ଏଥର ଶାବର ଶ୍ରୀକ୍ଷେତ୍ରରେ ଗଡ଼ିବନି ରଥ, ମନ୍ଦିର ଭିତରେ ହେବ ରୀତିନୀତି

କୋରାପୁଟ : ପବିତ୍ର ରଥଯାତ୍ରାରେ ଏଥର ଦେଉଳ ଛାଡ଼ି ଗୁଣ୍ଡିଚାବାଡ଼ିକୁ ଯିବେନି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା। ଶୁଭିବନି ରଥର ଘୋର ଘର୍ଘର ନାଦ। କାରଣ କରୋନା ପାଇଁ ଚଳିତବର୍ଷ ରଥଯାତ୍ରା ଉପରେ ରୋକ ଲଗାଇ ଦେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। କୌଣସି ପରିସ୍ଥିତିରେ ମଧ୍ୟ ରଥଯାତ୍ରା କରିବାକୁ ଅନୁମତି ଦିଆଯିବନି ବୋଲି ପ୍ରଶାସନ ଆଜି ସ୍ପଷ୍ଟ କରି ଦେଇଛି। ତେବେ ମନ୍ଦିର ପରିସରରେ ଅଳ୍ପ ସେବାୟତଙ୍କୁ ନେଇ ରଥଯାତ୍ରାର ରୀତିନୀତି କରାଯାଇ ପାରିବ ବୋଲି ପ୍ରଶାସନ କହିଛି। ଫଳରେ ଶାବର ଶ୍ରୀ‌କ୍ଷେତ୍ରରେ ୩ ରଥ ଗଡ଼ିବାର ଆଶାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

କୋରାପୁଟ ଜିଲ୍ଲାରେ ଶାବର ଶ୍ରୀକ୍ଷେତ୍ର ସମେତ ଜୟପୁର, ସେମିଳିଗୁଡ଼ା, ବୋରିଗୁମ୍ମା, ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ, ବୈପାରିଗୁଡ଼ା ଆଦି ବିଭିନ୍ନ ସ୍ଥାନ‌ରେ ରଥଯାତ୍ରା ପାଳିତ ହୋଇଥାଏ। ଶାବର ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିଲା ବେଳେ ଜୟପୁରରେ ହେଉଥିବା ବାସି ରଥଯାତ୍ରା ପାଇଁ ଭକ୍ତଙ୍କ ମନରେ ପ୍ରବଳ ଉତ୍ସା‌ହ ଦେଖିବାକୁ ମିଳେ। ‌ତେଣୁ ଏହି ଦୁଇ ସ୍ଥାନରେ ଏଥର କରୋନା କଟକଣା ଭିତରେ କେମିତି ରଥଯାତ୍ରା ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଏପରିକି ଏହାକୁ ନେଇ ଜୟପୁର ତହସିଲଦାର ତଥା ଦେବୋତ୍ତର ଅଧିକାରୀ କୋରାପୁଟ ଜିଲ୍ଲାପାଳଙ୍କୁ ଅନୁମତି ମାଗିଥିଲେ। ତେବେ ଜିଲ୍ଲାରେ କୌଣସି ରଥଯାତ୍ରାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କୋରାପୁଟ ଜିଲ୍ଲାପାଳ ଚିଠି କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ପୂର୍ବ ବର୍ଷ ପରି ରଥଯାତ୍ରା କରିବାକୁ ଏଥର ଅନୁମତି ଦିଆଯାଇ ପାରିବ ନାହିଁ। କରୋନା କଟକଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ଓ କୋରାପୁଟ ଏସ‌୍‌ପିଙ୍କ ସହ ଆଲୋଚନା କରି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

ମନ୍ଦିର ବାହାରେ ରଥଟଣା ଓ ଭକ୍ତଙ୍କ ଭିଡ଼କୁ କୌଣସି ପରିସ୍ଥିତିରେ ମଧ୍ୟ ଅନୁମତି ଦିଆଯିବନି। ତେବେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଚାହିଁଲେ ମନ୍ଦିର ପରିସରରେ ସୀମିତ ସେବାୟତଙ୍କୁ ନେଇ ରଥଯାତ୍ରାର ରୀତିନୀତି ପାଳନ କରିପାରିବେ। ଏଥିପାଇଁ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ। ତେବେ ମନ୍ଦିର ପରିସରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ଅନୁମତି ଦିଆଯିବନି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏ ନେଇ କୋରାପୁଟ ଓ ଜୟପୁର ଉପଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି। ପ୍ରଶାସନର ଏହି ଚିଠି ପରେ ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ନେଇ ଲାଗି ରହିଥିବା କଳ୍ପନାଜଳ୍ପନା ଶେଷ ହୋଇଛି। ଅପରପକ୍ଷରେ ଗତ ଥର କୋରାପୁଟରେ ୩ ରଥରେ ୩ ଠାକୁରଙ୍କୁ ଦେଖିଥିବା ଭକ୍ତ ନିରାଶ ହୋଇଛନ୍ତି। ଏଥର ଜଗନ୍ନାଥଙ୍କୁ ରଥ ଉପରେ ସିଧାସଳଖ ଦେଖିବାର ସୁଯୋଗ ଭକ୍ତଙ୍କୁ ମିଳିବନି। ସେହିପରି ଜୟପୁରରେ ମଧ୍ୟ ରଥଯାତ୍ରା ବନ୍ଦ ହେବ। ଜିଲ୍ଲାର ପୁରପଲ୍ଲୀରେ ହେଉଥିବା ରଥଯାତ୍ରା ଉପରେ ରୋକ ଲାଗିଥିବାରୁ ଏଥର ଏହା ଫିକା ପଡ଼ିବ। ତେବେ ସ୍ନାନ ପୂର୍ଣ୍ଣିମା ପରି ମନ୍ଦିର ପରିସରରେ ସୀମିତ ସେବାୟତଙ୍କୁ ନେଇ ରଥଯାତ୍ରା ନୀତି କରାଇବାକୁ ବିଭିନ୍ନ ମନ୍ଦିର କମିଟି ଚିନ୍ତା କରୁଛନ୍ତି। ବିନା ଭକ୍ତରେ ଠାକୁରଙ୍କ ରଥଯାତ୍ରା ଶେଷ କରିବାକୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର