ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ରାହୁଲ, ଜାଦେଜା ସମ୍ମାନ ରଖିଲେ

ନଟିଂହାମ : ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଭାରତୀୟ ଦଳ ପ୍ରଥମ ପାଳିରେ ୯୫ ରନ୍ ଅଗ୍ରଣୀ ନେଇଛି। ପ୍ରଥମ ଦିବସରେ ଇଂଲଣ୍ଡକୁ ୧୮୩ ରନ୍‌ରେ ଅଲ୍‌ଆଉଟ୍ କରିଥିବା ଭାରତୀୟ ଦଳ ଏହାର ଜବାବରେ ୨୭୮ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଦେଇଛି। କେଏଲ୍ ରାହୁଲ୍ (୮୪) ଏବଂ ରବୀନ୍ଦ୍ର ଜାଦେଜା (୫୬) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ଭାରତର ସମ୍ମାନ ରଖିଛନ୍ତି। ଦୁଇ ଦ୍ରୁତ ବୋଲର ଓଲି ରବିନସନ୍‌ (୫/୮୫) ଏବଂ ‌ଜେମ୍ସ ଆଣ୍ଡରସନ୍‌ (୪/୫୪) ଇଂଲଣ୍ଡକୁ ପ୍ରତ୍ୟାବର୍ତନ କରାଇଛନ୍ତି। ତୃତୀୟ ଦିନରେ ମଧ୍ୟ ବର୍ଷାର ବାରମ୍ବାର ଖେଳ ଜାରି ରହିଥିଲା। ତୃତୀୟ ଦିନରେ ବର୍ଷା ପାଇଁ ଆଗୁଆ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଇଂଲଣ୍ଡ ଦ୍ବିତୀୟ ପାଳିରେ କୌଣସି ୱିକେଟ୍ ନ ହରାଇ ୨୫ ରନ୍‌ କରିଥିଲା।

ଭାରତ ଶୁକ୍ରବାର ପୂର୍ବଦିନର ଅସମାପ୍ତ ପାଳି ୧୨୫/୪ରୁ ଖେଳିଥିଲେ ମଧ୍ୟ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍‌ କେଏଲ୍ ରାହୁଲ ଓ ଋଷଭ ପନ୍ତ ଇଂଲଣ୍ଡ ବୋଲରଙ୍କୁ ପ୍ରାରମ୍ଭିକ ସଫଳତା ଦେଇନଥିଲେ। ପନ୍ତ (୨୫, ୨୦ ବଲ୍) କିନ୍ତୁ ରବିନସନଙ୍କଠାରୁ ବାଉଣ୍ଡରି ମାରିବାର ପରବର୍ତୀ ବଲ୍‌ରେ ସର୍ଟ କଭରରେ ବେୟାରଷ୍ଟୋଙ୍କୁ ସହଜ କ୍ୟାଚ୍‌ ଦେଇ ଫେରି ଆସିଥିଲେ। ଏହା ପରେ ଅର୍ଦ୍ଧଶତକ ହାସଲ ପରେ ଦୁଇ ଥର କ୍ୟାଚ୍‌ ଡ୍ରପ୍‌ରୁ ଜୀବନଦାନ ପାଇଥିବା ରାହୁଲ (୮୪, ୨୧୪ ବଲ୍‌) କିନ୍ତୁ ଆଣ୍ଡରସନ୍‌ଙ୍କ ବଲ୍‌ରେ ୱିକେଟ ପଛପଟେ ବଟଲରଙ୍କ ଗ୍ଲୋଭ୍‌ସରେ ଧରାପଡ଼ିଥିଲେ। ଭାରତ ହାତରୁ ପୁଣି ସୁଯୋଗ ଖସିଯିବା ଭଳି ସ୍ଥିତି ଥିଲେ ମଧ୍ୟ ରବୀନ୍ଦ୍ର ଜାଦେଜା (୫୬, ୮୬ ବଲ୍‌, ୮ ଚୌକା, ୧ ଛକା) ଏବଂ ଯଶପ୍ରୀତ୍ ବୁମରା (୨୮, ୩୪ ବଲ୍, ୩ ଚୌକା, ୧ ଛକା)ଙ୍କ ପାଳି ଭାରତକୁ ମହତ୍ବପୂର୍ଣ୍ଣ ୯୫ ରନ୍‌ ଅଗ୍ରଣୀ ଦେଇଥିଲା। ବୁମରାଙ୍କ ପାଇଁ ଭାରତ ଶେଷ ୱିକେଟରେ ୩୩ ରନ୍‌ ଯୋଡ଼ିପାରିଥିଲା। ବର୍ଷା ବେଳକୁ ଇଂଲଣ୍ଡ କିନ୍ତୁ ବିନା କ୍ଷତିରେ ୨୫ ରନ୍‌ ସଂଗ୍ରହ କରି ନେଇଥିବାରୁ ଘରୋଇ ଦଳ ଏବେ ଆଉ ୭୦ ରନ୍‌ ପଛ‌ରେ ରହିଛି।

କୁମ୍ବଲେଙ୍କୁ ଟପିଲେ ଆଣ୍ଡରସନ୍‌
ନଟିଂହାମ୍‌ : ଇଂଲଣ୍ଡର ଭେଟେରାନ୍‌ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଶୁକ୍ରବାର ଟେଷ୍ଟ୍‌ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ଦଖଲ କରିବାରେ ତୃତୀୟ ବୋଲର ହୋଇଛନ୍ତି। ଏକ୍ଷେତ୍ରରେ ସେ ଭାରତୀୟ ସ୍ପିନ୍‌ କିଂବଦନ୍ତି ଅନିଲ କୁମ୍ବଲେ (୬୧୯)ଙ୍କୁ ଟପି ଯାଇଛନ୍ତି। ଜଣେ ଡାହାଣହାତୀ ଦ୍ରୁତ ବୋଲର ଭାବେ ପରିଚିତ ଆଣ୍ଡରସନ୍‌ ଭାରତ ବିପକ୍ଷ ଚଳିତ ପ୍ରଥମ ଟେଷ୍ଟ୍‌ର ତୃତୀୟ ଦିବସରେ ହିଁ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ତାଙ୍କ ବଲ୍‌ରେ କେଲ୍‌ ରାହୁଲଙ୍କ କ୍ୟାଚ୍‌ ୱିକେଟ୍‌ରକ୍ଷକ ଜୋସ୍‌ ବଟଲର୍‌ ଧରିନେବା ପରେ ଆଣ୍ଡରସନ୍‌ ଖୁସୀ ମନାଇଥିଲେ। ରାହୁଲ ୮୪ ରନ୍‌ କରିଥିଲେ। ଏବେ ସର୍ବକାଳୀନ ସର୍ବାଧିକ ଟେଷ୍ଟ୍‌ ୱିକେଟ୍‌ ଦଖଲକାରୀ ବୋଲରଙ୍କ ତାଲିକାରେ ଆଣ୍ଡରସନ୍‌ଙ୍କ ଉପରକୁ କେବଳ ସିଂହଳୀ ସ୍ପିନ୍‌ କିଂବଦନ୍ତି ମୁଥେୟା ମୁରଲୀଧରନ୍‌ (୮୦୦) ଏବଂ ଅଷ୍ଟ୍ରେଲୀୟ ସ୍ପିନ୍‌ କିଂବଦନ୍ତି ସେନ୍‌ ୱର୍ଣ୍ଣ (୭୦୮) ରହିଛନ୍ତି। ୨୦୦୩ରେ ପଦାର୍ପଣ କରିଥିବା ଆଣ୍ଡରସନ୍‌ ନିଜର ୧୬୩ତମ ଟେ‌ଷ୍ଟ୍‌ରୁ ହିଁ ଏହି ସଫଳତା ହାସଲ କରିନେଇଛନ୍ତି। ସେ ମଧ୍ୟ ଏହି ତାଲିକାରେ ସବୁଠୁ ସଫଳ ଦ୍ରୁତ ବୋଲର ରହିଛନ୍ତି। ଶୁକ୍ରବାର ଭାରତ ପ୍ରଥମ ପାଳିରେ ଆଣ୍ଡରସନ୍‌ ୪ (ରାହୁଲ, ‌ଚେତେଶ୍ବର ପୂଜାରା, ବିରାଟ କୋହଲି ଓ ଶାର୍ଦୁଲ ଠାକୁର) ୱିକେଟ୍‌ ଅକ୍ତିଆର କରିଛନ୍ତି।

ଜାଦେଜାଙ୍କ ଦ୍ରୁତତମ ଅଲରାଉଣ୍ଡ୍‌ ‘ଡବଲ୍‌’, ୨୦୦୦ ରନ୍‌ ଓ ୨୦୦ ୱିକେଟ୍‌
ନଟିଂହାମ୍‌ : ଅର୍ଦ୍ଧଶତକୀୟ ପାଳି ଅବସରରେ ରବୀନ୍ଦ୍ର ଜାଦେଜା ଶୁକ୍ରବାର ଏକ ବ୍ୟକ୍ତିଗତ ମାଇଲଖୁଣ୍ଟର ଅଧିକାରୀ ହୋଇଛନ୍ତି। ଟେଷ୍ଟ୍ କ୍ରିକେଟରେ ୨୦୦୦ରୁ ଊର୍ଧ୍ବ ରନ୍ ଏବଂ ୨୦୦ରୁ ଊର୍ଧ୍ବ ୱିକେଟ୍‌ ଅର୍ଜନରେ ସେ ବିଶ୍ବର ଦ୍ରୁତତମ ଅଲରାଉଣ୍ଡର୍‌ ହୋଇଛନ୍ତି। ଏହି ବାମହାତୀ ସୌରାଷ୍ଟ୍ର ଅଲ୍‌ରାଉଣ୍ଡର୍‌ ନିଜର ୫୩ତମ ଟେଷ୍ଟ୍‌ରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଇଂଲଣ୍ଡର ଇଆନ୍ ବୋଥାମ (୪୨), ଭାରତର କପିଳ ଦେବ (୫୦), ପାକିସ୍ତାନର ଇମ୍ରାନ୍ ଖାନ୍‌ (୫୦) ଏବଂ ଭାରତର ରବିଚନ୍ଦ୍ରନ ଅଶ୍ବିନ୍ (୫୧) ପ୍ରଥମ ୪ ସ୍ଥାନରେ ରହିଛନ୍ତି। ଜାଦେଜା ମଧ୍ୟ ପଞ୍ଚମ ଭାରତୀୟ ଏବଂ ବିଶ୍ବର ୨୧ତମ ଖେଳାଳି ଭାବେ ଏହି ଅଲରାଉଣ୍ଡ୍‌ ଡବଲ୍ ଅର୍ଜନ କରିଛନ୍ତି। ଭାରତୀୟଙ୍କ ତାଲିକାରେ ଜାଜେଦାଙ୍କ ପୂର୍ବରୁ କପିଳ ଦେବ, ରବିଚନ୍ଦ୍ରନ ଅଶ୍ବିନ, ଅନିଲ କୁମ୍ବଲେ ଓ ହରଭଜନ ସିଂହ ଏହି କ୍ଲବ୍‌ରେ ଥିଲେ। କପିଳ ଦେବ ୧୩୧ ଟେଷ୍ଟରୁ ୩୧.୦୫ ହାରରେ ୫୨୪୮ ରନ୍‌ ଏବଂ ୪୩୪ ୱିକେଟ୍ ନେଇ ଭାରତୀୟଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ୍ ମ୍ୟାଚ୍‌ ପୂର୍ବରୁ ଜାଦେଜା ୨୦୦୦ ରନ୍‌ଠାରୁ ୧୫ ରନ୍‌ ଦୂରରେ ଥିବା‌ବେଳେ ୨୨୧ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର