ଇକୋ ଟୁରିଜିମ୍ ପାଇଁ ୩୦ କୋଟି

ଭୁବନେଶ୍ବର : ରାଜ୍ୟରେ ପ୍ରକୃତି ପର୍ଯ୍ୟଟନ(ଇକୋ ଟୁରିଜିମ) ଉଲ୍ଲେଖନୀୟ ସଫଳତା ହାସଲ କରିଛି। କୋଭିଡ ମହାମାରୀ ପ୍ରଭାବିତ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଦୁଇବର୍ଷରେ ଇକୋ-କେନ୍ଦ୍ରରେ ପର୍ଯ୍ୟଟକଙ୍କ ସଂଖାରେ ୯୬ପ୍ରତିଶତ ଓ ରାଜସ୍ବ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ତେଣୁ ନୂଆ ପ୍ରକୃତି ପର୍ଯ୍ୟଟନ କେନ୍ଦ୍ରର ବିକାଶ, ବିକାଶ ହୋଇଥିବା ସ୍ଥାନଗୁଡ଼ିକର ରକ୍ଷଣାବେକ୍ଷଣ ଓ ଦୃଢ଼ୀକରଣ, ନିର୍ମାଣାଧୀନ କେନ୍ଦ୍ରଗୁଡ଼ିକର ତ୍ବରିତ କାର୍ଯ୍ୟାନ୍ବୟନ ଓ ଇକୋ-କେନ୍ଦ୍ର ଚଳାଉଥିବା ସ୍ଥାନୀୟ ବାସିନ୍ଦାମାନଙ୍କର ତାଲିମ ଓ ଦକ୍ଷତା ବୃଦ୍ଧି ପାଇଁ ୩୦ କୋଟି ଟଙ୍କାର କାର୍ଯ୍ୟ ଯୋଜନାକୁ ସରକାର ଅନୁମୋଦନ କରିଛନ୍ତି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଡିଜଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ପ୍ରକୃତି ପର୍ଯ୍ୟଟନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ବୟନ ଓ ପରିଚାଳନା ସମ୍ବନ୍ଧରେ ଆଲୋଚନା କରିଥିଲେ। ବୈଠକରେ ୫ଟି ନୂଆ ସ୍ଥାନକୁ ୱେବ୍‌ସାଇଟ୍‌ରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି। ବରଗଡ଼ ଜିଲ୍ଲାର ନୃସିଂହନାଥ, କୋରାପୁଟର ଦେବଦାରୁ(ପାଇନ) ବଣ, ନୂଆପଡ଼ାର ପାତୋରା ଡ୍ୟାମ, ସୁନ୍ଦରଗଡ଼ର ଟେନ୍‌ସା ଓ କେନ୍ଦୁଝରର କାଞ୍ଜିଆପାଣିଠାରେ ଏହି ନୂତନ ପ୍ରକୃତି ପର୍ଯ୍ୟଟନସ୍ଥଳୀ ବିକଶିତ କରାଯାଇଛି। ନୂଆ ସ୍ଥାନଗୁଡ଼ିକର ବିକାଶ ସମୟରେ ପର୍ଯ୍ୟଟନ ସମ୍ଭାର ଓ ଅନ୍ୟ ରାଜ୍ୟ ତଥା ବିଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ସମ୍ଭାବନାକୁ ଲକ୍ଷ୍ୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି।

କଳିଙ୍ଗା ଘାଟିର ପାଇନ ବଣ, ବଣାଇ, ଦେଓମାଳି ପର୍ବତ ଶିଖର, ଡମ୍ବରୁଗଡ଼ ଓ କଳାହାଣ୍ଡିର ଜଖମ ଆଦି ସ୍ଥାନକୁ ରାତି-ରହଣୀ, ଇକୋ କେନ୍ଦ୍ର ଭାବେ ବିକଶିତ କରାଯିବ। ଏହାଛଡ଼ା ଫୁଲବାଣୀ ବନଖଣ୍ଡର ସିକିରି, ବଲାଙ୍ଗୀର ବନଖଣ୍ଡର ଭୀମଡୁଙ୍ଗୁରି, ସାତକୋଶିଆର ବାଲିପୁଟ, କଳାହାଣ୍ଡିର ଫୁଲଝରଣ ଓ ରାବଣଧାର ଝରଣା, ଢେଙ୍କାନାଳର ଚକୁରିଆ ଘାଟ ଓ ବୌଦ୍ଧ ବନଖଣ୍ଡର ଡମ୍ବରୁଗଡ଼ଠାରେ‌ ପ୍ରକୃତି ପର୍ଯ୍ୟଟନସ୍ଥଳୀ ମଧ୍ୟ ବିକଶିତ ହେବ। ପ୍ରକୃତି ପର୍ଯ୍ୟଟନ କେନ୍ଦ୍ରମାନଙ୍କରେ ପରିଚ୍ଛନ୍ନତା, ସ୍ବାସ୍ଥ୍ୟକର ପରିବେଶ ଓ କୋଭିଡ ପ୍ରତିରୋଧ ବ୍ୟବସ୍ଥା ଓ ନିୟମର ଅନୁପାଳନ ଉପରେ ଗୁରୁତ୍ବ ଦିଆଯାଇଛି। କୋଭିଡ ପ୍ରତିରୋଧ ପାଇଁ ଜାରି ହୋଇଥିବା ଏସ୍‌ଓପି ପାଇଁ ୨୫ ବନଖଣ୍ଡକୁ ସମୁଦାୟ ସମୁଦାୟ ୧୫୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ୨୦୧୭/୧୮ରେ ରାଜ୍ୟରେ ଇକୋ କେନ୍ଦ୍ରମାନଙ୍କୁ ୧୧,୫୦୦ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୮/୧୯ରେ ପର୍ଯ୍ୟଟକଙ୍କ ସଂଖ୍ୟା ୨୯,୦୨୪ ଓ ୨୦୨୦/୨୧ରେ ୫୭ ହଜାରକୁ ବୃଦ୍ଧି ପାଇଛି। ୨୦୧୭/୧୮ରେ ପ୍ରକୃତି ପର୍ଯ୍ୟଟନରୁ ୩.୪ କୋଟି, ୨୦୧୮/୧୯ରେ ୫.୬୧ କୋଟି ଓ ୨୦୨୦/୨୧ରେ ଏହା ୮.୩୨ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଛି। ବୈଠକରେ ପ୍ରଧାନ ବନରକ୍ଷକ(ବନ୍ୟଜନ୍ତୁ) ଶଶି ପଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର