ମଦ ପାଇଁ ଟଙ୍କା ଲାଗି ବାପାକୁ ହତ୍ୟାକଲା ପୁଅ, ମୃତ୍ୟୁ ପ‌ରେ ପିଟିପିଟି ଗୋଡ଼ ଭାଙ୍ଗିଲା

ଶୁଳିଆପଦା : ମଦ ପିଇବା ପାଇଁ ଟଙ୍କା ‌ନ ଦେବାରୁ ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ଉଫାଲଗଡିଆ ପଞ୍ଚାୟତ ଚିଆଁପ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।

ସୂଚନା ମୁତାବକ, ରବିବାର ମଧ୍ୟାହ୍ନରେ ଉକ୍ତ ଗ୍ରାମର ଚାନ୍ଦରାୟ କିସ୍କୁ (୫୫) ଖଟ ଉପରେ ବସିଥିବା ବେଳେ ପତ୍ନୀ ଭାତ ବାଢ଼ୁଥିଲେ। ଏହି ସମୟରେ ପୁଅ କାହ୍ନୁ (୨୪) ସେଠାରେ ପହଞ୍ଚି ମଦ ପିଇବା ପାଇଁ ବାପାଙ୍କୁ ଟଙ୍କା ମାଗିଥିଲା। ତେବେ, ଟଙ୍କା ଦେବାକୁ ଚାନ୍ଦରାୟ ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପାଙ୍କ ମୁଣ୍ଡକୁ ଏକ ଶାଳକାଠରେ ଜୋର୍‌ରେ ପିଟି ଦେଇଥିଲା କାହ୍ନୁ। ଗୋଟିଏ ପାହାରରେ ତଳକୁ ଗଡ଼ି ପଡ଼ିଥିଲେ ଚାନ୍ଦରାୟ। ଏତିକିରେ ପୁଅର ମନ ଶାନ୍ତି ହୋଇନଥିଲା । ବାପାଙ୍କୁ ମୁଣ୍ଡରୁ ଗୋଡ଼ ଯାଏ ପିଟି ଚାଲିଥିଲା କାହ୍ନୁ। ପିଟି ପିଟି ଗୋଟିଏ ଗୋଡ଼କୁ ବି ଭାଙ୍ଗି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଚାନ୍ଦରାୟଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁଅର ଏହି ନରକୀୟ କାଣ୍ଡ ଦେଖି ମା’ ଭୟରେ ଦଉଡ଼ି ପଳାଇ ଯାଇଥିଲେ।

ଗ୍ରାମବାସୀଙ୍କ ପାଖରୁ ଖବର ପାଇ ଶୁଳିଆପଦା ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ, ଏଏସ୍‌ଆଇ ରସାନନ୍ଦ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ପିତୃହନ୍ତା ପୁଅକୁ ଗିରଫ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ତଥ୍ୟପ୍ରମାଣ ସଂଗ୍ରହ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏ ନେଇ କେସ୍ ନଂ ୨୨୨/୨୭ରେ ହତ୍ୟା ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର