ପତ୍ନୀଙ୍କ ଉପରେ ଗରମ ତରକାରି ଢାଳିଦେଲା ସ୍ବାମୀ

ଦେଉଳା: ପାରିବାରିକ କଳହରୁ ଚୁଲିରେ ବସିଥିବା ଗରମ ମାଂସ ତରକାରି ନେଇ ପତ୍ନୀ ଉପରେ ଢାଳିଦେଲା ସ୍ବାମୀ। ଭୋଗରାଇ ଥାନା କୁମ୍ଭୀରଗଡ଼ି ପଞ୍ଚାୟତ ଅଡ଼ଙ୍ଗପନ୍ତେଇ ଗାଁରେ ରବିବାର ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତର ମହିଳା ଜଣକ ହେଲେ ଅଡ଼ଙ୍ଗପନ୍ତେଇ ଗାଁର ରାଜେଶ ମାଝୀଙ୍କ ପତ୍ନୀ ନିଲି ମାଝୀ (୨୭)।

ଅଭିଯୋଗ ଅନୁସାରେ, ନଧିପୁର ଗାଁର ନିଲି ଅଡ଼ଙ୍ଗପନ୍ତେଇ ଗାଁର ଅନନ୍ତ ମାଝୀଙ୍କ ପୁଅ ରାଜେଶକୁ ୧୦ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ମାସ ପର୍ଯ୍ୟନ୍ତ ସବୁକିଛି ଠିକଠାକ୍‌ ଚାଲିଥିଲା। ସ୍ବାମୀ ରାଜେଶ ବାହାର ରାଜ୍ୟରେ କାମଧନ୍ଦା କରି ବେଶ ଦୁଇପଇସା ରୋଜଗାର କରୁଥିଲା ବେଳେ ପତ୍ନୀ ମଧ୍ୟ ବିଭିନ୍ନ ସ୍ଥାନରେ ମନସା ମଙ୍ଗଳ ଗାନ କାର୍ଯ୍ୟକ୍ରମ କରି ଅର୍ଥ ରୋଜଗାର କରୁଥିଲେ। ଏହା ମଧ୍ୟରେ ସେମାନଙ୍କଠାରୁ ୩ ଝିଅ ଓ ଜଣେ ପୁଅ ଜନ୍ମ ନେଇଛନ୍ତି। ପରେ କୌଣସି କାରଣରୁ ରାଜେଶ ଓ ନିଲି ମଧ୍ୟରେ ବାରମ୍ବାର ଝଗଡ଼ା ଲାଗି ରହୁଥିଲା। ଏ ନେଇ ଗ୍ରାମବାସୀ ଓ ଭଦ୍ରଲୋକଙ୍କ ହସ୍ତକ୍ଷେପରେ ସମାଧାନ ହୋଇଥିଲା। କରୋନା ମହାମାରୀ ବେଳେ ରାଜେଶ ଘରକୁ ଫେରି ଆସିବା ପରେ ଆଉ କର୍ମକ୍ଷେତ୍ରକୁ ଯାଇ ନାହାନ୍ତି। ଅନ୍ୟପକ୍ଷରେ ପତ୍ନୀଙ୍କ ରୋଜଗାର ଉପରେ ପରିବାର ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ରବିବାର ମଧ୍ୟାହ୍ନରେ ନିଲି ମାଂସ ତରକାରି ରାନ୍ଧୁଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଜେଶ ଉତକ୍ଷିପ୍ତ ହୋଇ ଚୁଲିରେ ବସିଥିବା ଗରମ ମାଂସ କଡ଼େଇକୁ ଉଠାଇ  ନିଲି ଉପରେ ଢାଳି ଦେଇଥିଲା। ନିଲିଙ୍କର ଡାହାଣ କାନ୍ଧ ଓ ପିଠିରେ ଗରମ ତରକାରୀ ପଡ଼ି ଫୋଟକା ହେବା ସହ ଅସହ୍ୟ ଯନ୍ତ୍ରଣାରେ ସେ ଛଟପଟ ହେଉଥିବା ବେଳେ ଅତି ଅମାନବୀୟ ଭାବେ ରାଜେଶ ଏହା ଦେଖି ମଜା ନେଇଥିଲା।

ଅନ୍ୟ ଉପାୟ ନପାଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ନିଲି ଘର ପାଖରେ ଥିବା ପୋଖରୀରେ ପଶି ଯାଇଥିଲେ। ଯନ୍ତ୍ରଣା ସାମାନ୍ୟ କମିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଳେଶ୍ବରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ହେବା ସହ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର