ଅଭୟାରଣ୍ୟରେ ୩୫୮କୋଟିର ଜଳ ପ୍ରକଳ୍ପ

ଅନୁଗୁଳ : ସାତଦିନ ତଳେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପାନୀୟ ଜଳ ପ୍ରକଳ୍ପ ପାଇଁ ମହାନଦୀର ଯେଉଁ ଅଞ୍ଚଳରୁ ପାଣି ଟାଣିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି, ତାହା ବ୍ୟାଘ୍ର ପ୍ରକଳ୍ପର କୋର୍‌ ଏରିଆ ଏବଂ ଅଭୟାରଣ୍ୟ ଭିତରେ ଯାଉଛି। ଅଭୟାରଣ୍ୟ ଭିତରୁ ପାଣି ନେବା ଉପରେ କଟକଣା ରହିଛି। କେନ୍ଦ୍ରୀୟ ସଂସ୍ଥା ନ୍ୟାସ୍‌ନାଲ୍ ବୋର୍ଡ ଫର୍‌ ୱାଇଲ୍ଡ ଲାଇଫ୍‌ ଅନୁମତି ବିନା ଅଭୟାରଣ୍ୟ ଭିତରେ ପାଇପ୍‌ ବିଛାଇବା ବି ମନା। ଏଭଳି ସ୍ଥିତିରେ ଅଭୟାରଣ୍ୟ ଭିତରେ ୩୫୮କୋଟିର ପ୍ରକଳ୍ପ କରିବାକୁ କିଏ ଅନୁମତି ଦେଲେ? ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଖୋଦ୍‌ ସାତକୋଶିଆ କର୍ତୃପକ୍ଷ ଏ ସମ୍ପର୍କରେ ଅଜ୍ଞ ବୋଲି କହିବାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ତେବେ, ପରିବେଶ ମଞ୍ଜୁରି ନେଇ ଖୋଦ୍‌ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଦୃଢ଼ୋକ୍ତି କରିଛନ୍ତି।

ସୂଚନା ଅନୁସାରେ, ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଯେଉଁଠାରୁ ପାଣି ଟାଣିବାକୁ ଚାହୁଛନ୍ତି, ତାହା ହେଉଛି ଗଇଁଦି ବେହେରାସାହି ଅଞ୍ଚଳ। ଅନୁଗୁଳ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତର ଏକ ରାଜସ୍ବ ଗାଁ। ଯାହା ବ୍ୟାଘ୍ର ପ୍ରକଳ୍ପର ଆଭ୍ୟନ୍ତରୀଣ ଅଞ୍ଚଳ। ଏହି ଅଭୟାରଣ୍ୟ ଭିତରେ ଜଳଯୋଗାଣ ପ୍ରକଳ୍ପ ହେଲେ ଜଙ୍ଗଲ ଭିତରେ ବଡ଼ବଡ଼ ପାଇପ୍‌ ସବୁ ବିଛାଯିବ। ତେବେ, ନ୍ୟାସ୍‌ନାଲ୍ ବୋର୍ଡ ଫର୍‌ ୱାଇଲ୍ଡ ଲାଇଫ୍‌ର ବିନା ଅନୁମତିରେ ଅଭୟାରଣ୍ୟ ଭିତରେ ପାଇପ୍‌ ବିଛାଇବା ଉପରେ କଟକଣା ରହିଛି। ତେବେ, ରାଜ୍ୟ ସରକାର ପ୍ରକଳ୍ପର ଶିଳାନ୍ୟାସ କରିସାରିଥିବା ବେଳେ ଏହି ପ୍ରକଳ୍ପ ପାଇଁ ପରିବୋ ମଞ୍ଜୁରି ମିଳିଛି କି ନାହିଁ, ତାହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି।

ପରିବେଶ ମଞ୍ଜୁରି ନେଇ ଦ୍ବନ୍ଦ୍ବ
ଦୃଢ଼ୋକ୍ତି ବାଢ଼ିଲେ ବିଧାୟକ, କହିଲେ ଅନୁମତି ଅଛି
ଗଣ୍ଡରୁ ପାଣି ନେବା ସମ୍ପର୍କରେ ଆମେ ଅଜ୍ଞ: ଡିଏଫ୍‌ଓ

ତେବେ, ଅନୁଗୁଳ ବିଧାୟକ ଶ୍ରୀ ସିଂହଙ୍କ କହିବା ମୁତାବକ, ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ପରେପରେ ଏହି ପ୍ରକଳ୍ପର ଟେଣ୍ଡର୍‌ କରାଯାଇଥିଲା। ପ୍ରକଳ୍ପର ନକ୍ସା ତିଆରି କରିବା ପାଇଁ ସଂସ୍ଥାକୁ କୁହାଯାଇଛି। ଅଭୟାରଣ୍ୟ ଭିତରେ ଏତେ ବଡ଼ ପ୍ରକଳ୍ପ କରିବାକୁ ପରିବେଶ ମଞ୍ଜୁରି ନିଆଯାଇଛି କି ନାହିଁ? ଏ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପରିବେଶ ମଞ୍ଜୁରି ନ ମିଳିଲେ ରାଜ୍ୟ ସରକାର ଟେଣ୍ଡର୍‌ କରିବାକୁ ଯିବେ ନାହିଁ। ଟେଣ୍ଡର ହୋଇଛି ମାନେ ନିଶ୍ଚିତ ପରିବେଶ ମଞ୍ଜୁରି ମିଳିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ପରିବେଶ ମଞ୍ଜୁରି ସମ୍ପର୍କରେ ଖୋଦ୍‌ ସାତକୋଶିଆ କର୍ତୃପକ୍ଷ ଅଜ୍ଞ ଅଛନ୍ତି। ସାତକୋଶିଆ ଡିଏଫ୍‌ଓ ଡ. ସରୋଜ କୁମାର ପଣ୍ଡା କହିଛନ୍ତି, ସାତକୋଶିଆରୁ ପାଣି ନିଆଯିବ ବୋଲି ସରକାରୀସ୍ତରରେ ଆମ ପାଖକୁ କୌଣସି ଚିଠି ଆସିନାହିଁ। ଏ ସମ୍ପର୍କରେ ଆମେ କିଛି ଜାଣିନାହୁଁ। ସେହିଭଳି, ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗ ଯନ୍ତ୍ରୀ ନମିତା ବେହେରା କହିଛନ୍ତି, ଏ ପ୍ରକଳ୍ପର ଟେଣ୍ଡର ଇପିସି ମୋଡ୍‌ରେ ହୋଇଛି। ଅଣ ଓଡ଼ିଆ ଠିକାଦାରଙ୍କୁ ଯଦିଓ ଏହାର କାମ ଦେବାକୁ ନିଷ୍ପତ୍ତି ହୋଇଛି, କିନ୍ତୁ ଏଯାବତ୍‌ ପରିବେଶ ମଞ୍ଜୁରି ଅଣାଯାଇନାହିଁ। ଠିକାଦାର ଏବଂ ବିଭାଗର ମିଳିତ ଉଦ୍ୟମରେ ଏ ମଞ୍ଜୁରି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଶ୍ରୀମତୀ ବେହେରା କହିଛନ୍ତି।

ପରିବେଶ ମଞ୍ଜୁରି ନେଇ ଏମିତି ତିନି ପ୍ରକାରର ମନ୍ତବ୍ୟ ଗୋଳିଆ ସ୍ଥିତି ତିଆରି କରିଛି। ବାସ୍ତବରେ କିଏ ଠିକ୍‌ କହୁଛନ୍ତି, ତାହାକୁ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର