ ଦଳଗୁଡ଼ିକ ବ୍ୟତୀତ ଏନ୍‌୍‌ଡିଏ ସହଯୋଗୀ ଶିବସେନା ମଧ୍ୟ ଉଭୟ ଗୃହରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଦେଖିବାକୁ ମିଳିଥିଲା। ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବାକୁ ଦାବି କରି ଶିବସେନା ସଦସ୍ୟମାନେ ହଙ୍ଗାମା କରିଥିବା ବେଳେ ଏଆଇଏଡିଏମ୍‌କେ ସାଂସଦମାନେ କାବେରୀ ଜଳ ପରିଚାଳନା ବୋର୍ଡ ଗଠନ ଦାବି କରି ପାଟିତୁଣ୍ଡ କରିଥିଲେ। ତେଲେଙ୍ଗାନାରେ ସଂରକ୍ଷଣ କୋଟା ବୃଦ୍ଧି ଦାବି କରି ଟିଆର୍‌ଏସ୍‌ ସାଂସଦମାନେ ଜୋର୍‌ଦାର ଦାବି ଉପସ୍ଥାପନ କରିଥିଲେ।

କଂଗ୍ରେସ ଉଭୟ ଗୃହରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ପାଇଁ ସରକାରଙ୍କୁ ଘେରିବାକୁ ପ୍ରୟାସ କରିଥିଲା। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଜାରି ରଖିବାରୁ ଗୃହ କାର୍ଯ୍ୟ ଅଚଳ ହୋଇପଡ଼ିଥିଲା। ଲୋକସଭାରେ ଶୂନ୍ୟକାଳରେ ହଟ୍ଟଗୋଳ ଚାଲିଥିବା ବେଳେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ଆସନ ପାଖକୁ ଯାଇଥିଲେ ଏବଂ ଦୁଇ ତିନି ମିନିଟ୍‌ ଆଲୋଚନା କରିଥିଲେ। ତେବେ ଆଲୋଚନାର ବିଷୟବସ୍ତୁ ଜଣାପଡ଼ିନାହିଁ। ତେବେ ଏହା ସାଂପ୍ରତିକ ପରିସ୍ଥିତିରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । ଚଳିତ ମାସ ୧୩ ତାରିଖରେ ସୋନିଆ ବିଜେପି ବିରୋଧରେ ମିଳିତ ଫ୍ରଣ୍ଟ୍‌ ଗଠନ କରିବା ଉଦ୍ଦେଶ୍ୟରେ ସବୁ ବିରୋଧୀ ଦଳ ନେତାଙ୍କୁ ରାତ୍ରିଭୋଜନ ପାଇଁ ଅମାନ୍ତ୍ର କରିଛନ୍ତି।

ପିଏନ୍‌ବିରେ ହୋଇଥିବା ୧୨ ହଜାର କୋଟି ଟଙ୍କା ଦୁର୍ନୀତି ନେଇ ସରକାର ଗୃହରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଆଜି ଲୋକସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଥିଲେ। ଏହାସହିତ ଏ ବାବଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌୍‌ଲି ବିତର୍କରେ ଜବାବ ରଖିବେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ। ତେବେ ବିରୋଧୀ ଦଳ ଏଥିରେ ସନ୍ତୁଷ୍ଟ ନହୋଇ ହଙ୍ଗାମା ଜାରି ରଖିଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ଚାହୁନାହିଁ କେବଳ ଏହି ପ୍ରସଙ୍ଗକୁ ଆଳକରି ଗୃହକୁ ଅଚଳ ରଖିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ। ଏହା ସୁସ୍ଥ ସଂସଦୀୟ ପରମ୍ପରା ନୁହେଁ ବୋଲି ସେ କହିଥିଲେ। ୟୁପିଏ ସରକାର ଅମଳରେ ବ୍ୟାଙ୍କ୍‌ ଅନିୟମିତତାର ସୁଯୋଗ ନେଇ ନିରବ ମୋଦି କିଭଳି ବିପୁଳ ଋଣ ଉଠାଇଥିଲେ ସେ ସଂପର୍କରେ ଆଲୋଚନା ପାଇଁ କଂଗ୍ରେସ ଡରୁଛି ବୋଲି ସେ କହିଥିଲେ। କଂଗ୍ରେସ ସାଂସଦମାନେ ‘ଛୋଟା ମୋଦି, ବଡ଼ା ମୋଦି ମୁର୍ଦାବାଦ’ ସ୍ଲୋଗାନ ଜାରି ରଖିଥିବା ବେଳେ ଟିଏମ୍‌୍‌ସି ଓ ଅନ୍ୟ ବିରୋଧୀ ଦଳ ସାଂସଦ ଏଥିରେ ସ୍ୱର ମିଳାଇଥିଲେ।

ସମ୍ବନ୍ଧିତ ଖବର