ବିଶ୍ବବିଦ୍ୟାଳୟ ପରିସରରୁ ବ୍ରାଉନସୁଗାର ଜବତ

ବ୍ରହ୍ମପୁର: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପରିସରରୁ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ, ବିଶ୍ବବିଦ୍ୟାଳୟ ପଡ଼ିଆରେ ବ୍ରାଉନ୍‌ସୁଗାର ବିକ୍ରି ହେଉଥିବା ଖବର ପାଇ ଟାଉନ୍‌ ଥାନା ପୁଲିସ ଚଢ଼ଉ କରିଥିଲା। ସେଠାରୁ ୨ଜଣକୁ କାବୁ କରି ଯାଞ୍ଚ କରିଥିଲା। ସେମାନଙ୍କ ଠାରୁ ବ୍ରାଉନ୍‌ସୁଗାର ଥିବା ୧୦ଟି ହଳଦିଆ କାଗଜ ପୁଡ଼ିଆ ମିଳିଥିଲା, ଯାହାର ମୋଟ ଓଜନ ୨୮ଗ୍ରାମ ୯୫ମିଲିଗ୍ରାମ ହେବ। ସମସ୍ତ ବ୍ରାଉନ୍‌ସୁଗାର୍‌ ପୁଡ଼ିଆ ସମେତ ଗୋଟିଏ ମୋବାଇଲ୍ ଏବଂ ୪୨୭୦ଟଙ୍କା ପୁଲିସ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେ ଦୁହେଁ ହେଲେ, ବଡ଼ବଜାର ଥାନା ଅନ୍ତର୍ଗତ ଧାନମେରା ସାହିର ରଞ୍ଜନ ଦାସ (୩୫) ଓ ଋତୁରଞ୍ଜନ ନିମାଇ ଓରଫ୍ ଚିକୁ (୨୯)।
ରଞ୍ଜନଙ୍କ ବିରୋଧରେ ପୂର୍ବରୁ ସହରର ବିଭିନ୍ନ ଥାନାରେ ୮ଟି ଅପରାଧିକ ମାମଲା ଏବଂ ଋତୁରଂଜନ ବିରୋଧରେ ବଡ଼ବଜାର ଥାନା ଅଂଚଳରେ ଗୋଟିଏ ଅପରାଧିକ ମାମଲା ଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର