ମୃଦୁଳା ଗର୍ଗଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’

ଚନ୍ଦ୍ରଶେଖରପୁର: ଆଜି ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ଓ ଶିଶୁ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତର ବିଶିଷ୍ଟ ସାହିତ୍ୟିକା ମୃଦୁଳା ଗର୍ଗଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’, ବିଶିଷ୍ଟ କଥାକାର ତଥା ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ୍‍ ସଚିବ ବିଜୟ ନାୟକଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା। ଶ୍ରୀମତୀ ଗର୍ଗଙ୍କୁ ୫ଲକ୍ଷ ଟଙ୍କା, ରୌପ୍ୟ ପଦକ, ସନନ୍ଦପତ୍ର ଓ ଉପଢ଼ୌକନ ଏବଂ ଶ୍ରୀ ନାୟକଙ୍କୁ ୧ଲକ୍ଷ ଟଙ୍କା, ସନନ୍ଦପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସେହିଭଳି ‘ସୁଲେଖା’ର ସମ୍ପାଦକ ସଦାଶିବ ମିଶ୍ର ଓ ‘ଗୋଧୂଳି’ ସମ୍ପାଦିକା ବିମଳା ସିଂହଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ପୁରସ୍କାର ବାବଦରେ ୧୦ ହଜାର ଟଙ୍କା ଓ ମାନପତ୍ର ଦିଆଯାଇଥିଲା। ପ୍ରଫେସର ବୈଷ୍ଣବ ଚରଣ ସାମଲ, ରାଧାବିନୋଦ ନାୟକ, ସୁକାମିନୀ ନନ୍ଦ, ତୁଳସୀ ଓଝା ଓ ପ୍ରଫେସର ନାରାୟଣ ସାହୁଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୪’ ଏବଂ ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କାର ଅର୍ଥରାଶି ଦିଆଯାଇଥିଲା। ପାଲା ଗାୟିକା ପ୍ରଜ୍ଞା ରାଉତଙ୍କୁ ‘କାଦମ୍ବିନୀ ସମ୍ବର୍ଦ୍ଧନା-୨୦୨୪’ରେ ସମ୍ମାନିତ କରାଯାଇଥିଲା।

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ବିଶିଷ୍ଟ ଲେଖିକା ଅନୀତା ଅଗ୍ନିହୋତ୍ରୀ କହିଲେ ଯେ ପତ୍ରିକା ହେଉଛି ସାହିତ୍ୟର ପ୍ରାଣ। ଚଳଚ୍ଚିତ୍ର ଅଭିନେତା ଅଭୟ ବର୍ମା ଓ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ସନ୍ଦୀପ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜୀବନରେ ଅର୍ଥ ଓ ନାଁ କମେଇବା ସବୁକିଛି ନୁହେଁ ବୋଲି ଉଭୟ ଅତିଥି ମତଦେଇଥିଲେ। ସମାଜ ପ୍ରତି କିଭଳି କର୍ତ୍ତବ୍ୟ କରାଯିବା ଆବଶ୍ୟକ ତାହା କିଟ୍‌ ଓ କିସ୍‌ରୁ ଶିଖିବାକୁ ମିଳିଛି ବୋଲି ସେମାନେ କହିଥିଲେ। ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ବିନୋଦ ଗନତ୍ରା ନିଷ୍କାମ କର୍ମଯୋଗ କ’ଣ ତାହା ଏଠାକୁ ଆସିବା ଦ୍ବାରା ସେ ଜାଣି ପାରିଛନ୍ତି ବୋଲି କହିଥିଲେ। ‘କାଦମ୍ବିନୀ’ ଓ ‘କୁନିକଥା’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଓ ସମ୍ପାଦିକା ଡ. ଇତିରାଣୀ ସାମନ୍ତ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଆୟୋଜିତ ଯୁବ ସାହିତ୍ୟ ସମ୍ମିଳନୀରେ ବିଶିଷ୍ଟ ସାହିତ୍ୟିକ ମିହିର କୁମାର ସାହୁ, ପଞ୍ଚାନନ ନାୟକ ଓ ଚିରଶ୍ରୀ ଇନ୍ଦ୍ରସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଡିଲେଶ୍ୱର ରଣା, ସୌମ୍ୟା ମହାପାତ୍ର, ସଞ୍ଜୟ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରଜ୍ଞା ପାରମିତା ରଥ, ମିୟୋଗ ରଞ୍ଜନ ପାତ୍ର ଓ ବେଦପ୍ରକାଶ ନାୟକଙ୍କୁ ଗଳ୍ପ ପାଇଁ ‘କାଦମ୍ବିନୀ ନବ ଉନ୍ମେଷ ପୁରସ୍କାର’ ପ୍ରଦାନ କରାଯାଇଥିଲା। କବିତା ପାଇଁ ନିଖିଳେଶ ମିଶ୍ର, ଅବକାଶ ପ୍ରଧାନ, ସଂଘମିତ୍ରା ଭୁତିଆ, ଆଶିଷ କୁମାର ମିଶ୍ରଙ୍କୁ ମଧ୍ୟ ଏହି ନବ ଉନ୍ମେଷ ପୁରସ୍କାର ଦିଆଯାଇଥିଲା। ଶିଶୁ ସାହିତ୍ୟ ସମ୍ମିଳନୀ ଓ କୁନାକୁନି ମେଳାରେ ବିନୋଦ ଗନତ୍ରା, ବିଶିଷ୍ଟ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ବାବା ରାମନାରାୟଣ ଦାସ ଓ କୋଲକାତାସ୍ଥିତ ଏସ୍‍ଆର୍‍ଏଫ୍‍ଟିର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ। ଯୁଗଳ କିଶୋର ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ମହାନ୍ତି, ମାନସ ରଞ୍ଜନ ସାମଲ ଓ ଶରତ କୁମାର ନାୟକଙ୍କୁ ‘କୁନିକଥା ପ୍ରିୟଲେଖକ ସମ୍ମାନ’ ପ୍ରଦାନ କରାଯାଇଥିଲା। କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ। ‘ପତ୍ରିକା ହାଟ’ରେ ୫୦୦ରୁ ଅଧିକ ପତ୍ରିକା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର