ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ‘ଶ୍ରୀସେତୁ’ ସମ୍ପର୍କର ସେତୁ
ପଡ଼ୁନି ଖରା, ତାତୁନି ପାଦ, ପ୍ରକଳ୍ପ ଅଗ୍ରଗତି ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ପୁରୀ: ପୂର୍ଣ୍ଣରୂପ ନେବାକୁ ଯାଉଛି ରାଜ୍ୟର ସର୍ବପ୍ରଥମ ‘ଟ୍ରମ୍ପେଟ୍ ବ୍ରିଜ୍’ ବା ‘ଶ୍ରୀସେତୁ’। ତୂରୀ ଆକୃତିର ଏହି ଶ୍ରୀସେତୁ ଭକ୍ତ ଓ ଭଗବାନଙ୍କ ଭିତରେ ସମ୍ପର୍କର ସେତୁ ହେବାକୁ ଯାଉଛି। ଜିଲ୍ଲାର ଏହି ସବୁଠୁ ବଡ଼ ଓଭର୍ବ୍ରିଜ୍ ଏବେ ଭକ୍ତ ଓ ପର୍ଯ୍ୟଟକଙ୍କ ସ୍ବାଗତ ଅପେକ୍ଷାରେ। ପୁରୀ-ଭୁବନେଶ୍ବର ୩୦୬ ନମ୍ବର ଜାତୀୟ ରାଜପଥର ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ଛକ ବାଇପାସ୍ ରାସ୍ତାରୁ ଦୁଇଟି ଓଭର୍ବ୍ରିଜ୍ ଦେଇ ଏହି ସେତୁ ବଡ଼ଦାଣ୍ଡ ସଂଲଗ୍ନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚୁଛି। ଏହି ସେତୁରେ ଭକ୍ତ ଓ ପର୍ଯ୍ୟଟକ ଆସି ସିଧାସଳଖ ନବନିର୍ମିତ ଶ୍ରୀଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂରେ ପହଞ୍ଚିବେ ଓ ସୁବିଧାରେ ବ୍ୟାଟେରି ଚାଳିତ ଗାଡ଼ିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ବିଶ୍ବ ମାନଚିତ୍ରରେ ପୁରୀକୁ ସ୍ବତନ୍ତ୍ର ସ୍ଥାନ ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅହରହ ଉଦ୍ୟମ ଜାରି ରହିଛି। ପୁରୁଷୋତ୍ତମ କ୍ଷେତ୍ରକୁ ରାଜ୍ୟ ତଥା ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ତଥା ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ‘୫-ଟି’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଜରିଆରେ କାର୍ଯ୍ୟକାରୀ ହେଉଛି ଓ ସେ ବିଭିନ୍ନ ପ୍ରକଳ୍ପ କାମ ଆଗେଇ ନେଉଛନ୍ତି। ଏହି କ୍ରମରେ ପୁରୁଷୋତ୍ତମ କ୍ଷେତ୍ରର ପ୍ରବେଶ ପଥରେ ଉପୁଜୁଥିବା ଜଟିଳ ଟ୍ରାଫିକ୍ ସମସ୍ୟାର ସମାଧାନ ବାଟ ଫିଟାଇବାକୁ ଯାଉଛି ବହୁ ପ୍ରତୀକ୍ଷିତ ‘ଶ୍ରୀସେତୁ’। ଶ୍ରଦ୍ଧାଳୁଙ୍କ ସହଜ ଯାତାୟାତ ତଥା ଜଟିଳ ଟ୍ରାଫିକ୍ ସମସ୍ୟା ଦୂର କରିବ ଏହି ସେତୁ। କାର୍, ବସ୍ ଓ ବିଭିନ୍ନ ଗାଡ଼ି ମାଧ୍ୟମରେ ଆସୁଥିବା ଭକ୍ତମାନଙ୍କୁ ଆଉ ଅଠରନଳା ଦେଇ ସହର ଭିତରକୁ ପ୍ରବେଶ କରିବାକୁ ପଡ଼ିବନି।
Sambad is now on WhatsApp
Join and get latest news updates delivered to you via WhatsApp
‘ଶ୍ରୀସେତୁ’ ପ୍ରକଳ୍ପର ରୂପରେଖ ଅନୁଯାୟୀ, ୩୧୬ ନମ୍ବର ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ୍ ଉପରେ ତୂରୀ(ଟ୍ରମ୍ପେଟ୍) ଆକୃତିର ଏକ ଓଭର୍ବ୍ରିଜ୍ ତିଆରି ହୋଇଛି। ଏହି ସେତୁ ପରେ ୩୧୬(ଏ) ନମ୍ବର ଜାତୀୟ ରାଜପଥ ପୁରୀ-ବ୍ରହ୍ମଗିରି ରାସ୍ତା, ମାଟିତୋଟା ଦେଇ ଜଗନ୍ନାଥ ବଲ୍ଲଭକୁ ସଂଯୋଗ କରୁଛି। ଶ୍ରୀସେତୁରୁ ମଙ୍ଗଳାଘାଟ ଛକ ପାର୍ଶ୍ବକୁ ଓ ପୁରୀ-ବ୍ରହ୍ମଗିରି ରାସ୍ତା ପାର୍ଶ୍ବକୁ ରହିଛି ଆପ୍ରୋଚ୍ ରୋଡ୍। ସେତୁକୁ ଚଢ଼ିବାକୁ ମଙ୍ଗଳାଘାଟ ପାର୍ଶ୍ବରୁ ଆପ୍ରୋଚ୍ ରୋଡ୍ ରହିଛି। ଯେଉଁ ପର୍ଯ୍ୟଟକମାନେ ପୁରୀ ବେଳାଭୂମି ପାର୍ଶ୍ବ ଅବା ବ୍ରହ୍ମଗିରି ପାର୍ଶ୍ବରୁ ଆସୁଛନ୍ତି, ସେମାନେ ପୁରୀ ଯିବାକୁ ଚାହିଲେ ଏହି ଆପ୍ରୋଚ୍ ରୋଡ୍ ଦେଇ ଶ୍ରୀସେତୁ ଚଢ଼ିବା ପରେ ସିଧାସଳଖ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚି ପାରିବେ। ଭୁବନେଶ୍ବରରୁ ସିଧାସଳଖ ପୁରୀ ଯିବାକୁ ଚାହୁଥିଲେ, ଶ୍ରୀସେତୁରେ ନ ଚଢ଼ି, ବ୍ରିଜ୍ କଡ଼ରେ ଥିବା ବାମ ପାର୍ଶ୍ବ ରାସ୍ତାରେ ଯାଇ ପୁରୀ-ବ୍ରହ୍ମଗିରି ରାସ୍ତା ଉପର ଦେଇ ଯାଇଥିବା ବ୍ରିଜ୍ ଉପରେ ଚଢ଼ି ସିଧାସଳଖ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚି ପାରିବେ। ଫେରିବା ବେଳେ ଭୁବନେଶ୍ବର ଫେରିବାକୁ ଚାହୁଥିବା ପର୍ଯ୍ୟଟକ ଶ୍ରୀସେତୁ ଉପରେ ଚଢ଼ିବା ପରେ ବାମପାର୍ଶ୍ବକୁ ଥିବା ଆପ୍ରୋଚ୍ ରୋଡ୍ ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ୍ ରାସ୍ତାରେ ଓହ୍ଲାଇବା ବୀରହରେକୃଷ୍ଣପୁର ଛକ ଦେଇ ଭୁବନେଶ୍ବର ଫେରିପାରିବେ। ବ୍ରହ୍ମଗିରି ଅବା ମଙ୍ଗଳାଘାଟ ପାର୍ଶ୍ବକୁ ଯିବାକୁ ଚାହୁଥିବା ପର୍ଯ୍ୟଟକ ଶ୍ରୀସେତୁରେ ନ ଚଢ଼ି, ବାମପାର୍ଶ୍ବରେ ଥିବା ରାସ୍ତା ଦେଇ ମଙ୍ଗଳାଘାଟ ବାଇପାସ୍ ରାସ୍ତାକୁ ବାହାରି ପାରିବେ। ଭୁବନେଶ୍ବରରୁ ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି, ସେମାନେ ପୁରୀ ବେଳାଭୂମିକୁ ଯିବାକୁ ଚାହିଲେ ସିଧାସଳଖ ଶ୍ରୀସେତୁ ତଳେ ମଙ୍ଗଳାଘାଟ ଛକ, ଷ୍ଟର୍ଲିନ୍ ଛକ ଦେଇ ବେଳାଭୂମିରେ ପହଞ୍ଚି ପାରିବେ। ଫେରିବା ବେଳେ ବି ଏହି ରାସ୍ତା ଦେଇ ଭୁବନେଶ୍ବର ଫେରିପାରିବେ। ସେହିଭଳି ବ୍ରହ୍ମଗିରି ଅବା ବେଳାଭୂମି ପାର୍ଶ୍ବରୁ ଆସୁଥିବା ପର୍ଯ୍ୟଟକମାନେ ଭୁବନେଶ୍ବର ଫେରିବାକୁ ଚାହୁଥିଲେ ଶ୍ରୀସେତୁ ତଳ ଦେଇ ଫେରିପାରିବେ। ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂକୁ ଯିବା ପାଇଁ ସୁଉଚ୍ଚ ଗୋଲେଇ ସେତୁ ବି ନିର୍ମାଣ ହେବ। ଶ୍ରୀସେତୁ ଚାରିପଟେ ପଦ୍ମପୋଖରୀ ସହ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ କାମ କରାଯାଉଛି। ସାଇନ୍ଏଜ୍ ଲାଗିବା ସହ ଆଲୋକୀକରଣ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ କାମ କରାଯାଉଛି। ଏଥିପାଇଁ ବ୍ରିଜ୍ ତଳେ ଓ ଉପରେ ନାନାଦି ସୌନ୍ଦର୍ଯ୍ୟୀକରଣ ଗଛ ଲଗାଯାଇ ସବୁଜିମା ପରିବେଶ ସୃଷ୍ଟି କରାଯାଇଛି।
ପଡ଼ୁନି ଖରା, ତାତୁନି ପାଦ
ପୁରୀ: ବଦଳିଛି ଦର୍ଶନ ବ୍ୟବସ୍ଥା। ଧାଡ଼ିରେ ଠିଆ ହେଲେ ବି ଆଉ ପାଦ ତାତୁନି , ମୁଣ୍ଡରେ ଖରା ପଡ଼ୁନି। କେବଳ ସେତିକି ନୁହେଁ, ଧାଡ଼ିରେ ବହୁ ସମୟ ଠିଆ ହୋଇ ଅଣ୍ଟାପିଠି ବି ଆଉ ଦରଜ ହେଉନି, ଦର୍ଶନ ପାଇଁ ଅପେକ୍ଷାର ସେହି ବିରକ୍ତିକର ସମୟତକ କେମିତି ବିତିଯାଉଛି ତାହା ବି ଜଣାପଡ଼ୁନି। ଭକ୍ତଙ୍କୁ ସ୍ୱାଗତ କରୁଛି ବଡ଼ଦାଣ୍ଡରେ ବିଛା ହୋଇଥିବା ରେଡ୍ କାର୍ପେଟ୍। ମୁଣ୍ଡ ଉପରେ ମୋଟା ସେଡ୍ ସାଙ୍ଗକୁ ଥଣ୍ଡା ପବନ ଦେହ ଓ ମନର କ୍ଲାନ୍ତି ଦୂର କରୁଛି। ଜଗା ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ‘ଅପେକ୍ଷା’ର ତିକ୍ତ ଅନୁଭୂତିକୁ ବଦଳାଇଦେଇଛି ‘ଏସି ଟନେଲ୍’। ‘୫-ଟି’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କର ରୂପାନ୍ତରଣ ଯୋଜନା ଯେ ‘ଅପେକ୍ଷା’ ଭଳି ଏକ ବିରକ୍ତିକର ମୁହୂର୍ତ୍ତକୁ ବିନୋଦନରେ ବଦଳାଇ ଦେଇପାରେ, ବଡ଼ଦାଣ୍ଡରେ ଏବେ ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳୁଛି।
ଏ ବର୍ଷ ନୂଆବର୍ଷରେ ଶ୍ରୀଜିଉଙ୍କୁ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି। ଅନ୍ୟ ବର୍ଷ ତୁଳନାରେ ଦର୍ଶନାର୍ଥୀଙ୍କ ଏହି ସଂଖ୍ୟା ଯଥେଷ୍ଟ ଅଧିକ। ପ୍ରତି ନୂଆବର୍ଷରେ ଭକ୍ତଙ୍କ ଭିଡ଼ ଯୋଗୁ ଭକ୍ତ ଓ ଶ୍ରଦ୍ଧାଳୁ ନାହିଁ ନଥିବା ସମସ୍ୟା ଭୋଗୁଥିଲେ। ବିଶେଷ କରି ବରିଷ୍ଠ ନାଗରିକମାନେ ଖରା ଗରମରେ ଧାଡ଼ିରେ ଠିଆ ହୋଇ ରହିବାକୁ ବାଧ୍ୟ ହେଉଥିଲେ। ପ୍ରତିବର୍ଷ ରଥଯାତ୍ରା ସମୟରେ ବଡ଼ଦାଣ୍ଡର ଭୂମିକା ଓ ଗୁରୁତ୍ୱ ରହିଥିବାରୁ ଏଠାରେ କୌଣସି ସ୍ଥାୟୀ ନିର୍ମାଣ କରିବାର ମଧ୍ୟ ବ୍ୟବସ୍ଥା ନ ଥିଲା। ତେବେ ରାଜ୍ୟ ରୂପାନ୍ତରଣର ସାରଥୀ ସାଜିଥିବା ‘୫-ଟି’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଡ଼ଦାଣ୍ଡରେ ଏସି ଟନେଲ୍ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ନୂଆବର୍ଷ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି କାମ ସାରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଶାସନିକ ତତ୍ପରତା ଯୋଗୁ ଖୁବ୍ କମ୍ ସମୟ ମଧ୍ୟରେ ଏହି ଟନେଲ୍ ନିର୍ମାଣ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ସେଣ୍ଟ୍ରାଲ୍ ଏସି ବ୍ୟବସ୍ଥା ସହ ଷ୍ଟିଲ୍ ରେଲିଂ ଦ୍ୱାରା ଧାଡ଼ି ବ୍ୟବସ୍ଥା କରାଯାଇଛି।
ବଡ଼ କଥା ହେଉଛି ଯେ ଏହି ଧାଡ଼ିରେ ଲାଗିଥିବା ରେଲିଂ ସହ ଭକ୍ତମାନେ ନିଜ ସ୍ଥାନରେ ବସିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଫଳରେ ଯେଉଁ ଧାଡ଼ି ଭକ୍ତଙ୍କ ପାଇଁ ବିରକ୍ତିକର ମନେ ହେଉଥିଲା ଓ ବରିଷ୍ଠ ନାଗରିକମାନେ ଦର୍ଶନ ପାଇଁ ଆସିବାକୁ ଭୟ କରୁଥିଲେ, ସେମାନେ ଏବେ ଅତି ଆନନ୍ଦର ସହ ଏସି ଟନେଲ୍ରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିପାରୁଛନ୍ତି। ସାଧାରଣ ଲୋକଙ୍କ ସହ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତମାନଙ୍କ ପ୍ରତି ମଧ୍ୟ ଏଥିରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ସେମାନଙ୍କ ପାଇଁ ଭିନ୍ନ ଏକ ଧାଡ଼ି କରାଯାଇଛି। ଫଳରେ ନୂଆବର୍ଷ ପରଠାରୁ ଶ୍ରଦ୍ଧାଳୁଙ୍କୁ ଏକ ନୂଆ କ୍ଲାନ୍ତମୁକ୍ତ, ବାଧାମୁକ୍ତ ଅନୁଭୂତି ମିଳୁଛି। ଏହି ନିଆରା ବ୍ୟବସ୍ଥାକୁ ବାହାର ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକ ପ୍ରଶଂସା କରୁଛନ୍ତି। ପଶ୍ଚିମବଙ୍ଗରୁ ଆସିଥିବା ଶିକ୍ଷୟିତ୍ରୀ ପାରମିତା ମୁଖାର୍ଜୀ ଏହି ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଶଂସା କରିଛନ୍ତି। ତାହାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଖାଲି ପାରମିତା ନୁହନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଭକ୍ତ ଏହି ନିଆରା ବ୍ୟବସ୍ଥାକୁ ପସନ୍ଦ କରୁଛନ୍ତି। ଶ୍ରୀମନ୍ଦିର ଚୌହଦୀର ନବକଳେବର ସାଙ୍ଗକୁ ବଡ଼ଦାଣ୍ଡର ଅପରୂପ ସୌନ୍ଦର୍ଯ୍ୟରେ ଝଲସୁଥିବା ପୁରୀ କେବଳ ନୂଆବର୍ଷ ନୁହେଁ, ଏବେ ପ୍ରତିଦିନ ଜନସମୁଦ୍ର ପାଲଟୁଛି। ଶ୍ରୀଜିଉଙ୍କ ଦର୍ଶନ ସହ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଟିକିଏ ଝଲକ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବ୍ୟାକୁଳତା ବଢ଼ୁଛି। ରାଜ୍ୟ ସରକାର ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପୁରୀ ଆଣି ସେମାନଙ୍କୁ ଜଗନ୍ନାଥଙ୍କ ଦର୍ଶନ କରାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି। ସେହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଲୋକାର୍ପଣ ପାଇଁ ହାତରେ ମାତ୍ର ଆଉ ଦିନ କେଇଟା ଥିବାରୁ ସାରା ରାଜ୍ୟବାସୀ ଏହି ପବିତ୍ର ପର୍ବର ସାକ୍ଷୀ ହେବା ପାଇଁ ଏବେ ପୁରୀମୁହାଁ ହେଉଛନ୍ତି।
ସହାୟତା ରାଶିରେ ବିସ୍ଥାପିତ ଖୁସି
ଶ୍ରୀମନ୍ଦିର ଐତିହ୍ୟ କରିଡର୍ ଭଳି ଶ୍ରୀସେତୁ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରିଥିଲେ। ପ୍ୟାକେଜ୍ ଅନୁସାରେ ଶ୍ରୀସେତୁ ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେଉଥିବା କୃଷି ଶ୍ରମିକମାନଙ୍କୁ ଦୈନିକ ୩୧୫ଟଙ୍କାର ମଜୁରି ହିସାବରେ ସର୍ବନିମ୍ନ ୨ଶହ ଦିନର ୬୩ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ପ୍ରଭାବିତ କ୍ଷୁଦ୍ର ଦୋକାନୀ, କାରିଗର, ବ୍ୟବସାୟୀଙ୍କୁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସରକାରୀ ଜମି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଓ ମଠ ଜାଗାରେ ବେଆଇନ ଭାବେ ଗୃହ ନିର୍ମାଣ କରି ବସବାସ କରି ଆସୁଥିବା ପରିବାରଙ୍କୁ ବି ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି-୨୦୦୬ର ଅନୁଚ୍ଛେଦ ୯(ବି) ଅନୁଯାୟୀ ଘର ନିର୍ମାଣ ବାବଦକୁ ୩ ଲକ୍ଷ ୨୩ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ସଦର ବ୍ଲକର ସମଙ୍ଗ, ମାଟିତୋଟା, ମାର୍କଣ୍ତେଶ୍ବରସାହି-୧ ମୌଜାର ମୋଟ୍ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯାଇଛି। ସେହିଭଳି ସରକାରୀ, ଶ୍ରୀଜଗନ୍ନାଥଙ୍କ ଜମି ଓ ମଠ ଜାଗାରେ ବେଆଇନ ଭାବେ ଘର କରି ରହୁଥିବା ଲୋକଙ୍କୁ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ରେ ଗୃହର ମୂଲ୍ୟ, ଘର ନିର୍ମାଣ ସହାୟତା ବାବଦ ପ୍ରତ୍ୟେକ ପରିବାରକୁ ୨ ଲକ୍ଷ ୭୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାସହ ବିସ୍ଥାପିତ ସ୍ଥାନରୁ ସ୍ଥାନାନ୍ତର ଭତ୍ତା ଭାବେ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସମସ୍ତ ବର୍ଗର ବିସ୍ଥାପିତଙ୍କୁ ଥଇଥାନ କରିଥିବାରୁ ବିସ୍ଥାପିତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୁରୀ ସହରକୁ ନୂଆ କରି ଗଢ଼ି ତୋଳିବାରେ ଉଭୟଙ୍କ ଯୋଗଦାନ ଅତୁଳନୀୟ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।
ପର୍ଯ୍ୟଟକଙ୍କ ପାଇଁ ‘ଭ୍ୟୁ ପଏଣ୍ଟ’
ଶ୍ରୀସେତୁ ରାସ୍ତାରେ ନିର୍ମାଣ ଚାଲିଛି ବିରାଟ ତୋରଣ। ଖୁବ୍ କମ୍ ଦିନ ଭିତରେ ଏହା ପାଲଟିବାକୁ ଯାଉଛି ପର୍ଯ୍ୟଟକଙ୍କ ‘ସେଣ୍ଟର ଅଫ୍ ଆଟ୍ରାକ୍ସନ୍’। ତୋରଣ ଉପରୁ ଭକ୍ତ ଓ ପର୍ଯ୍ୟଟକମାନେ ଦେଖିପାରିବେ ସମ୍ପୂର୍ଣ୍ଣ ଶଙ୍ଖକ୍ଷେତ୍ରର ଦୃଶ୍ୟ। ଚର୍ମଚକ୍ଷୁରେ ଶ୍ରୀମନ୍ଦିର ଓ ନୀଳଚକ୍ରକୁ ଦେଖି ସାଉଁଟିବେ ମହାପ୍ରଭୁଙ୍କ ସାନ୍ନିଧ୍ୟ। ଏହି ତୋରଣ ନିର୍ମାଣ କାମ ବି ଆରମ୍ଭ ହୋଇଯାଇଛି। ରୂପରେଖ ଅନୁଯାୟୀ, ଶ୍ରୀସେତୁ ରାସ୍ତାର ଦୁଇପାର୍ଶ୍ବକୁ ସଂଯୋଗ କରିବ ଏହି ତୋରଣ। ଦୁଇପାର୍ଶ୍ବରୁ ରହିବ ଭକ୍ତ ଓ ପର୍ଯ୍ୟଟକଙ୍କ ଚଢ଼ିବାର ବ୍ୟବସ୍ଥା। ଉଭୟପାର୍ଶ୍ବରୁ ଚଢ଼ିହେବ ଓ ଓହ୍ଲାଇହେବ। ପ୍ରାୟ ଶହେ ଫୁଟ ଉପରକୁ ଯାଇ ତୋରଣ ଉପରୁ ଶ୍ରୀକ୍ଷେତ୍ରର ମନୋରମ ଦୃଶ୍ୟର ମଜା ନେଇପାରିବେ ପର୍ଯ୍ୟଟକ।
ମହାପ୍ରଭୁଙ୍କ କ୍ଷେତ୍ରର ନାମ ଶଙ୍ଖକ୍ଷେତ୍ର। ପର୍ଯ୍ୟଟକଙ୍କୁ ନୂଆ ରୂପରେ ପରସିବା ପାଇଁ ଆରମ୍ଭ ହୋଇଥିବା ବିକାଶ କାର୍ଯ୍ୟ ପୂର୍ଣ୍ଣରୂପ ନେବାକୁ ଯାଉଛି। ଇତିମଧ୍ୟରେ ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଛି ଶ୍ରୀସେତୁର ପ୍ରବେଶ ପଥ। ପ୍ରବେଶ ପଥରେ ଭକ୍ତ ତଥା ପର୍ଯ୍ୟଟକଙ୍କୁ ‘ଶଙ୍ଖକ୍ଷେତ୍ର’ର ଅନୁଭୂତି ଦେବା ତଥା ଚମକ ଦେବା ପାଇଁ ନିର୍ମାଣ ଚାଲିଛି ଶଙ୍ଖପାର୍କ। ଯେଉଁଠି ନିର୍ମାଣ ଚାଲିଛି ପ୍ରାୟ ୨ଶହ ଫୁଟ ଲମ୍ବ ଓ ପ୍ରାୟ ଶହେ ଫୁଟ ଚଉଡ଼ାର ଏକ ଶଙ୍ଖ। ଏବେ ଶଙ୍ଖ ଆକୃତିର ଇଟା ଗଢ଼ା ଚାଲିଛି। ଦିନ କେଇଟା ଭିତରେ ନିର୍ମାଣ ସହ ସରିବ ରଙ୍ଗ ଧଉଳା କାମ। ସାଙ୍ଗକୁ ବିଛାଯିବ ଦାମୀ ଘାସ ଗାଲିଚା। ଯାହା ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ପାଲଟିବାକୁ ଯାଉଛି। ଏହି କାର୍ଯ୍ୟ ଶ୍ରୀସେତୁ ପ୍ରକଳ୍ପ ଅନ୍ତର୍ଭୁକ୍ତ।
ପ୍ରକଳ୍ପ ଅଗ୍ରଗତି ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ଣ୍ଣରୂପ ନେବାକୁ ଯାଉଛି। ଜାନୁଆରି ୧୨ ସୁଦ୍ଧା କାମ ସାରି ଏହାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ବର୍ତ୍ତମାନ ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିଖୁଣ କାରୁକାର୍ଯ୍ୟକୁ ନିରେଖି ଦେଖିଛନ୍ତି। ଶ୍ରୀ ପାଣ୍ଡିଆନ ଆଜି ଐଶାନ୍ୟ କୋଣରେ ପ୍ରସ୍ତାବିତ ଯଜ୍ଞସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ପରିକ୍ରମା ପ୍ରକଳ୍ପର ଅଂଶବିଶେଷ ମଠ ପୁନରୁଦ୍ଧାର କାର୍ଯ୍ୟ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିଥିଲେ। ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଓ ଅନ୍ୟାନ୍ୟ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିବା ସହିତ ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ।
୨ ମାସରେ ୭୫୦ ମିଟରର ରାସ୍ତା
ପୁରୀ: ଶ୍ରୀକ୍ଷେତ୍ରକୁ ସ୍ବାଗତ କରିବ ଶ୍ରୀଦାଣ୍ଡ। ଦର୍ଶନ ପାଇଁ ଆଉ ଭିଡ଼ରେ ଫସିବେ ନାହିଁ ଭକ୍ତ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଫିଟିବ ଅବରୋଧ ମୁକ୍ତ ୪ ଥାକିଆ ୱାନ୍ ୱେ ରାସ୍ତା। ଶ୍ରୀମନ୍ଦିର-ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ ପରେ ପୁରୀରେ ଯୋଡ଼ି ହେବ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଶ୍ରୀଦାଣ୍ଡ। ଏଣିକି ଭକ୍ତ ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ କେନ୍ଦ୍ରରେ ପାର୍କିଂ କରି ଆଉ ବଡ଼ଦାଣ୍ଡ ଭିଡ଼କୁ ମୁହାଇଁବେ ନାହିଁ। ବରଂ ପାର୍କିଂ କରି ସିଧାସଳଖ ଶ୍ରୀମନ୍ଦିରକୁ ପଡ଼ିଥିବା ଶ୍ରୀଦାଣ୍ଡରେ ଯାଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବେ। ଗାଡ଼ିରୁ ଓହ୍ଲାଇବା ପରେ ଶ୍ରୀମନ୍ଦିରରେ ପହଞ୍ଚିବା ପାଇଁ ମାତ୍ର ୭୫୦ ମିଟର ବାଟ ଯାତ୍ରା କରିବାକୁ ପଡ଼ିବ। ସୁଗମ ଯାତାୟାତ ପାଇଁ ୪୦ ଫୁଟ ଚଉଡ଼ା ବିଶିଷ୍ଟ ଶ୍ରୀଦାଣ୍ଡକୁ ୪ ଥାକିଆ କରାଯାଉଛି। ଏହି ପ୍ରକଳ୍ପ ପାଇଁ ୧୪କୋଟି ଟଙ୍କାର ବଜେଟ ରହିଛି। ଚାରିଥାକିଆ ରାସ୍ତାରେ ଯାତାୟାତ ଲାଗି ବ୍ୟାଟେରି ଚାଳିତ ଅଟୋର ବନ୍ଦୋବସ୍ତ ରହିବ। ଅର୍ଥାତ ଭକ୍ତ ନିଜ ଗାଡ଼ି ପାର୍କିଂ ପରେ ବ୍ୟାଟେରିଚାଳିତ ଅଟୋରେ ଅଭ୍ୟର୍ଥନା କେନ୍ଦ୍ର ପର୍ଯ୍ୟନ୍ତ ଯାଇ ସେଠାରୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ଐତିହ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିଡ଼ ନିୟନ୍ତ୍ରଣରେ ଯୁଗାନ୍ତକାରୀ ପଦକ୍ଷେପ ହେବ। ଭକ୍ତ ଓ ଭଗବାନଙ୍କ ମିଳନରେ ଦୂରତ୍ବ ଦୂର କରିବ ଶ୍ରୀଦାଣ୍ଡ। କିଛି ଭକ୍ତ ନିଜର ଘର ଓ ଜମି ଏଥିପାଇଁ ସମର୍ପଣ କରିଛନ୍ତି। ଶ୍ରୀଦାଣ୍ଡର ନିର୍ମାଣ କାର୍ଯ୍ୟ ତ୍ବରିତ ଗତିରେ ଚାଲିଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀଦାଣ୍ଡର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ରହିବ ଜୋତା ଷ୍ଟାଣ୍ଡ, ଚାଲିବ ବ୍ୟାଟେରି ଅଟୋ
ଶ୍ରୀଦାଣ୍ଡର ନିର୍ମାଣ କାର୍ଯ୍ୟ ଅନ୍ୟ ରାସ୍ତାଠୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ କରାଯାଉଛି। ଓବିସିସିର ମହାପ୍ରବନ୍ଧକ ଇଂ. ସୁନ୍ଦର ମାଧବ ପାଢ଼ୀଙ୍କ ସୂଚନା ମୁତାବକ, ଏହି ରାସ୍ତାରେ ତଳସ୍ତରରେ ଗ୍ରାନୁଲାର ସବ୍-ବେସ୍ (ଜିଏସ୍ବି) ରହିବ। ଏହା ଡ୍ରେନେଜ୍ ଓ ଭାରି ଜିନିଷ ଯାତାୟାତରେ ସହାୟକ ହେବ। ଏହା ଉପରେ ୱେଟ୍ ମିକ୍ସ ମାକଡାମ୍ (ଡବ୍ଲୁଏମଏମ୍) ରହିବ। ସବା ଉପର ଭାଗ ଦେଶର ସର୍ବୋତ୍କୃଷ୍ଟ ପେଭର୍ ବ୍ଲକରେ ନିର୍ମିତ ହେବ। ଫୁଟପାଥ, ଛୋଟ ସେଡ୍, ଜୋତା ଓ ମୋବାଇଲ ଷ୍ଟାଣ୍ଡ, ପାନୀୟ ଜଳ ବ୍ୟବସ୍ଥା ଓ ବ୍ୟାଟେରି ଅଟୋ ଚଳାଚଳ ସୁବିଧା ବ୍ୟବସ୍ଥା କରାଯିବ। ଭକ୍ତମାନେ ଏହି ବାଟେ ପ୍ରବେଶ ସହ ପ୍ରସ୍ଥାନ କରି ସିଧା ଜଗନ୍ନାଥ ବଲ୍ଲଭ ନିକଟ ଗାଡ଼ି ପାର୍କିଂସ୍ଥଳରେ ପହଞ୍ଚିପାରିବେ। ଜଙ୍କସନ୍ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
୧.୧୪୪୮ ଏକର ଜମି ଅଧିଗ୍ରହଣ, ୮୪ ପରିବାର ଦେଲେ ଜମି
ମହାପ୍ରଭୁଙ୍କ ସୁଗମ ଦର୍ଶନ ଲାଗି ନିର୍ମାଣାଧୀନ ଶ୍ରୀଦାଣ୍ଡ ୮୪ ପରିବାରର ସମର୍ପଣ ଯୋଗୁ ସମ୍ଭବ ହୋଇପାରିଛି। ସରକାରୀ ଜମିକୁ ବାଦ୍ ଦେଲେ ଚୁଡ଼ଙ୍ଗସାହି ଓ ଦାଣ୍ଡିମାଳସାହିର ୮୪ ପରିବାର ନିଜ ଜମି ଦେଇଛନ୍ତି। ନିର୍ମାଣାଧୀନ ଶ୍ରୀଦାଣ୍ଡ ପାଇଁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଜମି ଓ ୩୨ ପ୍ରତିଶତ ଘରୋଇ ଜମି ବିନିଯୋଗ ହେଉଛି। ଚୂଡ଼ଙ୍ଗସାହିରୁ ୦.୮୭୯୮ ଏକର ଏବଂ ଦାଣ୍ଡିମାଳସାହିରୁ ୦.୨୬୫ ଏକର ଘରୋଇ ଜମି ଅଧିଗ୍ରହଣ ହୋଇଛି। ମୋଟ୍ ୧.୪୪୮ ଏକର ବେସରକାରୀ ଘରୋଇ ଜମି ମଧ୍ୟ ଅଧିଗ୍ରହଣ ହୋଇଛି। ଏହାଦ୍ବାରା ଚୁଡ଼ଙ୍ଗସାହିର ୬୬ ପରିବାର ଓ ଦାଣ୍ଡିମାଳସାହିର ୧୮ ପରିବାର ଏହିପରି ମୋଟ୍ ୮୪ ପରିବାରଙ୍କ ଘରୋଇ ଜମି ଏହି ଶ୍ରୀଦାଣ୍ଡ ପ୍ରକଳ୍ପ ପାଇଁ ବିନିଯୋଗ ହୋଇଛି। ମାତ୍ର ୪ ଦିନର ସର୍ବେକ୍ଷଣ ପରେ ଶ୍ରୀଦାଣ୍ଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ତ୍ବରିତ ଭାବେ ଦୁଇଟି ପର୍ଯ୍ୟାୟରେ ଚୁଡ଼ଙ୍ଗସାହି ଓ ଦାଣ୍ଡିମାଳସାହିର ଜନଶୁଣାଣି ହୋଇଥିଲା। ଜମି ଅଧିଗ୍ରହଣ ପରେ ମାତ୍ର ୨ ମାସର ଟାର୍ଗେଟ୍ ନେଇ କାମ ଆରମ୍ଭ ହୋଇଥିବା ବେଳେ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମିସନ୍ ମୋଡ୍ରେ କାର୍ଯ୍ୟ ଯୋଗୁ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି।
ଶ୍ରୀଦାଣ୍ଡରୁ-ଅଭ୍ୟର୍ଥନା କେନ୍ଦ୍ର
ନୂଆ ଦର୍ଶନ ବ୍ୟବସ୍ଥା ଅନୁଯାୟୀ, ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତଙ୍କୁ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ନବନିର୍ମିତ ଏସି ସେଡ୍ରେ ଦର୍ଶନ ପାଇଁ ଛାଡ଼ିବାକୁ ଯୋଜନା କରାଯାଇଛି। ଅପରପକ୍ଷେ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରୁ ଶ୍ରୀଦାଣ୍ଡ ଦେଇ ଆସୁଥିବା ଭକ୍ତ ଶୀତତାପ ନିୟନ୍ତ୍ରିତ ସେଡ୍ ଦେଇ ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ। ଦୁଇପାର୍ଶ୍ବରୁ ଭକ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବା ପରେ ସାନଛତା ମଠ ଦେଇ ମେଘନାଦ ପାଚେରି କଡ଼େ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡ଼ିବାକୁ ଯୋଜନା କରାଯାଉଛି। ଭକ୍ତଙ୍କ ଦର୍ଶନ ଯାତ୍ରାକୁ ଶ୍ରୀଦାଣ୍ଡ ସୁଗମ ଓ ସଅଳ କରିବ।