ମନ ପରିଭାଷା: ମାଆର ମଦ୍ୟପାନ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ

ଫକୀର ମୋହନ ସାହୁ

ମନୁଷ୍ୟ ମଦ୍ୟ ପାନ କରେ କାହିଁକି? ଅନେକ କହନ୍ତି ଯେ ମଦର ନିଶା ଏଭଳି ମାଦକତା ବା ଏକ ପ୍ରକାର ସୁଖାନୁଭୂତି ସୃଷ୍ଟି କରେ ଯେ ନିଶାଗ୍ରସ୍ତ ଲୋକେ ମଦ୍ୟ ପାନ କରିବା ଲାଗି କେବଳ ବାହାନା ଖୋଜନ୍ତି; ଯେମିତି କି ମଉଜ କରିବାକୁ ହେଲେ ମଦ ବିନା କୌଣସି ସର୍ତ୍ତରେ ଉପସ୍ଥିତ ହୁଏ ଏବଂ ଦୁଃଖ ପଡ଼ିଲେ ଦୁଃଖ ଭୁଲିବା ଲାଗି ମଧ୍ୟ ନିଶାସକ୍ତମାନେ ମଦ ଲୋଡ଼ନ୍ତି। କିନ୍ତୁ ମଦ ପିଉଥିବା ଲୋକେ ସ୍ବାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ କଥା ଭୁଲି ଯାଆନ୍ତି। ଏବେ ଅନେକ ମହିଳା ମଦ୍ୟ ପାନ କରୁଥିବା ଦେଖିବାକୁ ମିଳୁଛି। ଆଗରୁ କିନ୍ତୁ ମହିଳାମାନେ ଆଦୌ ମଦ ପିଉ ନ ଥିଲେ। ସେହି ଦୃଷ୍ଟିରୁ ମହିଳାମାନଙ୍କ ଭିତରେ ଅଧିକରୁ ଅଧିକ ପ୍ରିୟ ହୋଇ ଉଠୁଥିବା ଏହି ଅଭ୍ୟାସ କାହିଁକି ଏକ ବିଶେଷ କାରଣରୁ ସେମାନଙ୍କ ଲାଗି ଅଧିକ ବିପଦର କାରଣ ହୋଇଥାଏ, ତାହା ଜାଣିବା ଦରକାର।
ଏହାର କାରଣଟି ହେଲା କେବଳ ମହିଳା ନିଜ ଗର୍ଭରେ ସନ୍ତାନ ଧାରଣ କରିବାର କ୍ଷମତା ପାଇଛି, ଏବଂ ସନ୍ତାନ ସମ୍ଭବା ନାରୀ ପାଇଁ ଯେ କୌଣସି ପରିମାଣର ମଦ୍ୟ, ତାହା ଯେତେ କମ୍‌ ହେଲେ ବି କ୍ଷତିକାରକ। ଏ ଦୃଷ୍ଟିରୁ ସନ୍ତାନସମ୍ଭବା ନାରୀ ପୂରାପୂରି ନିଶା-ନିବୃତ ରହିବା ହିଁ ସର୍ବୋତ୍ତମ। କାରଣ ଏହି ଅଭ୍ୟାସ ଗର୍ଭସ୍ଥ ସନ୍ତାନ ଲାଗି ଅତି କ୍ଷତିକାରକ ହୋଇଥାଏ। ଗବେଷଣାଲବ୍‌ଧ ତଥ୍ୟ କହେ ଯେ ଦୈନିକ ୧୨ ଆଉନ୍‌ସ (ପ୍ରାୟ ୧/୩ ଲିଟର) ‘ବିଅର’ ବା ୫ ଆଉନ୍‌ସ ୱାଇନ୍‌ (ପ୍ରାୟ ୧/୬ ଲିଟର) ପାନ କରୁଥିବା ସନ୍ତାନ-ସମ୍ଭବା ମହିଳା ଗର୍ଭସ୍ଥ ସନ୍ତାନ ଲାଗି କ୍ଷତି ପହଞ୍ଚାନ୍ତି। ସୁତରାଂ, ମଦ୍ୟ ପାନ କରୁଥିବା ମାତା ନିଜ ଅଜାଣତରେ ନିଜର ପ୍ରାଣ ଠାରୁ ପ୍ରିୟ ସନ୍ତାନକୁ ପୃଥିବୀର ସୂର୍ଯ୍ୟାଲୋକ ଦେଖିବା ପୂର୍ବରୁ ହିଁ ଆଘାତ ପହଞ୍ଚାଏ; ଯାହା ଦ୍ବାରା ଶିଶୁଟି ଶାରୀରିକ ବିକୃତି ସହ ଜନ୍ମ ହୋଇପାରେ ବା ବଡ଼ ହେବା ପରେ ଆଚରଣଗତ ବିକୃତି ପ୍ରଦର୍ଶନ କରିବାର ସମ୍ଭାବନା ଥାଏ। ଏଭଳି ସ୍ଥଳେ ସନ୍ତାନର ମସ୍ତିଷ୍କର ଆକାର ମଧ୍ୟ କମି ଯାଇପାରେ, ଯାହା ତା’ର ପୂର୍ଣ୍ଣାଙ୍ଗ ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରିଥାଏ। ଆଧୁନିକ ପ୍ରଯୁକ୍ତି ବଳରେ ମସ୍ତିଷ୍କର ସୂକ୍ଷ୍ମ ଫଟୋମାନ ବିଭିନ୍ନ ଦିଗରୁ ଉଠାଯାଇ ପାରୁଛି‌, ଯହିଁରୁ ଏ ପ୍ରକାର ବିକୃତିର ଚିହ୍ନ ସ୍ପଷ୍ଟ ଭାବେ ଜଣା ପଡ଼ିଥାଏ।

ମନୁଷ୍ୟ କରୁଥିବା କାର୍ଯ୍ୟ ବା ପ୍ରଦର୍ଶନ କରୁଥିବା ଆଚରଣ ଇତ୍ୟାଦି ମସ୍ତିଷ୍କର ବିଭିନ୍ନ କେନ୍ଦ୍ର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଅଭ୍ୟାସଗତ ଭାବେ ମଦ ପିଉଥିବା ସନ୍ତାନ-ସମ୍ଭବା ନାରୀର ସନ୍ତାନର ମସ୍ତିଷ୍କରେ କେନ୍ଦ୍ରୀୟ ସ୍ନାୟୁ ସଂସ୍ଥା ଶୃଙ୍ଖଳା ହରାଏ। ଜଣେ ଜନନୀର ଖରାପ ଅଭ୍ୟାସର ଶିକାର ହେଉଥିବା ସନ୍ତାନ ନିଜ ଜୀବନ ତମାମ ଏହାର ପରିଣାମର ବୋଝ ବୋହିବାକୁ ବାଧ୍ୟ ହୋଇଥାଏ। ତେଣୁ ମହିଳାମାନେ ମଦ ନିଶା ଠାରୁ ସର୍ବଦା ଦୂରେଇ ରହିବା ଦରକାର। ସନ୍ତାନ ସମ୍ଭବା ମହିଳାମାନଙ୍କୁ ଏ ଅଭ୍ୟାସରୁ ମୁକ୍ତ କରିବା ହେଉଛି ପୂରା ପରିବାରର ଦାୟିତ୍ବ। ମଦ ନିଶାର ଅଭ୍ୟାସ ଛଡ଼ାଇବା ଲାଗି ଆବଶ୍ୟକ ହେଲେ ‘ସହାୟକ କେନ୍ଦ୍ର’ର ସାହାଯ୍ୟ ନିଆଯିବା ଉଚିତ ବା ବିଶେଷଜ୍ଞ ଡାକ୍ତର ଏବଂ ମନୋଚିକିତ୍ସକଙ୍କ ସହାୟତା ଲୋଡ଼ାଯିବା ଦରକାର। ଧାରାବାହିକ ପଦ୍ଧତିରେ ସୋପାନ-ଭିତ୍ତିକ ଶୈଳୀରେ ମଦ୍ୟ ପାନର ଅଭ୍ୟାସକୁ ଛଡ଼ାଇବାକୁ ହୋଇଥାଏ। ଏକା ଥରକେ ମଦ୍ୟ ପାନ ଛାଡ଼ିବାର ଉଦ୍ୟମ ଏଥି ଲାଗି ବିଫଳ ହୁଏ ଯେ ‘ୱିଥ୍‌ଡ୍ରୟାଲ୍‌ ସିନ୍‌ଡ୍ରୋମ୍‌’ ବା ‘ଓହରିଯିବାର ନକାରାତ୍ମକ ଲକ୍ଷଣ’ ଏତେ ଭୀଷଣ ହୋଇଥାଏ ଯେ ପୁଣି ମଦ ପିଇ ସେଭଳି ଅବସ୍ଥାରୁ ମୁକ୍ତି ପାଇବା ସେହି ସମୟରେ ଏକମାତ୍ର ଧ୍ୟେୟ ହୋଇଯାଏ। ତେଣୁ, ମଦର ଅଭ୍ୟାସ ସହଜରେ ଛାଡ଼େ ନାହିଁ। ସୁତରାଂ, ମୂଳ କଥା ହେଲା କୌଣସି ବ୍ୟକ୍ତି ମଦ ନିଶାର ଦାସ ହେବା ସର୍ବାଦୌ ବର୍ଜନୀୟ ଏବଂ ନାରୀମାନେ ତ ଆଦୌ ଏଭଳି ନିଶାର ବଶବର୍ତ୍ତୀ ହେବା ଉଚିତ ନୁହେଁ। କିନ୍ତୁ ବିଡ଼ମ୍ବନା ହେଲା ଅଧିକରୁ ଅଧିକ ସଂଖ୍ୟକ ମହିଳା ମଦ ପିଉଥିବା ଦେଖିବାକୁ ମିଳୁଛି। ତେଣୁ ଭୟ ହୁଏ ଯେ ଏହାର ପରିଣାମ ସ୍ବରୂପ ସେମାନେ ଶାରୀରିକ ଏବଂ ମାନସିକ ଭାବେ ଏକ ବିକୃତିଗ୍ରସ୍ତ ପିଢ଼ିକୁ ଜନ୍ମ ଦେବାକୁ ଯାଉ ନାହାନ୍ତି କି?
ମୋ: ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର