ଐତିହ୍ୟ ଉପରେ ଡ୍ରୋନ୍‌ ଉଡ଼ାଇବା ପାଇଁ ନାଇଜର୍‌କୁ ଅନୁମତି

ଭୁବନେଶ୍ବର : କେନ୍ଦ୍ରୀୟ ସଂରକ୍ଷିତ କିର୍ତ୍ତୀରାଜିଗୁଡ଼ିକର ଆକାଶମାର୍ଗରୁ ସର୍ବେକ୍ଷଣ ଓ ଫଟୋଗ୍ରାମେଟ୍ରି ପାଇଁ ଡ୍ରୋନ ବ୍ୟବହାର କରିବାକୁ ଭୁବନେଶ୍ବରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ(ନାଇଜର୍‌)କୁ ଅନୁମତି ଦିଆଯାଇଛି। ମାନବବିହୀନ ବିମାନ ବ୍ୟବସ୍ଥା(ୟୁଏଏସ) ନିୟମାବଳି, ୨୦୨୧କୁ ସର୍ତ୍ତମୂଳକ ଭାବେ କୋହଳ କରାଯିବା ସହ ଏହି ମଞ୍ଜୁରି ମିଳିଛି। ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ(ଏମଓସିଏ) ଓ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏ ସଂକ୍ରାନ୍ତରେ ଆବଶ୍ୟକ ଅନୁମତି ଦିଆଯାଇଛି।

ସର୍ତ୍ତ କୋହଳ ଫଳରେ କେନ୍ଦ୍ରୀୟ ସଂରକ୍ଷିତ କିର୍ତ୍ତୀରାଜିଗୁଡ଼ିକର ସର୍ବେକ୍ଷଣ ଓ ଫଟୋଗ୍ରାମେଟ୍ରି (ଭୌତିକ ବସ୍ତୁ ଓ ପରିବେଶ ସମ୍ପର୍କରେ ଭରସାଯୋଗ୍ୟ ସୂଚନା ସଂଗ୍ରହ କରିବା ଲାଗି ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗ) ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ସହଭାଗିତାରେ ଡ୍ରୋନ ବ୍ୟବହାର କରାଯାଇପାରିବ। ନାଇଜର୍‌କୁ ଯେଉଁ ସବୁ ସ୍ଥାନରେ ଡ୍ରୋନ୍‌ ବ୍ୟବହାର ନିମନ୍ତେ ଅନୁମତି ମିଳିଛି ସେଗୁଡ଼ିକ ହେଲା; ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ ରାଜାରାଣୀ ମନ୍ଦିର। ମଞ୍ଜୁରି ମିଳିବା ତାରିଖରୁ ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ, ଯାହା ପ୍ରଥମେ ହୋଇଥିବ, ଏହି କୋହଳ ବ୍ୟବସ୍ଥା ଲାଗୁ ହେବ। ତେବେ ଏଥିରେ ଡିଜିସିଏ ଦ୍ବାରା ଜାରି କରାଯାଇଥିବା ଏସଓପିର ନିୟମ ଓ ସର୍ତ୍ତାବଳି ଲାଗୁ ହେବ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ହିସାର, ପଞ୍ଚକୁଲା, ଅମ୍ବାଲା ସହରାଞ୍ଚଳରେ ଅମୃତ ସହରଗୁଡ଼ିକର ବିକାଶ ପାଇଁ ତଥ୍ୟ ସଂଗ୍ରହ, ମ୍ୟାପିଂ ଓ ୱେବ୍‌ ଆଧାରିତ ଜିଆଇଏସ୍‌ ପ୍ଲାଟଫର୍ମକୁ କାର୍ଯ୍ୟକାରୀ କରିବା ପାଇଁ ମଞ୍ଜୁରି ଦିଆଯାଇଥିଲା। ସେହିପରି ସମ୍ପତ୍ତି ଟିକସ ସଂଗ୍ରହ ନିମନ୍ତେ ହରିୟାଣାର ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ(ଡିୟୁଏଲବି)ଗୁଡ଼ିକୁ ଡ୍ରୋନ ବ୍ୟବହାର ନିମନ୍ତେ ମଞ୍ଜୁରି ମିଳିଥିଲା।

ସମ୍ବନ୍ଧିତ ଖବର