ଚେହେରାକୁ ନେଇ ଟ୍ରୋଲ କରାଯାଉଥିବା ୧୦ମ ଶ୍ରେଣୀ ବୋର୍ଡ ଟପ୍ପରଙ୍କ ସହିତ କଥା ହେଲେ ପ୍ରିୟଙ୍କା

 ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷା-୨୦୨୪ର ଫଳାଫଳ ଘୋଷଣା ହେବାପରେ ସୀତାପୁରର ପ୍ରାଚୀ ନିଗମ ୯୮.୫୦ ପ୍ରତିଶତ ନମ୍ବର ରଖି ଶୀର୍ଷ ସ୍ଥାନ ଅଧିକାର କରିଥିଲେ।

ଏହି ସଫଳତା ପାଇବା ପରେ ପ୍ରାଚୀଙ୍କ ସଫଳତାକୁ ଅଣଦେଖା କରି କିଛି ଲୋକ ତାଙ୍କ ଚେହେରାକୁ ନେଇ ଟ୍ରୋଲ କରିଥିଲେ। ଯାହାକୁ ନେଇ ପ୍ରାଚୀ କିଛିଦିନ ଚୁପ ରହିବା ପରେ ନିକଟରେ ଚାଣକ୍ୟଙ୍କ ଉଦାହରଣ ଦେଇ ଟ୍ରୋଲର୍ସଙ୍କୁ ଉଚିତ ଜବାବ ଦେଇଥି‌ଲେ।

ଏହି ଘଟଣାକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷା-୨୦୨୪ର ଟପ୍ପର ସୀତାପୁରର ପ୍ରାଚୀ ନିଗମଙ୍କ ସହିତ ଫୋନରେ କଥା ହୋଇଥିଲେ। ଏହାର ଏକ ଭିଡିଓକୁ ଏକ୍ସରେ ଉତ୍ତରପ୍ରଦେଶର କଂଗ୍ରେସ ଆକାଉଣ୍ଟରେ ସେୟାର କରାଯାଇଛି।

ଉତ୍ତରପ୍ରଦେଶ କଂଗ୍ରେସର କହିବାନୁସାରେ, ପ୍ରିୟଙ୍କା ଗାନ୍ଧି ପ୍ରାଚୀଙ୍କ ସହିତ କଥା ହୋଇ ତାଙ୍କର ଉତ୍ସାହକୁ ବୃଦ୍ଧି କରିବା ସହିତ ଆଗାମୀ ଦିନରେ ତାଙ୍କ ଭବିଷ୍ୟତ କିପରି ଉଜ୍ଜ୍ବଳ ହେଉ ତାହାର ଶୁଭକାମନ‌ା କରିଥିଲେ। ଏଥିସହିତ ଲୋକେ କ’ଣ କହୁଛନ୍ତି ତା ପ୍ରତି ଧ୍ୟାନ ନଦେଇ ନିଜ ଲକ୍ଷ୍ୟପଥରେ ଅଟଳ ରହିବାକୁ ପରାମର୍ଶ ଦେଇଥିଲେ।

ଦୁଇଦିନ ତଳେ ଚେହେରାକୁ ନେଇ ଟ୍ରୋଲ କରୁଥିବା ଲୋକଙ୍କୁ ଜବାବ ଦେଇ କହିଥିଲେ, ‘ମୁଁ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ମୋର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଅନେକ ଲୋକ ମୋର ସଫଳତା ପାଇଁ ପ୍ରଶଂସା କରିଥିବା ବେଳେ ଆଉ କିଛିଲୋକ ମୋର ଚେହେରାକୁ ନେଇ ଖରାପ ପ୍ରତିକ୍ରିୟା ଦେଇଥିଲେ।

ସେମାନଙ୍କୁ ମୁଁ କହିବାକୁ ଚାହିଁବି ଚାଣକ୍ୟ ଭଳି ବ୍ୟକ୍ତିଙ୍କର ଯଦି ଲୋକ ମଜାକ ଉଡ଼ାଇ ପାରନ୍ତି ମୁଁ ତ ସାଧାରଣ ମଣିଷଟିଏ। ତେଣୁ ମୋର ଲୋକଙ୍କୁ ଅନୁରୋଧ ଯଦି କୌଣସି ଲୋକଙ୍କୁ ଆମେ ଖୁସି ଦେଇ ପାରୁ ନାହୁଁ ତେବେ ତାଙ୍କୁ ଥଟ୍ଟା ପରିହାସ କରିବା ବି ଉଚିତ ନୁହେଁ।’

ସମ୍ବନ୍ଧିତ ଖବର