ଇନ୍‌ଫୋସିଟି-ଶିଖରଚଣ୍ଡୀ ରାସ୍ତାରେ ପଥ ଉତ୍ସବ: ଶୀତ ହଜେଇଲା ‘ଏକଡ଼ା ଏକଡ଼ା ରା’

ଚନ୍ଦ୍ରଶେଖରପୁର: ଆଜି ସକାଳୁ ସକାଳୁ ଉତ୍ସବ ମୁଖରିତ ହୋଇଉଠିଥିଲା ଇନ୍‌ଫୋସିଟି-ଶିଖରଚଣ୍ଡୀ ରାସ୍ତା। ଶୀତକୁ ଭୁଲି ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ରାସ୍ତାକୁ ମାଡ଼ିଆସିଥିଲେ। ମେଲୋଡି ମଞ୍ଚ ତଳେ ଝୁମିଉଠିଥିଲେ ଯୁବଗୋଷ୍ଠୀ। ଶୀତ ଛଡ଼େଇବାକୁ କଣ୍ଠଶିଳ୍ପୀମାନେ ଗାଇଥିଲେ ପୁରୁଣା ହିଟ୍‌ ଗୀତ। ‘ରଙ୍ଗବତୀ’, ‘ଏକଡ଼ା ଏକଡ଼ା ରା’, ‘ଲେ ଲେ କା ଲଚକମଣି’ ଭଳି ଗୀତରେ ନାଚି ମଞ୍ଚ ତଳେ ଧୂଳି ଉଡ଼ାଇଦେଇଥିଲେ ଯୁବକ ଯୁବତୀମାନେ। କୁନିକୁନି ପିଲାମାନେ ମଧ୍ୟ କମ୍‌ ନାଚୁନଥିଲେ। ସେହିଭଳି ମଝିରେ ମଝିରେ ମଧ୍ୟବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଗୀତ ‘ମୁଁ ପରଦେଶୀ ଚଢ଼େଇ’, ‘ମନ ଉଡ଼ି ଉଡ଼ି ଯାଏରେ’ ଓ ‘ଏଥର ଫଗୁଣେ’ ଆଦି ଗୀତ ମଧ୍ୟ ଦର୍ଶକଙ୍କୁ ଝୁମାଇଥିଲା। ଆଜି ବିଏମ୍‌ସି ପକ୍ଷରୁ ଆୟୋଜିତ ପଥ ଉତ୍ସବରେ ଶିଖରଚଣ୍ଡୀ ପାହାଡ଼ ତଳେ ଥିଲା ଏମିତି ଅବସର। ନାଚ ଗୀତରେ ଲୋକେ ରବିବାରିଆ ସକାଳର ମଜା ନେଇଥିଲେ। ଏଥିସହିତ ନାଟକ ପ୍ରହ୍ଲାଦ ଦର୍ଶକଙ୍କୁ ଭକ୍ତିରସରେ ଭିଜାଇଥିଲା।

ପ୍ରଥମେ ରୋମାଞ୍ଚଭରା ଶିବ ତାଣ୍ଡବ ନୃତ୍ୟରୁ ଆରମ୍ଭ ହୋଇଥିଲା ଆଜିର କାର୍ଯ୍ୟକ୍ରମ। ସିଜ୍‌ଲେର୍ସ ଡ୍ୟାନ୍ସ ଗ୍ରୁପ୍‌ର କଳାକାରମାନେ ଶିବତାଣ୍ଡବ ପରିବେଷଣ କରି ଦର୍ଶକଙ୍କ ମନରେ ଭକ୍ତିରସ ସଞ୍ଚାରିଥିଲେ। ଏହାପରେ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଓ ସତ୍ୟଜିତ୍ ପ୍ରଧାନ ଦର୍ଶକମାନଙ୍କୁ ନଚେଇ ନଚେଇ ସେମାନଙ୍କଠାରୁ ଝାଳ ବୁହାଇଦେଇଥିଲେ। କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ସାଂସଦ ସୁଲତା ଦେଓ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମେୟର ସୁଲୋଚନା ଦାସ, ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଡେପୁଟି ମେୟର ମଞ୍ଜୁଲତା କଅଁର, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତଙ୍କ ସମେତ ବହୁ କର୍ପୋରେଟ ସାମିଲ ହୋଇଥିଲେ। ବିଏମ୍‌ସି ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର ମନୋରଞ୍ଜନ ସାହୁ, ପ୍ରିୟବ୍ରତ ପାଢ଼ୀଙ୍କ ସମେତ ବିଏମ୍‌ସି ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ। ଶିଖରଚଣ୍ଡୀ ପାଦଦେଶର ମୁଖ୍ୟ ମଞ୍ଚ ନିକଟରେ ଦିନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଲାଗିଥିଲା ଏବଂ ଦ୍ୱିତୀୟ ମଞ୍ଚ ନିକଟରେ ପ୍ରାୟ ୧୧ଟା ପର୍ଯ୍ୟନ୍ତ ସହରବାସୀ ମଜା ନେଇଥିଲେ। କିସ୍‌ ଛାତ୍ରୀଙ୍କ ‘ଭୁବନେଶ୍ବର ଫାଷ୍ଟ’ ଧ୍ବନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।

ଆକର୍ଷଣର କେନ୍ଦ୍ର ଥିଲା ମ୍ୟୁଜିକ୍‌ ବ୍ୟାଣ୍ଡ୍‌
ମ୍ୟୁଜିକ୍‌ ବ୍ୟାଣ୍ଡ୍‌ ତାଳେତାଳେ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ ଆଜିର ପ୍ରମୁଖ ଆକର୍ଷଣ ପାଲଟିଥିଲା। ୨୦ରୁ ଅଧିକ ଛାତ୍ରୀ ଗୋଟିଏ ତାଳରେ ନୃତ୍ୟ କରୁଥିବା ବେଳେ ଛାତ୍ରମାନେ ବ୍ୟାଣ୍ଡ୍‌ ବଜାଇ ପରିବେଶରେ ଉଷ୍ମତା ଭରିଦେଇଥିଲେ। ସେହିପରି ଓଡ଼ିଶାର କୀର୍ତ୍ତିରାଜିକୁ ନେଇ ‘ମୋ ଓଡ଼ିଶା’ ଶୀର୍ଷକ ରାସ୍ତା ଉପରେ ଏକ ଚିତ୍ରାଙ୍କନ ଓ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କୁଲ୍‌ର ସିନିୟର୍‌ ପ୍ରିନ୍ସିପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ, ରେସିଡେନ୍ସିଆଲ୍‌ ସ୍କୁଲ୍‌ର ପ୍ରଧାନଶିକ୍ଷକ ଅମିତାଭ୍‌ ଅଗ୍ନ‌ିହୋତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ଯୋଗଠାରୁ ପ୍ରାଣାୟାମ ଯାଏ
ଯୋଗଠାରୁ ପ୍ରାଣାୟାମ ଏବଂ ଆଧୁନିକ ନୃତ୍ୟଠାରୁ ପ୍ରହ୍ଲାଦ ନାଟକ ପର୍ଯ୍ୟନ୍ତ ଆଜିର ପଥ ଉତ୍ସବରେ ଓଡ଼ିଶାର ପ୍ରତିଟି ଝଲକ ଦେଖିବାକୁ ମିଳିଥିଲା। ମୁଖ୍ୟ ମଞ୍ଚ ସମ୍ମୁଖରେ ଝୋଟି, ଭୁବନେଶ୍ୱର ଗଟ୍‌ ଟ୍ୟାଲେଣ୍ଟ, ଡଗ୍‌ ସୋ’, ପୁରାନି ୟାଦେ, ଗଜଲ୍‌, କିଡୋ କିଙ୍ଗଡମ୍‌, ଜୁମ୍ବା, ହେଲ୍‌ଥ କ୍ୟାମ୍ପ, ୱେଲ୍‌ନେସ୍‌ କର୍ଣ୍ଣର, ସ୍ପୋର୍ଟସ, କ୍ରାଫ୍ଟ ଜୋନ୍‌, ନକଡ୍‌, ଓପନ ଜିମ୍‌, ରାଜସ୍ୱ କେନ୍ଦ୍ର, ସାଇନ୍‌ ଲାଙ୍ଗୁଏଜ୍‌, ଷ୍ଟ୍ରିଟ୍‌ ଡ୍ୟାନ୍ସ ଓ ମ୍ୟୁଜିକ୍‌, ଇଲେକ୍ସନ୍‌ ବୁଥ୍ ଆଦି ରହିଥିଲା। ତା’ ସାଙ୍ଗକୁ ବିଟ୍‌ ବକ୍ସିଂ, ଗିଟାରିଷ୍ଟ, କମେଡି, ବାସ୍କେଟ୍‌ବଲ୍‌, ବ୍ୟାଡ୍‌ମିଣ୍ଟନ, ସ୍ଲାଇଡ୍‌, ସାପ-ଶିଡ଼ି ଖେଳ, ଏକଚକିଆ ସାଇକେଲ ଚାଳନା, ପେଣ୍ଟିଂ ଆଦିର ମଜା ଉଠାଇଥିଲେ ସହରବାସୀ। ଇମ୍ଫୋସିଟି ଛକରେ ହୋଇଥିବା ଦିତ୍ୱୀୟ ମଞ୍ଚ ନିକଟରେ ବିଭିନ୍ନ ସ୍କୁଲ ଓ ନୃତ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନୃତ୍ୟ, ଗୀତ, କମେଡି, ଏକକ ଅଭିନୟ ଆଦି ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। କିସ୍‌ର ହଜାର ହଜାର ଛାତ୍ରଛାତ୍ରୀ ସାମିଲ ହୋଇ ପଥ ଉତ୍ସବକୁ ସରଗରମ କରିଦେଇଥିଲେ।

ସମ୍ବନ୍ଧିତ ଖବର