ହା‌ଇକୋର୍ଟରୁ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କୁ ହା‌ଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ମଙ୍ଗଳବାର ହାଇକୋର୍ଟ ସୌରିନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ପଡିବ ବୋଲି ସର୍ତ୍ତାରୋପ କରାଯାଇଛି। ଆସନ୍ତା ଅଗଷ୍ଟ ୧୪ରେ କଟକ ମହିଳା ଥାନାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ସୌରିନ ହାଜର ହେବେ। ଏହାପରେ ତଦନ୍ତରେ ସେ ସହଯୋଗ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସୌରିନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା ଭଳି ସଂଗିନ ଅଭିଯୋଗ ମହିଳା ଥାନାରେ ହୋଇଥିଲା।

ପୁଲିସ ଏକ ମାମଲା ରୁଜୁ କରି ଜୁନ ୨୧ରେ କଲିକତା ସହରର ବାଲିଗଙ୍ଗ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। ସେଠାରେ ସୌରିନ୍ ଗଲା ୭ ଦିନ ହେବ ଅନୁପସ୍ଥିତ ଥିବା ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସେ ଦିଲ୍ଲୀରେ ରହୁଥିବା କୁହାଯାଇଥିଲା। କିନ୍ତୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପୁଲିସ ତାଙ୍କ ସହିତ ଯୋଗାଯୋଗ କରି ପାରି ନଥିଲା। ଅନ୍ୟପକ୍ଷରେ ଏହାପରେ ଜୁନ ୨୬ରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରିନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର