ଅଦାଲତ ପରିସର‌ରେ ପତିପତ୍ନୀ ଟଣାଘୋଷରା

ବାଲେଶ୍ବର: ପରିବାର ଅଦାଲତରେ ଅଭାବନୀୟ ଘଟଣା। ପତିପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କରୁ ଟଣାଓଟରା ପର୍ଯ୍ୟନ୍ତ କଥା ଗଲା। ଶେଷରେ ଓକିଲମାନଙ୍କ ହସ୍ତକ୍ଷେପ ପରେ ଘଟଣା ଥମିଥିଲା।

ଭୋଗରାଇ ବ୍ଳକ ଦେହୁର୍ଦା ଗ୍ରାମର ଡ.ସିଦ୍ଧାର୍ଥ ସ୍ୱରୂପ ଜେନା ୨୦୧୫ ମସିହାରେ ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳର ରବିନାରାୟଣ ଜେନାଙ୍କ କନ୍ୟା ଲିତୁଶ୍ରୀଙ୍କୁ ବିବାହ କରିଥିଲେ। ବିବାହର ବ‌ର୍ଷକ ପରେ ଉଭୟଙ୍କର ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ପରେ କୌଣସି କାରଣକୁ ନେଇ ପତିପତ୍ନୀଙ୍କ ମଧ୍ୟରେ କଳହ, ମନାନ୍ତର ସାଙ୍ଗକୁ ତିକ୍ତତା ବଢ଼ିବାକୁ ଲାଗିଲା। ୨୦୧୮ ମସିହାରେ ଲିତୁଶ୍ରୀ ବାଲେଶ୍ବର ଏସ୍‌ଡିଜିଏମ୍‌ କୋର୍ଟରେ ସ୍ବାମୀ ସିଦ୍ଧାର୍ଥଙ୍କ ନାମରେ ଯୌତୁକ ମାମଲା ଓ ପରିବାର ଅଦାଲତରେ ଭରଣପୋଷଣ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ପରିବାର ଅଦାଲତ ଭରଣପୋଷଣ ବାବଦରେ ମାସିକ ୮ ହଜାର ଟଙ୍କା ଦେବା ପାଇଁ ସ୍ବାମୀ ସିଦ୍ଧାର୍ଥଙ୍କୁ ନିର୍ଦ୍ଦେଶ ଦେଇଥିଲେ।

୨୦୨୨ରେ ସିଦ୍ଧାର୍ଥ ପରିବାର ଅଦାଲତରେ ଛାଡ଼ପତ୍ର ମାମଲା ରୁଜୁ କରିବା ପରେ ଅଦାଲତ ପକ୍ଷରୁ ଉଭୟ ସ୍ବାମୀସ୍ତ୍ରୀଙ୍କୁ କାଉନ୍‌ସେଲିଂ ପାଇଁ ଡକାଯାଇଥିଲା। ଆଜି କାଉନ୍‌ସେଲିଂର ଶେଷ ଦିନରେ ଉଭୟ ପକ୍ଷ ହାଜର ହୋଇଥିଲେ। ଦୁଇ ଜଣଙ୍କୁ ବୁଝାସୁଝା ସରିବା ପରେ ପତିପତ୍ନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଅଦାଲତ ପରିସରରେ ଉଭୟ ଟଣାଘୋଷରା ହୋଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଆଇନଜୀବୀ ଓ ଲୋକଙ୍କ ହସ୍ତକ୍ଷେପ ପରେ ଦୁହେଁ ଶାନ୍ତ ପଡ଼ିଥିଲେ। ଏହି ଘଟଣାକୁ ନେଇ ସିଦ୍ଧାର୍ଥ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସିଦ୍ଧାର୍ଥ ଏବେ କଳାହାଣ୍ଡି ଜିଲ୍ଲାର କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର