ଶ୍ରୀଜିଉଙ୍କ ସେନାପଟାଲାଗି ଶେଷ, ମଧ୍ୟରାତ୍ରିରେ ପହଣ୍ଡିରେ ସ୍ନାନମଣ୍ଡପକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ସ୍ନାନଯାତ୍ରା ଅବ୍ୟବହିତ ପୂର୍ବରୁ ଶ୍ରୀମନ୍ଦିରରେ ଆଜି ତ୍ରୟୋଦାଶୀ ତିଥିରେ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ପହଣ୍ଡି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାତି ପାହିଲା ବେଳକୁ ଠାକୁର ସ୍ନାନମଣ୍ଡପରେ ବିରାଜମାନ କରିସାରିଥିବେ।

ଆଜି ଭୋର  ସାଢ଼େ ୪ଟାରେ କୋଠ ସୁଆଁସିଆ ବାହାରିଥିଲା। ୫ଟାରେ ଦଇତାପତି ସେନାପଟାଲାଗିକୁ ପ୍ରବେଶ କରିଥିଲେ। ସକାଳ ୧୦ଟାରେ ଏହି ନୀତି ଶେଷ ହୋଇଥିଲା। ପୂର୍ବାହ୍ନ ସାଢ଼େ ୧୦ଟାରେ ମଙ୍ଗଳ ଆଳତି, ୧୦ଟା ୪୫ରେ ମଇଲମ ଓ ତଡ଼ପ ଲାଗି, ୧୧ଟା ୩୦ରେ ଅବକାଶ, ୧୧ଟା ୪୦ରେ ରୋଷହୋମ, ୧୧ଟା ୫୫ରେ ସୂର୍ଯ୍ୟପୂଜା, ୧୨ଟା ୧୦ରେ ଦ୍ୱାରପାଳ ପୂଜା, ୧୨ଟା ୩୦ରେ ବେଶଶେଷ ହୋଇଥିଲା।

ସେହିପରି ଦିନ ୧ଟାରୁ ୨ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ, ୧ଟା ୧୦ରୁ ୨ଟା ୩୦ ମଧ୍ୟରେ ଭୋଗମଣ୍ଡପ, ୨ଟା ୪୫ରେ ମଇଲମ, ୩ଟା ୩୦ରେ ଆଲଟ ଲାଗି, ଅପରାହ୍ନ ୪ଟାରେ ଚନ୍ଦନ ଲାଗି, ୪ଟା ୩୦ରେ ବେଶ ଶେଷ ହୋଇଥିଲା।

ସନ୍ଧ୍ୟା ୫ଟାରୁ ମଧ୍ୟାହ୍ନ ଧୂପ ଆରମ୍ଭ ହୋଇଥିଲା। ଏହି ନୀତି ଘଣ୍ଟାଏ ଯାଏଁ ଚାଲିଥାଏ। ଆଜି ରାତି ୧୦ଟା ୪୫ରେ ପଣାଭୋଗ, ୧୧ଟାରେ ଚନ୍ଦନଲାଗି, ୧୧ଟା ୩୦ରେ ବଡ଼ସିଂହାର ବେଶ, ରାତି ୧୨ଟାରେ ବଡ଼ସିଂହାର ଭୋଗ ଓ ୧୨ଟା ୩୦ରେ ପହୁଡ ଆଳତି ନୀତି ଅନୁଷ୍ଠିତ ହେବ।

ଚଳିତବର୍ଷ କରୋନା କଟକଣା ପାଇଁ ଠାକୁରଙ୍କ ସ୍ନାନଯାତ୍ରା ଆଡ଼ମ୍ବରକୁ ବନ୍ଦ କରି ଦିଆଯାଇଛି। ବିନା ଘଣ୍ଟ ଘଣ୍ଟା, ବାଣ ରୋଷଣିରେ ଏହି ନୀତି ସଂପାଦିତ ହୋଇଛି। ଏଥି ପାଇଁ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ସେପଟେ ସ୍ନାନଯାତ୍ରାର ଅବ୍ୟବହିତ ପୂର୍ବରୁ ଶ୍ରୀଜିଉଙ୍କ ଗୁପ୍ତ ସେବା ପାଇଁ ଦଇତାପତିମାନେ ଗତକାଲି ରାତି ଶ୍ରୀମନ୍ଦିରରେ ପ୍ରବେଶ କରି ବିଭିନ୍ନ ନୀତି ସଂପନ୍ନ କରିଛନ୍ତି।

ସମ୍ବନ୍ଧିତ ଖବର